Unknown

 

 

 

 

 

 

 

 

 

 

 

ଚନ୍ଦ୍ରବିମ୍ୱ

ଦେବେନ୍ଦ୍ର ମହାନ୍ତି

 

ନିଜକଥା

 

ପିଲାଦିନରୁ ଗଳ୍ପ ଲେଖିବା ପ୍ରତି ମୋର ବିଶେଷ ଆଗ୍ରହ ଥିଲା । ଛାତ୍ରଜୀବନରେ ଯେଉଁ କେତେଗୁଡ଼ିଏ ଗଳ୍ପ ବିଭିନ୍ନ ସମୟରେ ଲେଖିଥିଲି ସେଗୁଡ଼ିକ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା । ‘‘ଚନ୍ଦ୍ରବିମ୍ୱ’’ରେ ସନ୍ନିବେଶିତ ଗଳ୍ପଗୁଡ଼ିକ ସେହି ଗଳ୍ପମାନଙ୍କ ମଧ୍ୟରୁ ବଛାଯାଇଅଛି । ଏଥିରେ ଥିବା ଗଳ୍ପଗୁଡ଼ିକ ସେହି ଗଳ୍ପମାନଙ୍କ ମଧ୍ୟରୁ ବଛାଯାଇଅଛି । ଏଥିରେ ଥିବା ଗଳ୍ପଗୁଡ଼ିକୁ ପ୍ରକାଶ କରିଥିବା ଯୋଗୁଁ ରବିବାର ପ୍ରଜାତନ୍ତ୍ର, ଆସନ୍ତାକାଲି, ସମାବେଶ ଓ ରେଭେନ୍‌ସାଭିଆନର ସଂପାଦକଗଣ ଧନ୍ୟବାଦାର୍ହ । ଅତୀତରେ ଉପରୋକ୍ତ ପତ୍ର ପତ୍ରିକାରେ ମୋର ଗଳ୍ପଗୁଡ଼ିକ ପ୍ରକାଶିତ ହେବା ସମୟରେ ଯେଉଁମାନେ ମୋର ଗଳ୍ପଗୁଡ଼ିକ ପ୍ରକାଶିତ ହେବା ସମୟରେ ଯେଉଁମାନେ ମୋର ଗଳ୍ପପ୍ରତି ଆଦର ପ୍ରକାଶ କରିଥିଲେ ଆଜି ସେହି ଗଳ୍ପଗୁଡ଼ିକରୁ କେତେକ ପୁସ୍ତକାକାରରେ ପ୍ରକାଶ ପାଇବାବେଳେ ସେମାନଙ୍କର ସହାନୁଭୂତି ଆଶାକରିବା ମୋ ପକ୍ଷରେ ଅସୀମଚୀନ ନୁହେଁ ।

 

କଟକ

ବିନୀତ

ତା ୨୦ । ୧୦ । ୧୯୬୨

–ଲେଖକ–

★★★

 

ସୂଚୀପତ୍ର

 

୧.

ଅତୀତ

୨.

ଅପରାଜିତା

୩.

ଯାତ୍ରାପଥ

୪.

ସେ ଚାଲିଛି

୫.

ଆଭିଜାତ୍ୟ

୬.

ମନ ଓ ମମତା

୭.

ଦାନ

୮.

ଗଣନା

୯.

ଘଟଣା

୧୦.

ଶେଷନାହିଁ

୧୧.

ଗୋବର୍ଦ୍ଧନ

୧୨.

ଝଡ଼

୧୩.

ପରାଜୟ

୧୪.

ଭୁଲ୍‍

୧୫.

ପୂର୍ଣ୍ଣଛେଦ

୧୬.

ଚନ୍ଦ୍ରବିମ୍ୱ

★★★

 

ଅତୀତ

 

ପୁନେଇଁ ରାତିରେ ତୋଫା ଜହ୍ନ ଆଲୁଅରେ ବି ମନଟା କିମିତି କିମିତି ଲାଗେ—ପବନ ଜୋରରେ ବହେ, ଗଛପତ୍ର ହଲିଯାଏ ଗଛ ତଳର ଜହ୍ନ ଆଲୁଅ ମିଶା ଛାଇ ବି ସେମିତି ଚହଲିଯାଏ-। ମନତଳେ ଫିକା ଫିକା ଅବସାଦ ଆସେ । ଝରକାବାଟଦେଇ ବାହାରର ପ୍ରକୃତିକୁ ଉପଭୋଗ କରିବା ଆଶାରେ ଯେତେ ଅନେଇଲେ ବି ମନରେ ଆଶ୍ୱାସନା ଆସେନା—କାହିଁକି ? ରାତିଟା ସେମିତି ପାହି ଯାଏ ସକାଳର ଧୀର ପବନରେ ନିଦ ଭାଙ୍ଗି ଅଳସ ଅଙ୍ଗ ମୋଡ଼ିବା ଇଚ୍ଛାରେ ବାରଣ୍ଡା ତଳକୁ ସ୍ଥଳପଦ୍ମ ଫୁଲଗୁଡ଼ିକ ଯେମିତି ଚହଲି ଯାଆନ୍ତି ତାଙ୍କୁ ଦେଖିଲେ ବି ମନରେ କିଛି ପରିବର୍ତ୍ତନ ଆସେନା, ଖାଲି ସେଇ ଅବସାଦ !

 

ଆଷାଢ଼ର ଘନଘଟା ଆକାଶ ଉପରେ ଆଖିରଖେ-କଳାକଳା ବଉଦ ମାଳମାଳ ହୋଇ ଭାସି ଚାଲନ୍ତି—ଖାଲି ଅନେଇ ରହେ ସିନା କିଛି କରିପାରେନି । ଆଖି ମୋର ଓଦା ହୋଇଆସେ–ସୃଷ୍ଟିର ଏ କି ବୈଚିତ୍ର୍ୟ ? କାହିଁକି ଏ ବିଷାଦ ?

 

ସବୁତକ ଅତୀତରେ ହଜେଇ ଦେଇଛି ମୁଁ—ମୋର ହୋଇ ମୋ ପାଖରେ କିଛି ନାହିଁ । ଅନ୍ୟର ହାତକୁ ସବୁ ଦେଇ ଦେଇଛି । ସେଥିପାଇଁ କ’ଣ ମନରେ ଏ ବିଷାଦ ? ଯାହାହେଉ ତଥାପି ଅତୀତକୁ ତା’ ବାଟରେ ଯିବାପାଇଁ ଦେଇ ଆଗାମୀ ଜୀବନକୁ ସଜାଡ଼ି ନେଲେ କ’ଣ ହୁଅନ୍ତା ନାହିଁ-? ବହୁତ ଚେଷ୍ଟାକରେ, କିନ୍ତୁ ପାରେନା କାହିଁକି ? ଅତୀତର ସେଇ ଅପାଶୋରା ସ୍ମୃତି ମୋତେ ବାଟବଣା କରେ—କିଛି ମୁଁ ଠିକ୍‌ କରିପାରେନା !

 

ଯାହାଥିଲା ମୋର ସବୁ ମୁଁ ଅଜାଡ଼ି ଦେଇଛି ତାଙ୍କରି ପାଦତଳେ—ପାଇଛନ୍ତି ସେ—କିନ୍ତୁ ହରେଇଛି ମୁଁ । ହରେଇବା ଜିନିଷ ଫେରି ଆସିପାରେ ମାତ୍ର ମୋ ପକ୍ଷରେ ନୁହେଁ–ଅସମ୍ଭବ-।

 

ପୁଣି ଅତୀତ ଗୁମୁରି ଉଠେ—ଅତୀତର ସେ ମଧୁମୟ ଦିନଗୁଡ଼ିକ କେତେ ସ୍ମୃତିଭରା ପାସୋରିବି କିମିତି ତାକୁ ? ଉତ୍ତଳା ଚଇତାଳି ପବନ ଯେମିତି ବହିଚାଲେ ମନ ମୋର ଠିକ୍‌ ସେମିତି ଚାଲିଥିଲା କେଉଁ ଦୂର ରାଇଜ ଆଶାରେ । ମନ ଉପରେ ଯୌବନର ପ୍ରଭାବ-କେତେ କଳ୍ପନା କେତେ ଆଶା, କେତେ ସ୍ୱପ୍ନ; ବେଳାର ଗୁଞ୍ଜନ ମୋତେ ପାଗଳ କରିଥିଲା ସବୁଦିନେ ଧାଇଁଯାଏ ମୁଁ, ବେଳାର ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ନିଜକୁ ହଜେଇ ଦେବାପାଇଁ ମନ ମୋର ବାତୁଳ ହୋଇଉଠେ; ଧଳାଧଳା ବାଲି ଉପରେ ବସି ପଡ଼େ । ଦରିଆ ଆରପାରିର ବୁଡ଼ି ଯାଉଥିବା ସୂର୍ଯ୍ୟକୁ ଅନେଇ ରହେ—ଦରିଆର ଅସରନ୍ତି ଲହରୀ ଆଖି ଆଗରେ ନାଚୁଥାଏ—ସୁନ୍ଦର, ସବୁ ସୁନ୍ଦର ।

 

ଏମିତି ହଠାତ୍‌ ଦିନେ ସେଇ ବେଳାଭୂଇଁରେ ମୋର ଦେଖା ହୁଏ । ତାଙ୍କ ସାଙ୍ଗରେ, ମନୋଜବାବୁ । ପହିଲି ଦେଖାରେ ବି ମନରେ କିମିତି ଗୋଟାଏ ଚମକ ଆସିଥିଲା, ଅନ୍ତରର କେଉଁ ନିରୋଳା ନିଭୃତରୁ ମିଳନର ସଙ୍କେତ ଭାସି ଆସିଥିଲା । ଅନ୍ତର ଭିତରେ ଅନେକ ଅଛି ଅନୁଭବ କରିଥିଲେ ହେଁ ମୁହଁରେ କିଛି କହି ପାରିନଥିଲି—ସେ ଯେତେବେଳେ ମୋତେ ଜାଣିଥିଲେ କି ନା କହିପାରିବି ନାହିଁ, କିନ୍ତୁ ମୁଁ ତାଙ୍କୁ ତା’ ପୂର୍ବରୁ ଜାଣେ ଆମରି ବସାର ଆରପାଖ ବସାରେ ରହୁଥିଲେ ସେ । ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ସେ ଆସିଥିଲେ । ଦିନେ ଖରାବେଳେ ସେ ଆସିଲେ ଆମ ବସାକୁ–ମୋ ପାଖକୁ ନୁହେଁ, ବାପାଙ୍କ ପାଖକୁ । କ’ଣ ଗୋଟାଏ ଔଷଧ ତାଙ୍କର ଦରକାର ଥିଲା–ମୋତେ ବାପାଙ୍କ ବୈଠକଖାନାରେ ଦେଖି ହଠାତ୍‌ ଫେରି ଯାଉଥିଲେ । କିନ୍ତୁ ସବୁ ଲାଜ ସଙ୍କୋଚ ଛାଡ଼ି ମୁଁ ତାଙ୍କୁ ଡାକିଲି, ବସନ୍ତୁ–‘‘ବାପା ଭିତରେ ଅଛନ୍ତି ଡାକି ଦେଉଛି ।’’ ସେଇ ଦିନଠାରୁ ମନରେ ମୋର ଗୋଟାଏ କିମିତି ଧାରଣା ଆସିଲା, ବାସ୍ତବରେ ହୃଦୟ ଯଦି ଚାହେଁ ତେବେ ଚାହିଁବା ଜିନିଷ ନିଶ୍ଚୟ ପାଖେଇ ଆସିବ ।

 

ଆସିଲେ ସେ—ମୋରି ମନ ରାଇଜର ଅଜେୟ ଦୁର୍ଗକୁ ଅଧିକାର କରିଗଲେ । ଆମର ସମ୍ୱନ୍ଧ ଘନୀଭୂତ ହୋଇ ସାରିବା ପରେ ସେଇ ବେଳାଭୂଇଁର ଅପାଶୋରା ସୌନ୍ଦର୍ଯ୍ୟ ରାଶି ଭିତରେ ମଜ୍ଜି ରହି କେତେ ସମୟ ବିତେଇ ଦେଇଛୁ ଆମେ ଦୁହେଁ କେତେଥର ତାଙ୍କ କୋଳରେ ମଥାରଖି ଆକାଶର ଚାନ୍ଦକୁ ଚାହିଁ କେତେ କଳ୍ପନାର ସଉଧ ଗଢ଼ି ଚାଲିଥିଲି ମୁଁ–ସେ ଯେମିତି ଦିନ ଭିତରେ ମୋତେ ଥରେ ଦି ଥର ନ ଦେଖିଲେ ପାଗଳ, ଆଉ ମୁଁ ବି ଠିକ୍‌ ସେମିତି ।

 

ହଠାତ୍‌ ଏସବୁକୁ ଦୂରକୁ ଠେଲିଦେଲା ବାପାଙ୍କର ବଦଳି–ବାପାଙ୍କ ସଙ୍ଗେ ମୋତେ ଯିବାକୁ ହେଲା କୋରାପୁଟ । କୋରାପୁଟର ସେଇ ପାହାଡ଼ିଆ ଅଞ୍ଚଳ ଭିତରେ ମନ ଭିତରେ ମୋର ବେଳେବେଳେ ଗୁମୁରି ଉଠେ ସେଇ ହଜିଲା ଦିନର ସ୍ମୃତି । ସେଇ କୋରାପୁଟରେ ଆରମ୍ଭ ହେଲା ମୋ ଜୀବନର ଦ୍ୱିତୀୟଅଧ୍ୟାୟ—ବାପା ମୋର ବିବାହ ପାଇଁ ଆଗରୁ ବ୍ୟସ୍ତ ଥିଲେ–ହଠାତ୍‌ ସ୍ଥିର ହେଲା ବାଲେଶ୍ୱରରେ । ମନ ଭିତରେ ଇଚ୍ଛା ନଥିଲେ ମଧ୍ୟ ମୁହଁ ଖୋଲି ବାପାଙ୍କୁ କିଛି କହିପାରିଲି ନାହିଁ । କାରଣ ବୋଉର ମୃତ୍ୟୁପରେ କେବେହେଲେ ତାଙ୍କ ମନରେ କଷ୍ଟଦେବାକୁ ତାଙ୍କ ଇଛାରେ ବାଧା ଦେଇନାହିଁ–ସେଦିନ ଫଗୁଣର ଗୋଟାଏ ମଧୁମୟ ମୁହୂର୍ତ୍ତରେ ହାତ ମୋର ଛନ୍ଦି ଦିଆଗଲା ଆଉ ଜଣକର ହାତସଙ୍ଗେ—ଜୀବନରେ ଯାହାଙ୍କୁ ସ୍ୱାମୀରୂପେ ପାଇଲି ସେ ଜଣେ ଡେପୁଟିକଲେକ୍ଟର । ସ୍ୱାମୀ ହିସାବରେ ସେ ମୋତେ ଯାହା ତାଙ୍କର ଦେବାର କଥା ଦେଇଛନ୍ତି–ମୋ ମନର ଦୁଃଖ ଦୂର କରିବାକୁ କେତେ ଚେଷ୍ଟା ସେ କରିଛନ୍ତି—କେବଳ ତାଙ୍କୁ ଖୁସି କରିବାକୁ ମୁଁ ମୁହଁରେ ହସିଦିଏ ସିନା କିନ୍ତୁ ଅନ୍ତର ମୋର କାନ୍ଦି ଉଠେ—ପୁଣି ବେଶୀ ଦୁଃଖ ହୁଏ, ମୋର ଇହକାଳ ଆଉ ପରକାଳର ଯେ ମୋର ଦେବତା ତାଙ୍କ ପାଖରେ ମୁଁ ଛଳନା କରୁଛି—ଦୋଷ କାହାର ?

 

ବାହାଘରର ଆଠ ଦଶ ଦିନ ପରେ ମଞ୍ଜୁ ଆସି କହିଲେ ‘ସାନଭାଇ ଆଜି ଫେରିବେ ଆଗ୍ରାରୁ’ । ତାଙ୍କର ଆଉ ଗୋଟିଏ ସାନ ଭାଇ ଅଛନ୍ତି ବୋଲି ମୁଁ ଜାଣିଥିଲି । ତାଙ୍କର ପରୀକ୍ଷା ଯୋଗୁଁ ବାହାଘରକୁ ଆସି ପାରିନଥିଲେ । ମଞ୍ଜୁଙ୍କୁ ତାଙ୍କ ନାଆଁ ପଚାରିଲି । ‘‘ମନୋଜ’’—ଏଇ ନାଆଁଟା ମନ ଭିତରେ ମୋର ସୃଷ୍ଟି କଲା ଚମକ—ହଠାତ୍‌ ଝାଉଁଳି ପଡ଼ିଲି ମୁଁ ।

 

‘‘କ’ଣ ଏମିତି ଝାଉଁଳି ପଡ଼ିଲ ଯେ ନୂଆଉ ?’’

 

‘‘ନା–ନା–ସେ କିଛି ନୁହେଁ ।’’

 

‘‘ତୁମେ ଜାଣିନା ନୁଆଁଉ ସାନଭାଇଙ୍କି—ବଡ଼ ଖୋଲାମଣିଷ ସେ, ଥରେ ଦେଖିଲେ ତାଙ୍କୁ ନିଜର କରି ନେଇ ପାରିବ ।’’

 

ଏଇ କଥା ଭିତରେ ବଡ଼ ବ୍ୟସ୍ତ ହୋଇପଡ଼ିଥିଲି ମୁଁ—ମନୋଜ–ପୁଣି ମଞ୍ଜୁଙ୍କର କଥା, ନିଜର କରି ନେଇ ପାରିବ–ତେବେ କ’ଣ ସେ...ଆଉ ଭାବି ପାରିଲିନି ବେଶୀ କିଛି ନା ସେ ତ କେବେ ମୋତେ ତାଙ୍କ ଘର କଥା କହି ନଥିଲେ ତେବେ କ’ଣ...

 

ସଞ୍ଜବେଳେ ଆସିଲେ ମନୋଜ—ସଙ୍ଗରେ ମଞ୍ଜୁ–ମନୋଜ ଆସି ସିଧାସଳଖ ଭାବରେ ନମସ୍କାରଟିଏ କରି ଠିଆ ହେଲେ ସଞ୍ଜର ଛପିଲା ଅନ୍ଧାରରେ । ସେ ମୋତେ ଦେଖି ପାରୁନଥିଲେ ମଧ୍ୟ ମୁଁ ଯେ ତାଙ୍କୁ ଚିହ୍ନି ପାରିଥିଲି । ମଞ୍ଜୁ ଚାଲିଗଲେ, ମୁଁ କହିଲି,—‘‘ଏମିତି ଠିଆ ହୋଇ ରହିଲ ଯେ—ବସ’’—ବସିଲେ ସେ ଆଉ ଥୟ ଧରିବାର ଶକ୍ତି ମୋର ନଥିଲା । ‘‘ନୂଆ’ଉ–ଆରେ ତମେ ପୁଣି ଏମିତି କାନ୍ଦିଲ ଯେ’’ ? ମୋତେ ବୁଝାଇବାକୁ ଯାଇ ଯେତେବେଳେ ସେ ମୋ ମୁହଁକୁ ଦେଖି ପକାନ୍ତି, ହଠାତ୍‌ ପଛକୁ ଘୁଞ୍ଚିଗଲେ ଆଉ ଫେରି ପଡ଼ି ଚାଲିଗଲେ–ସେଦିନର ସେ ମୁହୂର୍ତ୍ତ ଜୀବନରେ ଭୁଲିବା ମୋ ପକ୍ଷେ ଅସମ୍ଭବ–ତା’ ପରଦିନ ସେ ପୁଣି କହିଲେ ଯେ ଅତୀତକୁ ପଛକୁ ପକାଇ ସେ ସବୁକିଛି ଭୁଲି ଯାଇ ପାରିବେ–ସେଥିପାଇଁ ଦୁଃଖ କରିବା ଅନୁଚିତ, ସେହି ଦିନଠୁ ବାସ୍ତବରେ ସେ ମୋତେ ତାଙ୍କ ବ୍ୟବହାରରେ କିଣି ନେଲେ କହିଲେ ଚଳେ-। ସ୍ୱାମୀ ଆମର ଏପରି ଚାଲି ଚଳନରେ ଆନନ୍ଦିତ ହୁଅନ୍ତି । ଆଉ ସେ ଭାବନ୍ତି ମୁଁ ଅତ୍ୟନ୍ତ ସୁଖୀ, କିନ୍ତୁ ପ୍ରକୃତରେ ମୁଁ କ’ଣ ସୁଖୀ ? ମନେଅଛି ଥରେ ସ୍ୱାମୀ ମୋତେ ପଚାରିଥିଲେ ‘‘ମନୋଜ ସଙ୍ଗେ ତୁମେ ଯେତେ ଆନନ୍ଦରେ ଚଳୁଛ ତା’ ଦେଖି ମୁଁ ବଡ଼ ସୁଖୀ, ଆଚ୍ଛା କହି ପାରିବ, ମୋତେ ନ ପାଇ ମନୋଜକୁ ସ୍ୱାମୀ ରୂପେ ପାଇଥିଲେ ତୁମେ କେତେ ସୁଖୀ ହୋଇଥାଆନ୍ତ ? ତାଙ୍କର ଏ ଲକ୍ଷ୍ୟହୀନ ପ୍ରଶ୍ନ ହୃଦୟକୁ ମୋର ଆଘାତ ଦେଇଥିଲା—ତଥାପି ମୁଁ କିଛି ଉତ୍ତର ଦେଇ ପାରିନଥିଲି-।’’

 

ସେଦିନ ଯାଇଛି—ଆଜି ଆଉ ଭାବିବାର ଅବକାଶ ନାହିଁ—ଅତୀତ ଉପରେ କେତେ ଅଶ୍ରୁ ବର୍ଷଣ କରିବି ? ମନୋଜ ମଧ୍ୟ କେବେହେଲେ ମୋର ଅବାଧ୍ୟ ହୋଇନାହାନ୍ତି । ମୋ ପାଖରେ ସେ ସତେ ଯେପରି ସରଳ ଶିଶୁ । ତାଙ୍କରି ପାଇଁ ମୁଁ ବାଛିଛି ନନ୍ଦାକୁ–ରାତି ପାହିଲେ ବାହାଘର । ମନୋଜ କେତେ ଖୁସି ହେବେ ନନ୍ଦାକୁ ପାଇ—ସୁନ୍ଦରୀ ଆଉ ଶିକ୍ଷିତା ନନ୍ଦା, ସେ ପାଇବ ମନୋଜଙ୍କୁ–କିନ୍ତୁ ତାଙ୍କୁ ପାଇଥିଲେ ମୁଁ ଯେତିକି ସୁଖୀ ହୋଇ ପାରିଥାଆନ୍ତି, ନନ୍ଦା କ’ଣ ସେତିକି ସୁଖୀ ହେବ ? ନନ୍ଦା ଯଦି ଅତୀତ ଜୀବନର ସନ୍ଧାନ ପାଏ ତେବେ କ’ଣ ସେ ପ୍ରାଣ ଦେଇ ମନୋଜକୁ ଭଲପାଇ ପାରିବ ? ନା—କାହିଁକି ଆଉ ମନରେ ଏ ଭାବନା ଆଣିବି ? ଏଇ ଯେ ମଙ୍ଗଳ ପାକର ଶୁଭ ଶଙ୍ଖ ବାଜି ଉଠିଲାଣି । ଶାଶୁ ଡାକିଲେଣି, ‘‘କ’ଣ ବସି ଭାବୁଛୁ ମଙ୍ଗନ ବସିବ ପରା—ଟିକିଏ ଏଆଡ଼େ ଆ ରେ ମା’ ।’’

 

ଭୁଲିଗଲି ସବୁ–ଏଇ ମନୋଜଙ୍କର ଶୁଭ ବିବାହର ମାଙ୍ଗଳିକ–ମନୋଜ, ଦାମ୍ପତ୍ୟ ଜୀବନ ତୁମର ମଙ୍ଗଳମୟ ହେଉ । ମନୋଜ ଏତିକିବେଳେ ସେ ବାଟେ ପଶି ଆସିଲେ–ହଠାତ୍‍ ମୋତେ ଦେଖି ଫେରି ପଡ଼ିଲେ–କାଲି ଯେ ତାଙ୍କ ଜୀବନ ରଙ୍ଗମଞ୍ଚରେ ଆରମ୍ଭ ହେବ ଏକ ନୂତନ ନାଟକ–ଆଜି ଯେ କେବଳ ତା’ର ଅଙ୍କ ସଂଯୋନା—ପୁଣି ଫେରି ଆସି ମନୋଜ ଡାକିଲେ ନୂଆ’ଉ-। ତାଙ୍କର ଏଇ ଡାକରେ ଭାବନାର ସୁତାଖିଅ ଛିଡ଼ିଗଲା ମୋର–ତାଙ୍କୁ ଦେଖି କାମରେ ଲାଗି ପଡ଼ିଲି-।

 

ମନୋଜ ଆଉ ଅତୀତ, ଏଇ ଦୁହେଁ ମୋ ମନରେ ଆଣିଛନ୍ତି ପ୍ରଳୟ—ତାକୁ ଭୁଲିବି କିମିତି ? ନନ୍ଦାର ସ୍ନେହମୟ ବ୍ୟବହାରରେ ଆତ୍ମହରା ହୋଇପଡ଼ିଲା ବେଳେ ମୁଁ ଭାବେ ବାସ୍ତବରେ ମୁଁ ତା’ ପ୍ରତି ଅନ୍ୟାୟ କରିଛି । ସେଇ ସୁଖର ବେଷ୍ଟନୀ ଭିତରେ ପୁଣି ମୁଁ ଅତୀତକୁ ଫେରିଯାଏ, ସେଇ ଅତୀତ ମୋତେ ଯନ୍ତ୍ରଣା ଦିଏ । ତଥାପି ମୁଁ ତା’କୁ ଭୁଲି ପାରେନି ।

 

ଅତୀତ, ସୀମାହୀନ ସେ ।

★★★

 

ଅପରାଜିତା

 

ମନେଅଛି, ଠିକ୍‍ ଦଶଟିବର୍ଷ ତଳେ ପୂଜାରେ ଦୁର୍ଗାଙ୍କ ଆଗରେ ଠିଆହୋଇ ଗୋଟିଏ ମାତ୍ର ବର ମାଗିଥିଲା ଚନ୍ଦ୍ରିକା—ସେଇ ବର କାମନା କରି ହାତରେ ଅଞ୍ଜଳି ଭରି ଫୁଲ ଦେଇଥିଲା ଦୁର୍ଗାଙ୍କ ଚରଣରେ–ସେଦିନ ସେ କହିଥିଲା, ‘‘ମା’, ଆଜି ତୋରି ଚରଣରେ ଏ ଅପରାଜିତା ଫୁଲର ଅଞ୍ଜଳି ଅଜାଡ଼ି ଦେଉଛି—ଏଇ ଅପରାଜିତା ନାମର ସାର୍ଥକତା ପ୍ରତିପାଦନ କରି ଅପରାଜିତା ଫୁଲ ପରି ମୋତେ ଅପରାଜିତା କର–ସେତିକି ମୋର ତୋ ପାଖରେ ମାଗୁଣି—’’। ତା’ପରେ ଦଶଥର ମା’ ଆସିଛନ୍ତି—ତାଙ୍କର ପୂଜା ଅର୍ଚ୍ଚନା ଦଶଥର ଶେଷ ହୋଇଛି–ଦଶବର୍ଷ ତଳେ ମା’ଙ୍କ ପାଦପାଖରେ ଯେଉଁ ମିନତି ସେ ବାଢ଼ିଥିଲା ସେ ମିନତି କ’ଣ ତା’ର ପୂରଣ ହେଇଚି ? ଭାବୁଛି ଚନ୍ଦ୍ରିକା, ମଣିଷ ଏମିତି କାମନା କରେ ସମୟର ଆବର୍ତ୍ତରେ ପଡ଼ି—ପୁଣି ସମୟର ଆବର୍ତ୍ତରେ ପଡ଼ି ସେଇ କାମନାର ବିରୁଦ୍ଧାଚରଣ ସେ କରେ–ମଣିଷ ମନର କାମନା ବାସନା କେବଳ ସାମୟିକ ପରିବେଶର ପ୍ରଭାବରେ ଅବେଳରେ ମିଳେଇ ଯାଏ ।

 

ସେଇ ବର୍ଷ ପୂଜା ପରେ ଚନ୍ଦ୍ରିକା ଅନେକାଂଶରେ ଆସ୍ୱସ୍ତି ଅନୁଭବ କରିଥିଲା—ତା’ର ଜୀବନର ଯେଉଁଟି ସବୁଠାରୁ ବଡ଼ ପ୍ରଶ୍ନ ସେଇ ପ୍ରଶ୍ନଟିକୁ ସତେଯେମିତି ସେ ଅତି ସହଜରେ ସମାଧାନ କରି ଦେଇଛି–ଜୀବନ ବିଷୟରେ ଆଉ ଚିନ୍ତା କରିବାର ତା’ର କିଛି ନାହିଁ-ସେଦିନ ଯେଉଁ ମନ ନେଇ ସେ ଏକଥା ଭାବୁଥିଲା ସେ ମନ ତା’ର ଆଜି କାହିଁ ?

 

ସେଇ ଦଶବର୍ଷତଳେ ଏମିତି ଗୋଟାଏ କାମନା ମନରେ ପୋଷଣ କରିବାକୁ ଚନ୍ଦ୍ରିକା ବାଧ୍ୟ ହୋଇଥିଲା-ସେତେବେଳେ ତା’ ଆଗରେ ଥିଲା ଗୋଟାଏ ବଡ଼ ଦ୍ୱନ୍ଦ୍ୱ-ସେ ଦ୍ୱନ୍ଦ୍ୱ ଦୁଇଟି ଜୀବନକୁ ନେଇ—ଦୁଇଟି ଯାକ ତା’ର ଅତି ପ୍ରିୟ, ଅତି ଆଦରର—ସେଥିରୁ ଗୋଟିକୁ ବାଦ ଦେବା ଥିଲା ତା’ ପକ୍ଷରେ ଏକାବେଳକେ ଅସମ୍ଭବ-ଗୋଟିକର ଆକର୍ଷଣ ତା’ ଜୀବନକୁ ଯେମିତି ଦୁର୍ବଳ କରିଥିଲା, ଅନ୍ୟଟିର ଉପଦେଶ ତା’ ଜୀବନକୁ ସେତିକି ସବଳ କରିଥିଲା । ଏମିତି ଦ୍ୱନ୍ଦ୍ୱ ଭିତରେ ଗତି କରି ସେ ଠିକ୍‍ କରିପାରିନଥିଲା କେଉଁଟି ତା’ ପକ୍ଷରେ ଗ୍ରହଣୀୟ ।

 

ସଙ୍ଗୀତ ସାଧନାର ଗୁରୁ ସୁମନ୍ତ ଆଉ ସହଚର ଦୁଷ୍ମନ୍ତ—ଏଇ ଦୁହେଁ ସେତେବେଳେ ଚନ୍ଦ୍ରିକାର ଜୀବନରେ ଥିଲେ ଦୁଇଟି ପ୍ରଶ୍ନବାଚୀ । ଚନ୍ଦ୍ରିକାର କଳା ସାଧନାରେ ଚନ୍ଦ୍ରିକାର ଗୁରୁ ହିସାବରେ ସୁମନ୍ତ ଯେତିକି ଗର୍ବ ଅନୁଭବ କରନ୍ତି ଚନ୍ଦ୍ରିକାର ବନ୍ଧୁ ହିସାବରେ ଦୁଷ୍ମନ୍ତ ସେତିକି ଆନନ୍ଦ ମଧ୍ୟ ପାଆନ୍ତି— ।

 

ଚନ୍ଦ୍ରିକା ଆଉ ଦୁଷ୍ମନ୍ତ । ଦୁହେଁ ସୁମନ୍ତଙ୍କର ଶିଷ୍ୟ-ଦୁହେଁ ସୁମନ୍ତଙ୍କର ସ୍ନେହାଧୀନ । ତଥାପି ସୁମନ୍ତ କଳାର ବିଚାରରେ ଚନ୍ଦ୍ରିକା ଆଉ ଦୁଷ୍ମନ୍ତଙ୍କ ବ୍ୟକ୍ତିଗତ ଜୀବନକୁ ଭୁଲି ଯାଇଥିଲେ । ଦୁଷ୍ମନ୍ତ ଯେତେବେଳେ ଚନ୍ଦ୍ରିକାର ଅତି ନିକଟକୁ ପାଖେଇ ଆସୁଥିଲେ ଆଉ ସୁମନ୍ତ ଯେତେବେଳେ ଜାଣିପାରିଲେ ଯେ ଚନ୍ଦ୍ରିକା ମଧ୍ୟ ଦୁଷ୍ମନ୍ତଙ୍କ ପ୍ରତି ଆକୃଷ୍ଟ ସେତେବେଳେ ସେ ଚନ୍ଦ୍ରିକାକୁ ସାବଧାନ କରି ଦେଇଥିଲେ–ସେ ଚନ୍ଦ୍ରିକାର ପ୍ରତିଭାକୁ ଅଯଥାରେ ନଷ୍ଟ ହେବାକୁ ଚାହିଁନଥିଲେ । ଚନ୍ଦ୍ରିକା ଯେତେବେଳେ ନିଜର ମନ ପ୍ରାଣ ଦେଇ ସ୍ୱର ସଂଯୋଜନ କରି ବସେ ସେତେବେଳେ ଦୁଷ୍ମନ୍ତ ତାକୁ ପ୍ରାଣ ଦେଇ ଅନୁଭବ କରିଯାଆନ୍ତି । ଦୁଷ୍ମନ୍ତ ଯେତେବେଳେ ସେମିତି ସ୍ୱର ସଂଯୋଜନ କରନ୍ତି ଚନ୍ଦ୍ରିକା ସେତେବେଳେ ସେଥିରେ ନିଜକୁ ହଜାଇ ଦିଏ । କଳାର ପୂଜାରୀ ହିସାବରେ ଦୁହେଁ କେଉଁଦିନ ପରସ୍ପର ଏତେ ନିକଟକୁ ଚାଲି ଆସିଛନ୍ତି ତା’ ଦୁହଁଙ୍କୁ ଜଣାନାହିଁ–ଅନ୍ତରର ଅବ୍ୟକ୍ତ ଭାଷା କେବଳ କଳାର ମାଧ୍ୟମରେ ଦୁହିଁଙ୍କ ପାଖରେ ଅଭିବ୍ୟକ୍ତ ଲାଭ କଲା ।

 

ଦିନେ ଚନ୍ଦ୍ରିକା ଦୁଷ୍ମନ୍ତଙ୍କ ସ୍ୱରରେ ଏତେ ମୁଗ୍‌ଧ ହୋଇ ପଡ଼ିଥିଲା ଯେ ସେ ନିଜକୁ ଆଉ ପ୍ରକାଶ ନ କରି ରହି ପାରିଲା ନାହିଁ-ସେଦିନ ସେ କହିଥିଲା, ‘‘ଦୁଷ୍ମନ୍ତ, ସାରା ଜୀବନ ତୁମ ମୁହଁରୁ ଏଇ ସଙ୍ଗୀତର ଧାରା ଶୁଣିବାରୁ ମୋତେ ଯେମିତି ବଞ୍ଚିତ ନ କର’’—ଉତ୍ତରରେ ଠିକ୍‍ ସେଇ କଥା କହିଥିଲେ ଦୁଷ୍ମନ୍ତ ।

 

ତା’ପରେ ଆଉଦିନେ ଦୁଷ୍ମନ୍ତ ଚନ୍ଦ୍ରିକାକୁ କହିଥିଲେ, ‘‘ଚନ୍ଦ୍ରିକା, ମୋର ଚଲାପଥ କଣ୍ଟକମୟ, ସେଥିରେ ତୁମ ପରି କୋମଳାଙ୍ଗୀର ଗତି ଅସମ୍ଭବ-ତୁମ ଚଲା ପଥ ଭିନ୍ନ-ତୁମର ମୋର ମିଳନ ଅସମ୍ଭବ-ତେବେ ତମେ ନିଶ୍ଚିନ୍ତ ରହିପାର ଜୀବନରେ ଯେପରି ଅବସ୍ଥାରେ ଥିଲେହେଁ, ଯେତେଦୂରରେ ଥିଲେହେଁ, ତୁମରି ପୂଜା କରିବ ଗରିବ କଳାକାର ଦୁଷ୍ମନ୍ତ ।’’ ଚନ୍ଦ୍ରିକା ଏହାର ଉତ୍ତରରେ କହିଥିଲା, ‘‘ପଥ ତମର କଣ୍ଟକମୟ ତା’ ମୁଁ ଜାଣେ ହେଲେ ସେ କଣ୍ଟକମୟ ପଥରେ ତୁମେ ଏକା ବୋଲି କେବେହେଲେ ନିଜକୁ ଭାବିବିନି–ଜୀବନରେ ମୋତେ ଯେ କୌଣସି ଅବସ୍ଥାକୁ ଠେଲି ଦେବାକୁ ତମେ ଆଜି ପ୍ରସ୍ତୁତ ମାତ୍ର ମୁଁ ପଚାରେ କି ଅଧିକାର ନେଇ ତମେ ଚନ୍ଦ୍ରିକାର ପୂଜାରୀ ହେବ ? ପୁଣି ମଧ୍ୟ ମୁଁ ପଚାରେ, ଅପାତ୍ରରେ ଏଦାନ କାହିଁକି କଲ ?’’

ମନଭିତରର ଆନ୍ଦୋଳନ ନେଇ ସେଦିନ ଚନ୍ଦ୍ରିକା ଗୋଟିଏ ବିଷାଦ ରାଗିଣୀର ସୁର ତୋଳିବାକୁ ଚେଷ୍ଟା କଲା-ମାତ୍ର ସେ ଯେତେ ଚେଷ୍ଟା କଲେ ହେଁ ପାରିଲା ନାହିଁ—ସବୁ ତା’ର ଗୋଳମାଳିଆ ହୋଇଗଲା—ତା’ର ଏଇ ଚେଷ୍ଟା ଆଉ ଅକ୍ଷମତାକୁ ତା’ର ଅଜ୍ଞାତସାରରେ କେତେବେଳୁ ସୁମନ୍ତ ଆସି ଲକ୍ଷ୍ୟ କରୁଥିଲେ ସେ ଜାଣେନି— ।

ହଠାତ୍‌ ପାଖରୁ ସୁମନ୍ତ ଡାକିଲେ—

ଚନ୍ଦ୍ରିକା—

ଫେରି ଚାହିଁଲା ଚନ୍ଦ୍ରିକା—ଆଗରେ ସୁମନ୍ତ-ପୁଣି ସୁମନ୍ତ ପଚାରିଲେ—

ପାରିଲନି ?

ନା–ମୁଁ ଜାଣେ ଚନ୍ଦ୍ରିକା ଆଉ ତମେ ପାରିବନି—ଅନେକ ଦିନୁ ତମର ଏ ପରିବର୍ତ୍ତନ ମୁଁ ଲକ୍ଷ୍ୟ କରିଚି । ତମେ କଳା ସାଧନାରେ ଅନ୍ୟାୟ କରୁଚ—ସାଧନଟା ଏତେ ସହଜ ନୁହେଁ—ତୁମକୁ ମୋର ଆଜି ଗୋଟିଏ ପ୍ରଶ୍ନ—ଜୀବନରେ ତମେ କ’ଣ ଚାହଁ ? କଳା ନା ଉପଭୋଗ ? ଭାବିଚିନ୍ତି ଉତ୍ତର ଦିଅ–ଗୋଟିକୁ ପାଇବାକୁ ହେଲେ ଆଉ ଗୋଟିକୁ ଛାଡ଼ିବାକୁ ପଡ଼ିବ–ଦୁଇଟିଯାକ କେବେହେଲେ ତମେ ଏକାଠି ପାଇ ପାରିବ ନାହିଁ ।

ଚିନ୍ତା କଲା ଚନ୍ଦ୍ରିକା—ଗୋଟିଏ ପାଖରେ ତା’ର କଳାର ସାଧନା ଆଉ ଗୋଟିଏ ପାଖରେ ଦୁଷ୍ମନ୍ତ, ତା’ର ଜୀବନ । ଗୋଟିକର ବିସର୍ଜନ ଆବଶ୍ୟକ । ସେଦିନର ଦୁଷ୍ମନ୍ତଙ୍କ ବିଷାଦ ବୋଳା ମୁହଁର କରୁଣ ଅଭିବ୍ୟକ୍ତି-ଆଉ ସେ ଭାବିପାରିଲାନି । ସେ କେବଳ ଏତିକି ଭାବିଲା, ଦୁଷ୍ମନ୍ତଙ୍କର ଚଲାପଥ କଣ୍ଟକମୟ, ତଥାପି ସେଥିରେ ହସି ହସି ଅଗ୍ରସର ହେବାର ସାହସ ତାଙ୍କର ଅଛି ସେ ଯଦି ଆଜି ଜାଣି ଜାଣି ତା’ ଜୀବନର ସବୁ ଉପଭୋଗରେ ଜଳାଞ୍ଜଳି ଦେଇ ତା’ ଚଲାପଥକୁ କଣ୍ଟକମୟ କରି ତୋଳେ ତେବେ ସେଥିରେ କ୍ଷତି କ’ଣ ? ଉତ୍ତର ଦେଲା ଚନ୍ଦ୍ରିକା—

ମୁଁ ଚାହେଁ କଳା—

ବେଶ୍‌ ତେବେ ତୁମକୁ ଆଉ ଗୋଟିଏ କାମ କରିବାକୁ ପଡ଼ିବ ।

 

କହନ୍ତୁ ।

 

ଦୁଷ୍ମନ୍ତର ସାନ୍ନିଧ୍ୟ ତୁମକୁ ଛାଡ଼ି ଦେବାକୁ ପଡ଼ିବ ।

 

କଳା ସାଧନରେ ତା’ ଯଦି ନିତାନ୍ତ ଆବଶ୍ୟକ ବୋଲି ଆପଣ ଉପଦେଶ ଦିଅନ୍ତି ତେବେ ତା’ କରିବାକୁ ମୁଁ ପ୍ରସ୍ତୁତ ଅଛି ।

 

ବେଶ୍‌ ମନେରଖ, ଜୀବନରେ ଯେଉଁ କେତୋଟି ଦୁର୍ବଳ ମୁହୂର୍ତ୍ତ ଆସେ ତାକୁ ଦମନ କରିବାକୁ ପଡ଼ିବ ତା’ ନ ହେଲେ ତମର କଳା-ସାଧନା ଅପୂର୍ଣ୍ଣ ରହିଯିବ ।

 

ତା କରିବି ।

 

ସେହିଦିନଠାରୁ ଚନ୍ଦ୍ରିକା ଚାହିଁଲା ଦୁଷ୍ମନ୍ତଠାରୁ ଦୂରେଇ ଯିବାକୁ—ମାତ୍ର ସେଦିନ ଚନ୍ଦ୍ରିକାକୁ ଦୁଷ୍ମନ୍ତ ନିଜର କଣ୍ଟକମୟ ପଥରୁ ଦୂରେଇ ଯିବାକୁ କହି ନିଜେ ଚନ୍ଦ୍ରିକାର ଆହୁରି ନିକଟକୁ ଆସିଗଲେ । ଚନ୍ଦ୍ରିକା ବ୍ୟତୀତ ତାଙ୍କର ଜୀବନ ତାଙ୍କୁ ଏକାବେଳକେ ଅସମ୍ଭବ ମନେହେଲା— ।

 

ଚନ୍ଦ୍ରିକା କ୍ରମେ ଭାବିବାକୁ ଲାଗିଲା, କି ଉପାୟରେ ସେ ଦୁଷ୍ମନ୍ତଙ୍କୁ ଦୂରେଇ ଦେଇପାରିବ, ସେଇ ଭାବନାର ସିଦ୍ଧାନ୍ତରେ ପହୁଞ୍ଚି ସେଦିନ, ଦୁର୍ଗାଙ୍କ ପାଦରେ ଅପରାଜିତା ଅଞ୍ଜଳି ସେ ଅଜାଡ଼ି ଦେଇଥିଲା ।

 

ତା’ପରେ ଯେତେବେଳେ ଦୁଷ୍ମନ୍ତଙ୍କ ସହିତ ତା’ର ଦେଖାହେଲା ସେତେବେଳେ ସେ ପଚାରିଲା ।

 

ବର୍ତ୍ତମାନ ତମର ସ୍ୱର ସାଧନାର ସମୟ—ମାତ୍ର ଏଠାକୁ ଆସିଲ ଯେ ?

 

କେବଳ ତୁମକୁ ଥରେ ଦେଖି ଯିବାକୁ ।

 

ଏତେ ଦୁର୍ବଳ ତମେ ? କଳାକାର ଏପରି ଦୁର୍ବଳ ହେବା ଶୋଭା ପାଏନା—ତା’ପରେ, ମୋତେ ଦେଖିବା ତମର ଦରକାର କ’ଣ ? ମୁଁ ଜାଣେ, ମୋତେ ପାଇବାକୁ ହେଲେ ତମକୁ ଆଉ କେତୋଟି ଜନ୍ମ ତପସ୍ୟା କରିବାକୁ ହେବ—ବୁଝିଲ ? ଏତିକି କହି ସେଠାରୁ ଚାଲିଗଲା ଚନ୍ଦ୍ରିକା-ଆହତ ହୋଇ ଫେରି ଆସିଲେ ଦୁଷ୍ମନ୍ତ-ତା’ପରେ ଆଉ ଦୁଷ୍ମନ୍ତଙ୍କ ଖବର କେହି ରଖିନି ସେ ଯେ କୁଆଡ଼େ ଗଲେ ତା’ କେହି ଜାଣେ ନାହିଁ ।

 

ସୁମନ୍ତଙ୍କ ପାଖରୁ ସଙ୍ଗୀତ ଶିକ୍ଷା ଶେଷ କରି ସଙ୍ଗୀତରେ ଉଚ୍ଚଶିକ୍ଷା ପାଇଁ ଚନ୍ଦ୍ରିକା ପୁନା ଯାତ୍ରା କଲା-ସେଠାରେ ଏକ ବାର୍ଷିକ ସଙ୍ଗୀତ ଆସରରେ, ଚନ୍ଦ୍ରିକା ଭେଟିଲା ଦୁଷ୍ମନ୍ତଙ୍କୁ—ସେଦିନର ଉତ୍ସବରେ ଦୁଷ୍ମନ୍ତ ହେଲେ ଶ୍ରେଷ୍ଠତମ କଳାକାର । ଚନ୍ଦ୍ରିକା ସେଦିନ ଜୀବନରେ ପ୍ରଥମଥର ପାଇଁ ପରାଜୟ ସ୍ୱୀକାର କଲା—ଉତ୍ସବ ଶେଷରେ ଚନ୍ଦ୍ରିକା ସାକ୍ଷାତ କରିଥିଲା ଦୁଷ୍ମନ୍ତଙ୍କୁ—

 

ଚନ୍ଦ୍ରିକା ପଚାରିଲା ।

 

ଚିହ୍ନି ପାରୁଛନ୍ତି ?

 

କିଏ ?

 

ମୁଁ ଚନ୍ଦ୍ରିକା—

 

ହଁ, ନାଆଁଟା କେବେ ଶୁଣିଲା ପରି ମନେହେଉଛି ।

 

ଏତିକିରେ ସେଦିନ କଥାଭାଷା ଶେଷ—ଦୁଷ୍ମନ୍ତ ଚାଲିଗଲେ-ଚନ୍ଦ୍ରିକା ଭାବିଲା ଦିନେ ତାକୁ ଦେଖିବାକୁ ଆସିଥିଲେ ଦୁଷ୍ମନ୍ତ ତାଙ୍କର ସାଧନା ସମୟରେ ଆଉ ଆଜି ପଦେ କଥା କହିବାକୁ ତାଙ୍କର ସମୟନାହିଁ ! ଏ ଘଟଣାର ତିନିଦିନ ପରେ ଆସିଛି ଦୁର୍ଗାପୂଜା । ଚନ୍ଦ୍ରିକା ଭାବୁଛି ଦୁର୍ଗାଙ୍କ ପାଖରେ ସେ ଦଶୋଟି ବର୍ଷତଳେ ଯେଉଁ ମିନତି ବାଢ଼ିଥିଲା ତା’ କ’ଣ ସେ ପାଇଛି ? ସେ ଆଜି ତା’ର ନିଜର ଗର୍ବ ପାଖରେ ମଥା ନୋଇଁଛି ଆଜି ସେ ଆଉ ଅପରାଜିତା ନୁହେଁ ।

 

ପୁନାରେ ସଙ୍ଗୀତ ଶିକ୍ଷା କରିବାରେ ପୁଣି ବର୍ଷଟିଏ ବିତି ଯାଇଛି—ଚନ୍ଦ୍ରିକା ଯେତେ ଚେଷ୍ଟା କରିଛି ଥରେ ନିରୋଳାରେ ଦୁଷ୍ମନ୍ତଙ୍କୁ ଭେଟିବା ପାଇଁ; ସେ ଚେଷ୍ଟା ତା’ର ବିଫଳ ହୋଇଚି-ବର୍ଷଟିଏ ତା’ ବାଟରେ ଯାଇଛି, ପୁଣି ଆସିଛି ବାର୍ଷିକ ସଙ୍ଗୀତ ଆସର—ମାତ୍ର ଏଥର ଦୁଷ୍ମନ୍ତ ସଙ୍ଗୀତ ଉତ୍ସବରେ ଯୋଗ ଦେଇପାରି ନାହାନ୍ତି ସେ ପୀଡ଼ିତ । ଚନ୍ଦ୍ରିକା ଦୁଷ୍ମନ୍ତଙ୍କ ବାସ ଭବନକୁ ଧାଇଁଗଲା, ଦୁଷ୍ମନ୍ତ ସେତେବେଳେ ପୀଡ଼ାରେ ବ୍ୟଥିତ–ତାଙ୍କ ପାଦ ପାଖରେ ବସି ଚନ୍ଦ୍ରିକା ଡାକିଲା,

 

ଦୁଷ୍ମନ୍ତ !

 

ଆଖି ଖୋଲି ଚାହିଁଲେ ଦୁଷ୍ମନ୍ତ—

 

କିଏ ?

 

ମୁଁ ଚନ୍ଦ୍ରିକା—

 

କ’ଣ କହୁଚ ?

 

କିଛି ନାହିଁ, ଦେଖିବାକୁ ଆସିଥିଲି । ଦେଖିଲତ, ଯାଅ—ସମୟର ମୂଲ୍ୟ ତମର ଯଥେଷ୍ଟ ବେଶୀ—ଅତୀତରେ କେବେ ତୁମ ସହିତ ପରିଚୟ ହୋଇଥିଲା ଆଜି ଠିକ୍‍ ମନେନାହିଁ । ମାତ୍ର ସେଇ ପରିଚୟର ସୁଯୋଗ ନେଇ ତମର ସମୟ ଅଯଥାରେ ମୁଁ ନଷ୍ଟ କରିବାକୁ ଉଚିତ ମନେ କରୁନାହଁ—ତମେ ଯାଇପାର ।

 

ସେଦିନ ଫେରି ଆସିଲା ଚନ୍ଦ୍ରିକା—ତା’ର ତିନିଦିନ ପରେ ଆସିଲା ଦୁର୍ଗାଷ୍ଟମୀ-ହାତରେ ଆଞ୍ଜୁଳାଏ ରକ୍ତମନ୍ଦାର ଧରି ଦୁର୍ଗାଙ୍କ ଆଗରେ ଠିଆହୋଇ ଚନ୍ଦ୍ରିକା ପୁଣି ତା’ର ସେଇ ଦଶଟି ବର୍ଷ ତଳର କାମନାକୁ ଫେରାଇ ଦେଲା ସେ ଚାହେଁନା ଏମିତି ଅପରାଜିତ ରହିବାକୁ-ପରାଜୟ ତା’ର ଦରକାର-ସେଇ ପରାଜୟର ଆନନ୍ଦ ତାକୁ ଆଣିଦେବ ଜୀବନର ସବୁ କିଛି-ଦୁର୍ଗାଙ୍କ ପାଦରେ ରକ୍ତମନ୍ଦାର ଆଞ୍ଜୁଳାକ ଅଜାଡ଼ି ଦେଇ ଚନ୍ଦ୍ରିକା ଫେରି ଆସିଲା-ଦୁଷ୍ମନ୍ତଙ୍କ ପାଖକୁ ସେ ଫେରିଯିବ, ମନପ୍ରାଣ ଦେଇ ତାଙ୍କର ସେବା ଶୁଶ୍ରୂଷା ସେ କରିବ-ତାରି ସେବାରେ ଦୁଷ୍ମନ୍ତ ଆରୋଗ୍ୟ ଲାଭ କରିବେ ତା’ପରେ ସେ ଫେରିବ ନିଜର ଜନ୍ମଭୂମିକୁ ଦୁଷ୍ମନ୍ତଙ୍କୁ ସଙ୍ଗରେ ଧରି ଆଉ ଗୁରୁ ସୁମନ୍ତଙ୍କୁ କହିବ, ‘‘ଗୁରୁଦେବ, ଆପଣଙ୍କ କଥା ମିଛ, ମୋର କାମନା ବି ମିଛ–ସତ ହେଉଛି ମନ–ମୋରି ମନର ଦୃଢ଼ତା ଆଜି ମୋତେ ସବୁ ଦେଇଛି-ମୁଁ ଆଜି ପାଇଛି ସାଧନାର ଗୌରବ ଆଉ ଜୀବନର ଉପଭୋଗ । ଆପଣ ଯାହା କହିଥିଲେଳ ତାକୁ ମୋରି ମନ ମିଛ ବୋଲି ପ୍ରମାଣ କରିଛି-ଦୁଇଟି ଯାକ ଆଜି ମୁଁ ଏକାବେଳକେ ପାଇଛି ।’’

 

ଏମିତି ଭାବି ଭାବି ଚନ୍ଦ୍ରିକା ଚାଲିଛି ଦୁଷ୍ମନ୍ତଙ୍କ ବାସଭବନକୁ–ପୂଜାର ଆନନ୍ଦରେ ସମସ୍ତେ ବିଭୋର—ଚନ୍ଦ୍ରିକାର ମନ ଦରିଆରେ ବି ଆଜି ଆନନ୍ଦର ଜୁଆର–ତା’ର ଅତୀତକୁ ସେ ଆଜି ଫେରି ପାଇବ—

 

ମାତ୍ର ଚନ୍ଦ୍ରିକା ମନର ଏଇ ଆନନ୍ଦ ବେଶୀ ବେଳ ରହିଲା ନାହିଁ-ଦୁଷ୍ମନ୍ତଙ୍କ ବାସଭବନରେ ପହଞ୍ଚି ଦେଖେତ ଶବାଧାର ପ୍ରସ୍ତୁତ ହେଉଛି-ଅସ୍ତ୍ରୋପ୍ରଚାର ପରେ ଦୁଷ୍ମନ୍ତ ପ୍ରାଣ ହରାଇଛନ୍ତି-ବୁଝି ପାରିଲାନି ଚନ୍ଦ୍ରିକା ଏ କ’ଣ ହେଲା । ଯେଉଁ ଅତୀତକୁ ଫେରି ପାଇବାକୁ ଏତେ ଆନନ୍ଦରେ ଏତେ ଆଶା ନେଇ ସେ ଧାଇଁଆସିଥିଲା ସେଇ ଅତୀତ ସବୁଦିନ ପାଇଁ ତା’ ପାଖରେ ଅତୀତ ହୋଇ ରହିଗଲା ।

 

ଦୁଷ୍ମନ୍ତଙ୍କ ବାସଭବନରୁ ଫେରିବା ବେଳେ ସେ ଭାବୁଚି, ସେ ଆଜି ଅପରାଜିତା, ତାଙ୍କୁ ପାଇବା ପାଇଁ ଗୋଟିଏ ପରେ ଆଉ ଗୋଟିଏ ହୋଇ ଜନ୍ମ ଜନ୍ମ ଧରି ତପସ୍ୟା ଯେଉଁଦିନ ଶେଷ ହେବ, ସେଦିନ ପର୍ଯ୍ୟନ୍ତ ସେ ଅପରାଜିତା ।

★★★

 

ଯାତ୍ରାପଥ

 

ଢଳି ପଡ଼ୁଚି—ନେଳିଆ ଆକାଶର ଛାତି ତଳକୁ ଆସ୍ତେ ଆସ୍ତେ ଢଳି ପଡ଼ୁଚି ପାଉଁଶିଆ ଜହ୍ନ—ସତୀଚଉରା ଆର ପାଖରେ ଥିବା ତେନ୍ତୁଳି ଗଛ ଉହାଡ଼ରେ ସତେଯେମିତି ମୁହଁ ଲୁଚେଇବା ପାଇଁ ଢଳି ପଡ଼ୁଚି—ଖରାଦିନିଆ ପବନ ଭାରି ଜୋରରେ ବହି ଚାଲିଚି—ଚାରିଆଡ଼େ ନିର୍ଜନ—ନଈ ବନ୍ଧତଳେ ବସି ସେଇ ଜହ୍ନ ଆଡ଼କୁ ଆଖି ରଖିଚି ଅହୀନ୍ଦ୍ର—ମୁଣ୍ଡଟା ତା’ର ଝାଙ୍କି ଦେଇଥିଲା ସେଇ ବନ୍ଧତଳେ ସେ ଗଡ଼ି ପଡ଼ିଥିଲା କିଛି ବେଳ ପାଇଁ । ଚେତା ଆସିଲା, ଆଖି ଆଗରେ ପାଉଁଶିଆ ଜହ୍ନ, ଦେହରେ ପବନର ଅନୁଭୂତି । ମନତଳ ଏକାବେଳକେ ହାଲୁକା ।

 

ଏମିତି ପରିସ୍ଥିତିରେ ଅହୀନ୍ଦ୍ରର ମନତଳେ କେତେ ଜୁଆର ଉଠେ କେତେ ସ୍ୱପ୍ନ ତା’ ଆଖି ଆଗରେ ଭାସିଯାଏ—ସେ ସବୁ କିନ୍ତୁ ଆଜି ନାହିଁ । ମନତଳର ଜୁଆର, ଭଟ୍ଟା ପଡ଼ି ଯାଇଛି ଆଖି ଆଗର ସ୍ୱପ୍ନ ସମାଧି ପାଇଛି ।

 

ଏଇ ଜହ୍ନଟା ବୁଡ଼ିଯିବ—ଅନ୍ଧାର ହୋଇଯିବ-ବାଟ ଆଉ ଦିଶିବନି-କ୍ଳାନ୍ତ ଶରୀରକୁ ନେଇ ଉଠିଲା ଅହୀନ୍ଦ୍ର—ବନ୍ଧ ଉପରକୁ ଉଠି ଆସିଲା-ମୁଣ୍ଡ ପୁଣି ଥରେ ବୁଲେଇ ଦେଲା—ବସି ପଡ଼ିଲା ସେଇଠି ପୁଣି ଟିକିଏ । ପଶ୍ଚିମ ଆକାଶରେ ପାଉଁଶିଆ ଜହ୍ନ ଫିକାପଡ଼ି ମିଳେଇ ଗଲା–କେତୋଟି ମାତ୍ର ତାରା ଆକାଶରେ ଆଖିମିଟିକା ମାରୁଛନ୍ତି—ଉଠିଲା ଅହୀନ୍ଦ୍ର-ରାତି କେତେ ହେଲାଣି ଜାଣି ହେଉନି-ନଈ ବନ୍ଧେ ବନ୍ଧେ ଚାଲିଲା-ସେଇ ନଈବନ୍ଧ ଉପରେ ଶୁଣିଲା, କଚେରି ଘଣ୍ଟାରେ ବାଜିଲା ଦୁଇଟା-ଶୋଷରେ ତଣ୍ଟି ଶୁଖି ଯାଉଛି । ବନ୍ଧତଳର ପାଣିଧାର ପାଖକୁ ଓହ୍ଲେଇ ଯାଇ ପୁଣି ବନ୍ଧ ଉପରକୁ ଉଠି ଆସିବାର ଶକ୍ତି ତା’ର ନାହିଁ-ତଥାପି ସେ ପାଣିଧାର ପାଖକୁ ଗଡ଼ିଲା-। ହାତରେ ଆଞ୍ଜୁଳାଏ ଆଞ୍ଜୁଳାଏ ପାଣି ପିଇଲା, ପୁଣି ଟିକେ ବସି ପଡ଼ିଲା ସେଇ ପାଣି କୂଳରେ-। ଏମିତି ଭାବରେ ଅବସନ୍ନ ଶରୀରକୁ ନେଇ ଅହୀନ୍ଦ୍ର ଫେରୁଚି ମେସ୍‌କୁ-ମେସରେ ଚାକର ଶୋଇ ଯିବଣି–ତାକୁ ଉଠାଇବାକୁ ଦରକାର ପଡ଼ିବନି-ମେସ୍‌ ବାରଣ୍ଡାରେ ବି ରାତିର ବାକି କେଇ ଘଣ୍ଟା କଟେଇ ଦେଇ ହେବ ।

 

ଢଳି ଢଳି ଆସିଲା ମେସ୍‌ ପାଖକୁ-ମେସ୍‌ ବାରଣ୍ଡାରେ ଅବସନ୍ନ ଦେହଟାକୁ ଗଡ଼େଇ ଦେଇ ଭାବି ଚାଲିଲା କେତେ କ’ଣ—ଆଜି ତା’ ଜୀବନର ପରିଣତି କ’ଣ ? ଏମିତି ତିଳ ତିଳ କରି ନିଜକୁ ଧ୍ୱଂସ କରି ଦେବାକୁ ସେ ଚାହେଁ । ମରଣକୁ ସେ ସ୍ୱାଗତ ଜଣାଉଛି ମାତ୍ର ମରଣ ତା’ର ସ୍ୱାଗତକୁ ଗ୍ରହଣ କରୁନି-ଯିଏ ଏ ଜଗତରୁ ମୁକ୍ତି ପାଇବାକୁ ଚାହେଁ ମରଣ ତା’ ପ୍ରତି ବଡ଼ ନିର୍ଦ୍ଦୟ ହୋଇପଡ଼େ, ଯେ ମୁକ୍ତି ଚାହେଁନା ତା’ ପ୍ରତି ବି ନିର୍ଦ୍ଦୟ ହୁଏ—ନିଦ ନାହିଁ ଆଖିରେ । ରାତି ଶେଷ ହେଲା–ସହର ରାସ୍ତାରେ କୋଳାହଳ ଜମି ଆସିଲା—ମେସ୍‌ ବାରଣ୍ଡା କାନ୍ଥକୁ ଆଉଜି ବସିଲା ଅହୀନ୍ଦ୍ର ଉଠିବାକୁ ଶକ୍ତି ନାହିଁ ।

 

ସକାଳୁଆ ଅଫିସ–ଅଫିସକୁ ଯିବାକୁ ହେବ-ମେସ୍‌ କବାଟ ଖୋଲିଲା—ଭିତରକୁ ଗଲା ଅହୀନ୍ଦ୍ର ।

 

ଅଫିସକୁ ବାହାରିଲା ସେ ଦୁର୍ବଳ ଶରୀର ନେଇ ଚାଲିଚି-ଧୂଳି ଉଡ଼େଇ କାରଟାଏ ଚାଲିଗଲା—ଏଇ କାରଟି ତା’ର ଅତି ଜଣାଶୁଣା–ପାଠପଢ଼ା ବେଳର ସାଙ୍ଗ ସରୋଜର । ବି.ଏ. ପାସ୍‍ ପରେ ସେ ପାଇଛି ଆଇ.ଏ.ଏସ୍‌ ଚାକିରି । କାରରେ ବସି ଅଫିସ ଆସେ, ଯାଏ—ଜଗତ ତା’ର ଆଭିଜାତ୍ୟ ସ୍ୱୀକାର କରିଛି–ମାତ୍ର ଅହୀନ୍ଦ୍ର, ଆଭିଜାତ୍ୟଠାରୁ ଅନେକ ଦୂରରେ, ତଥାପି ତା’ର ବ୍ୟକ୍ତିତ୍ୱକୁ ବି କେହି ସ୍ୱୀକାର କରି ନାହାନ୍ତି–ଆଭିଜାତ୍ୟହୀନ ବ୍ୟକ୍ତିତ୍ୱ ବ୍ୟକ୍ତିତ୍ୱ ନୁହେଁ–ସମାଜର ନିର୍ମମ କ୍ରୂର ଦୃଷ୍ଟିରେ ସେ ବଞ୍ଚିପାରିନି–ସମାଜ ତାକୁ ହତ୍ୟା ନ କରି ତିଳ ତିଳ ହୋଇ ଝାଉଁଳି ମରିବାକୁ ଛାଡ଼ି ଦେଇଚି ।

 

ପୁଣି ଗଲା ଆଉ ଗାଟାଏ କାର୍‌ । ଆଗରେ ଜାତୀୟ ପତାକା ଉଡ଼ୁଛି–ମନ୍ତ୍ରୀ କି ଉପମନ୍ତ୍ରୀ କିଏ ହେଇଥିବେ । କାର୍‌ଟା ପାଖକୁ ଆସିଲା, ଚିହ୍ନି ପାରିଲା ଅହୀନ୍ଦ୍ର–ଉପମନ୍ତ୍ରୀ ଗୋବିନ୍ଦଚନ୍ଦ୍ର–ଏଇ ଗୋବିନ୍ଦ ଦିନେ ଥିଲା ତା’ର ସହପାଠୀ-ପିଲାଦିନୁ ଖଦଡ଼ ପିନ୍ଧିବା ଅଭ୍ୟାସ କରିଥିଲା–ହୋଟେଲର ଟେବୁଲ ପାଖରୁ କ୍ଲାସ୍‌ର ଡେସ୍କ୍‌ ପର୍ଯ୍ୟନ୍ତ ସବୁଠି ରଜନୀତିର ଚର୍ଚ୍ଚା କରିବାକୁ ଅଭ୍ୟାସ କରି ଦେଇଥିଲା । ଏମ୍‌.ଏ. ପାସ୍‌ ପରେ ସେ ବାହାରିଗଲା ରାଜନୀତି କ୍ଷେତ୍ରକୁ-। ପ୍ରଥମେ ଲୋକ ପ୍ରତିନିଧି, ତା’ପରେ ଉପମନ୍ତ୍ରୀ—ଏଇ କୃତ୍ରିମ ଆଭିଜାତ୍ୟ ଘେରା ସମାଜରେ ତା’ର ସ୍ଥାନ ଆଜି ବହୁତ ଉଚ୍ଚରେ–ସେ ଆଜି ଉପମନ୍ତ୍ରୀ–ସେ ବା କାହିଁକି ରାସ୍ତାକଡ଼କୁ ଚାହିଁବ ? କେତେ କିଏ ଯାଉଛନ୍ତି, ଆସୁଛନ୍ତି–ତା’ର ପାଠପଢ଼ା ବେଳର ସାଙ୍ଗ ଅହୀନ୍ଦ୍ର ଆଜି ଏମିତି ଅବସ୍ଥାରେ ଛିଣ୍ଡା ଲୁଗା, ଛିଣ୍ଡାଜାମା ପିନ୍ଧି ଖାଲି ଗୋଡ଼ରେ ଚାଲିଛି ଅଫିସକୁ । ସେ ବା କାହିଁକି ଅନାନ୍ତା !

 

ଅଫିସରେ ପହଞ୍ଚି ଅହୀନ୍ଦ୍ର ପଶିଲା ଫାଇଲ ଗଦା ଭିତରେ । ଦୁର୍ବଳ ଶରୀରରେ କାମ କିଛି କରିପାରୁନି । ପକେଟରେ ଅଛି ମାତ୍ର ପାଞ୍ଚଅଣା ପଇସା-ପହିଲା ଯେ ଆଉ ତିନି ଦିନ ଅଛି–ଏଇ ତିନିଦିନ ପାଞ୍ଚଅଣା ପଇସାରେ ଚଳିବାକୁ ପଡ଼ିବ–ନା, ବର୍ତ୍ତମାନ କିଛି ନ ଖାଇ ଛୁଟିବେଳକୁ ବରଂ ଅଣାକର ଖାଇଦେଲେ ଦିନଟା ରହିଯାଇ ହେବ ।

 

ଦୁର୍ବଳ ହାତରେ କଲମ ଚଷି ଚଷି କ୍ରମେ ସାଢ଼େ ବାରଟା ବାଜିଲା–ଅଫିସ ଛୁଟି ହେଲା–କ୍ୟାଣ୍ଟିନ ଆଡ଼େ ଚାଲିଲା ଅହୀନ୍ଦ୍ର–କ୍ୟାଣ୍ଟିନବାଲା ବି ଅହୀନ୍ଦ୍ରକୁ ଦେଖି ସତେଯେମିତି ବିରକ୍ତ–ଅନ୍ୟ ବାବୁମାନଙ୍କୁ ଦେଖି ହସି ହସି ସେ ଆଗେଇ ଆସି ପଚାରିଯାଏ–ମାତ୍ର ତା’କୁ ଦେଖିଲେ କିଛି କହେନା–ସେ ଜାଣେ ଅହୀନ୍ଦ୍ର ତା’ର ଜଣେ ଭଲ ଗରାଖ ନୁହେଁ–ଅଣାଏ ଦି’ଅଣାର ଖାଇବା ଲୋକ । ସେ ବା କାହିଁକି ତା’ ପ୍ରତି ସମ୍ମାନ ଦେଖେଇବ ? ଅଣାକର ପକୁଡ଼ି ଖାଇ ଦି’ଗ୍ଲାସ ପାଣି ପିଇ ଉଠିଲା ଅହୀନ୍ଦ୍ର–ଖରାତାତି ଏକାବେଳେକେ ବଢ଼ି ଯାଇଛି, ରାସ୍ତାରେ ପିଚୁ ତରଳି ଯାଇଛି । ଚାଲିଲା ଅହୀନ୍ଦ୍ର ମେସ୍‌କୁ ।

 

ଉପରେ ତାତି, ତଳେ ତାତି–ଛତା ନାହିଁ ବା ଯୋତା ନାହିଁ––ଚାଲିଛି ସେ ଝାଳରେ ଦେହ ସାରା ଓଦା–ଆଖିକୁ କିଛି ସଫା ଦିଶୁନି–ସବୁ ଯେମିତି ଝାପ୍‍ସା ଦେଖାଯାଉଛି ।

 

ବାଟରେ ଦେଖାହେଲେ ଅହୀନ୍ଦ୍ରର ଜଣେ ମଉସା-ତା’ ଗାଁରେ ତାଙ୍କଘର–ଚିଠି ଖଣ୍ଡିଏ ଆଣିଥିଲେ ସେ—ଅହୀନ୍ଦ୍ର ଚିଠିଟି ପଢ଼ିଲା ବାପା ଲେଖିଛନ୍ତି—ଅଭାବ ଅସୁବିଧାହିଁ କେବଳ ତାଙ୍କ ଲେଖାର ମୂଳକଥା—ବୋଉ ଦେହ ଭଲ ନାହିଁ । ଔଷଧ କିଣିବାକୁ ପଇସାର ଅଭାବ–ଦୁଃଖେ ସୁଖେ ଦିନ ଯାଉଥିଲା—ବୋଉଦେହ ଖରାପ ହେବା ଦିନରୁ ବଡ଼ ଦୁଃଖରେ ତାଙ୍କୁ କାଳ କଟେଇବାକୁ ପଡ଼ୁଛି । ଘରେ ସବୁବେଳେ ଅଭାବ-ତା’ ସାଙ୍ଗକୁ ରୋଗ-ବୋଉ ଦେହ ଖରାପହେବାରୁ ସେ ନିଜେ ହାତରେ ରୋଷେଇ କରି ଖାଉଛନ୍ତି—ସାଇପଡ଼ିଶାଙ୍କ ସହାନୁଭୂତି କଥା ତ ଜଣାଶୁଣା-ଔଷଧ କିଣିବାକୁ ଯେତେବେଳେ ଉପାୟ ନାହିଁ ସେମିତି ଚେରମୂଳିକା ଔଷଧ ସେ ବନ୍ଦୋବସ୍ତ କରିଛନ୍ତି—ଲେଖିଛନ୍ତି କିଛି ଫଳ ପଠାଇବା ପାଇଁ ଆଉ ଡାକ୍ତରକୁ ପଚାରି କିଛି ଔଷଧ ପଠାଇବା ପାଇଁ । ଏଇ ଧାଡ଼ିଟା ପଢ଼ିବାବେଳେ ପକେଟରେ ହାତମାରିଲା ଅହୀନ୍ଦ୍ର-ପାଞ୍ଚଅଣା ପଇସା ଥିଲା, ଅଣାଏ ଖର୍ଚ୍ଚ ହେଇଚି, ଆଉ ବାକି ଚାରିଅଣା—ପୁଣି ପହିଲା ଅଛି ଆଉ ତିନିଦିନ–କ’ଣ କରିବ ଅହୀନ୍ଦ୍ର କିଛି ଭାବି ପାରିଲାନି—ମନେପଡ଼ିଲା, ବାପା ସବୁବେଳେ କହନ୍ତି ଭଗବାନଙ୍କ ଇଚ୍ଛା ମଙ୍ଗଳମୟ, କାହିଁକି ସେ ଏକଥା କହନ୍ତି ? ବାପା ହୁଏତ ଗୋଟାଏ ଅନ୍ଧ ପରମ୍ପରା ପଥିକ–ଭଗବାନ ବୋଲି କେହି ଅଛନ୍ତି ଏ ବିଶ୍ୱାସ ତା’ ମନରୁ ଅନେକ ଦିନରୁ ତୁଟି ଯାଇଛି—ଏମିତି ଅବସ୍ଥାରେ ପଡ଼ିଲେ ମଣିଷ ନାସ୍ତିକ ହୁଏ ।

 

ଚିଠିଟା ପଢ଼ି ଅହୀନ୍ଦ୍ର କେତେବେଳେ ସେଇ ଖରାରେ ଠିଆ ହୋଇଛି ଜାଣେନା–ମୁଣ୍ଡ ଝାଇଁ ଝାଇଁ ହୋଇଗଲା ପୁଣି ଚାଲିଲା ସେ ।

 

ଚାଲିଚି ଅହୀନ୍ଦ୍ର–ଏଇ ଆଗ ଘର-ମନୋଜ ବାବୁଙ୍କ ଘର । ବଡ଼ଲୋକ–ଦି’ତାଲା କୋଠା-ମନୋଜବାବୁ ପୁଣି ଡାକ୍ତର, ବିଲାତ ଫେରନ୍ତା । ଏଇ ମନୋଜବାବୁଙ୍କ କାର୍‌ ଫେରିଲା–କଳା ଚଷମା ପିନ୍ଧି ମନୋଜବାବୁ କାର୍‌ ଚଳେଇଛନ୍ତି—ମନୋଜବାବୁ ଚିତ୍ରାର ସ୍ୱାମୀ । ଚିତ୍ରା, ସେ ବି ଅହୀନ୍ଦ୍ରର ସହପାଠିନୀ । ଦୁହିଁଙ୍କ ଭିତରେ ଘନିଷ୍ଟ ବନ୍ଧୁତା ଥିଲା । ପାଠପଢ଼ା ପରେ ପରେ ଅହୀନ୍ଦ୍ର ତା’ର ହତଭାଗ୍ୟ ଜୀବନକୁ ନେଇ ତା’ ବାଟରେ ଚାଲିଛି ଆଉ ଚିତ୍ରା ତା’ର ସରସ ଭାଗ୍ୟକୁ ନେଇ ହସ ଜୁଆରିଆ ଜୀବନ ଭିତରେ ଖେଳି ବୁଲୁଚି ।

 

ମନୋଜ ବାବୁ ଗେଟ୍‌ ଭିତରକୁ କାର୍‌ ନେଲେ–କୁକୁରଟା ଏତିକିବେଳେ ଗେଟ୍‌ ବାହାରକୁ ବାହାରି ଆସିଲା–ଅହୀନ୍ଦ୍ରର ବେଶ ଦେଖି ଭିଡ଼ି ଆସିଲା ପାଖକୁ—ଡାହାଣ ଗୋଡ଼ରୁ ପୁଳାଏ କାମୁଡ଼ି ଦେଲା–ଚାକରଟା ଆସି କୁକୁରକୁ ଡାକିନେଲା ।

 

ଗୋଡ଼ଟାକୁ ଦି’ ହାତରେ ଚିପିଧରି ବସି ପଡ଼ିଲା ଅହୀନ୍ଦ୍ର ରାସ୍ତା ଉପରେ–ବାରଣ୍ଡାରେ ଚିତ୍ରାକୁ ଦେଖିପାରିଲା ସେ–ଚିତ୍ରାର ପାଟି ଶୁଭୁଥାଏ । ଚାକର କହିଲା ଗୋଟାଏ ବାରବୁଲା ଲୋକ ପରି ଜଣାଯାଉଚି । ତାରି ଗୋଡ଼ଟାକୁ କାମୁଡ଼ି ଦେଲା–ଚିତ୍ରା ବିରକ୍ତ ହୋଇ କ’ଣ କହିବାପରି ଶୁଭିଲା–ଚିତ୍ରା ଫାଟକ ଆଡ଼କୁ ଆସିଲା–ଚିତ୍ରାକୁ ଦେଖି ଅହୀନ୍ଦ୍ର ରକ୍ତାକ୍ତ ପାଦରେ ଚାଲିଲା ତା’ ବାଟରେ ।

 

ଫାଟକ ପାଖରେ ପହୁଞ୍ଚି ଚିତ୍ରା ଦେଖିଲା ରାସ୍ତା ଉପରେ କେଇଟୋପା ରକ୍ତ ପଡ଼ିଛି, ଚିତ୍ରା ଆଗକୁ ଅନେଇଲା-ବାରବୁଲା ? ଚିତ୍ରା ଚିହ୍ନି ପାରିଲା । ମାତ୍ର ଡାକି ପାରିଲାନାହିଁ ଅହୀନ୍ଦ୍ର ଚାଲିଚି–ପଛକୁ ଫେରି ଚାହିଁଲା ନାହିଁ–ଦେଖୁଛି ଚିତ୍ରା ଆଗକୁ ଆଗକୁ ଯାଉଛି ଅହୀନ୍ଦ୍ର, ରାସ୍ତା ଉପରେ ପଡ଼ି ରହିଛି କେଇଟୋପା ରକ୍ତ ।

★★★

 

ସେ ଚାଲିଛି

 

ବିରୂପା ନଈଧାର ଉପରେ ଠିଆ ହୋଇ ସପନା ଭାବୁଛି—ଜୀବନରେ ତା’ର ଦଶୋଟି ବର୍ଷ ଚାଲିଯାଇଛି । ଆଖି ଆଗରେ ବିରୂପାର କଳା ମଚମଚ ପାଣି—ପାଣିର ଦୁଇ ପାଖରେ ଲମ୍ୱି ଯାଇଛି ସରୁ ସରୁ ଧଳାବାଲି । ବାଲି ପାର ହୋଇ ସପନା ଉଠି ଆସିଲା ନଈ ଉପରକୁ ।

 

ସେଇଠୁ ଚାହିଁଲା ସପନା, ଆଗରେ ତା’ର ଗାଁ–ଜନ୍ମମାଟି ଦଶୋଟି ବର୍ଷ ପାଇଁ ସେ ମାଟିର ମାୟାଠାରୁ ଦୂରରେ ଥିଲା ଦଶୋଟି ବର୍ଷର କରୁଣ ଇତିହାସ ତା’ଜୀବନକୁ ଥରେଇ ଦେଇଚି ।

 

ଲମ୍ବା ଧଳା ପାଚେରୀ ଆଉ ଲୁହାବାଡ଼ ଘେରା କଇଦୀଖାନା ଭିତରେ ଏଇ ଗତ ଦଶୋଟି ବରଷର ଜୀବନରେ ସପନା ଦିନେ ହେଲେ ପାଇନି ଏଇ ମମତାମୟୀ ମାଟିର ମାୟା-ଜୀବନରେ ଦିନେ ସ୍ୱପ୍ନ ଦେଖିବାର ଅବକାଶ ବି ସେ ପାଇନି । ଏଇ ଗାଁ ମାଟିକି ଫେରିଆସିବା ପାଇଁ କଇଦୀଖାନା ପାଚେରୀ ଉଢ଼ାଳରେ କେତେ ଲୁହ ଢାଳିଚି ସେ । ମନରେ ତା’ର ବିଶ୍ୱାସ ନଥିଲା ସେ ଏଠିକି ପୁଣି ଥରେ ଫେରି ଆସିବ—ହେଲେ, ଆଜି ସେଇ ଦଶୋଟି ବରଷ ପୂରିଛି, ସେ ଆଜି ଫେରିଚି ।

 

ଗାଁ ଆଡ଼କୁ ବେଶୀ ବେଳ ଚାହିଁ ହେଲାନି–ଆଖି ତା’ର ପାଣିରେ ଭରି ଉଠିଲା—ଏଇ ତା’ର ଗାଁ—ଏଇ ଗାଁର ମାଟି–ଏଇ ମାଟିରେ ମିଶି ରହିଛି ତା’ରି କେତେ ଅଜଣା ପୁରୁଷର ହସ କାନ୍ଦ, ଭଲ ମନ୍ଦର ସ୍ମୃତି—ଏହି ମାଟିରେ ପାଦଦେଇ ଚାଲି ଯାଇଛନ୍ତି ତା’ର କେତେ ଅଜଣା ପୂର୍ବପୁରୁଷ—ଏଇ ମାଟିରୁ ଆହାର କାଢ଼ି ବଞ୍ଚିବାର ଉପାଦାନ ପାଇଥିଲେ ତା’ରି ପୂର୍ବପୁରୁଷ । ଏଇ ମାଟି ତାକୁ ମଣିଷ କରିଛି—ସବୁ ଏଇ ମାଟି । ଏଇ ମାଟିର ମାୟା ତାକୁ କନ୍ଦେଇଛି ।

ଦିନ ଗଡ଼ି ଚାଲିଲାଣି–ଅନ୍ଧାର ହେଇନି–ସପନା ଆଗକୁ ପାଦ ପକେଇଲା । ଭାବି ଯାଉଛି ତା’ର ଜୀବନ, ଘରଦ୍ୱାର, ମାଳତୀ ସମସ୍ତଙ୍କ କଥା । ସେ ଜେଲ ଯିବାର ତିନିବର୍ଷ ପରେ ବାପା ତା’ର ମରିଯିବାର ଖବର ସେ ପାଇଥିଲା–ସଂସାରରେ ତା’ର କେବଳ ମାଳତୀ ଛଡ଼ା ଆଉ କେହି ନାହାନ୍ତି । ଦୀର୍ଘ ଦଶୋଟି ବର୍ଷର ବ୍ୟବଧାନରେ ଆଜି ମାଳତୀର ଦଶା କ’ଣ ହେଇଥିବ କିଏ ଜାଣେ । ସେଦିନ ସେଇ ଦଶୋଟି ବର୍ଷର ଜେଲଦଣ୍ଡ ପାଇବା ପରେ ମାଳତୀ କାନ୍ଦି କାନ୍ଦି ସହରରୁ ଫେରି ଆସିଥିଲା–କେତେ ଜୀବନରେ କେତେ କଥା ସୃଷ୍ଟି କରି ଏଇ ଦଶୋଟି ବର୍ଷ ବିତି ଯାଇଛି–ଆଜି ପର୍ଯ୍ୟନ୍ତ ସେମିତି ଗୋଟିଏ ବ୍ୟାକୁଳ ଆଖିରେ ଚାହିଁ ରହିଥିବ ମାଳତୀ ।

ଏମିତି ଭାବି ଭାବି ଆଗକୁ ଚାଲିଛି ସପନା-ମଙ୍ଗଳା ଠାକୁରାଣୀଙ୍କ ଓସ୍ତଗଛ ପାଖରେ ପହୁଞ୍ଚିବା ବେଳେ ହଠାତ୍‌ ଛାତି ଥରି ଉଠିଲା । ଏଇ ସେଇ ମଙ୍ଗଳା ଓସ୍ତ—ଏଇ ଓସ୍ତ ମୂଳରେ ତା’ର ସେଦିନର କାର୍ଯ୍ୟ—ସେଇ କାର୍ଯ୍ୟ ଫଳରେ ତାକୁ ଦଶୋଟି ବର୍ଷ ଲୁହାଛଡ଼ ଘେରା କଇଦୀ ଖାନାରେ ଲହୁକୁ ଲୁହ କରି ବିତେଇବାକୁ ପଡ଼ିଛି । ମନେପଡ଼ୁଛି ତା’ର ସେଦିନର କଥା–ସତେଯେମିତି କାଲି ପରି ଲାଗୁଛି, କିନ୍ତୁ ବିତି ଗଲାଣି ଦଶୋଟି ବରଷ ।

ସେଦିନ ମାଧପୁର ହାଟରୁ ସେ ଫେରୁଥିଲା–ଜହ୍ନପକ୍ଷ ରାତି–ଏଇ ଗଛମୂଳେ ସେ ଦୂରରୁ ଦେଖିପାରିଲା ଦୁଇ ଜଣଙ୍କୁ ଭିଡ଼ାଓଟରା ହେଉଥିବାର–ପାଖେଇ ଆସିବାରୁ ଜଣକର ବିକଳ କଣ୍ଠ ସେ ଶୁଣିପାରିଲା–

ଛାଡ଼ି ଦିଅ, ଛାଡ଼ି ଦିଅ ସାନବାବୁ । ଆମେ ଗରିବ,ଆମର କ’ଣ ଅଛି—ସେଇ ମାନମହତ ଟିକକ ଛଡ଼ା ଆମର କିଛି ନାହିଁ ।

ଏତିକି ଶୁଣି ସବୁ ବୁଝିନେଲା ସପନା–ହାତରେ ତା’ର ଥିଲା ପୁରୁଷେ ଉଞ୍ଚର ଠେଙ୍ଗାଟିଏ । ମୁଣ୍ଡକୁ ତା’ର ବିଷ ଉଠିଗଲା–ଦି’ ହାତରେ ଉଠେଇଲା ସେ ଠେଙ୍ଗାକୁ—ସାନବାବୁଙ୍କ ମୁଣ୍ଡ ଉପରେ ବସିଗଲା ସେଇ ଠେଙ୍ଗାଟା—ସାନବାବୁ ଅଚେତ୍‌ ହୋଇ ତଳେ ପଡ଼ିଗଲେ ।

ସାନବାବୁଙ୍କ କବଳରୁ ଉଦ୍ଧାର ପାଇ ମାଳତୀ କାନ୍ଦ କାନ୍ଦ ହୋଇ ତଳେ ପଡ଼ିଗଲା । ତା’ପରେ ସପନା ମାଳତୀକୁ ନେଇ ଗାଁକୁ ଗଲା–ରାଗରେ ଫୁଲି ଉଠିଥାଏ ସେ—ବାବୁଘର ପାଖରେ ଡାକ ଦେଇ କହିଗଲା–ଆରେ ତମ ସାନବାବୁ ନଈକୂଳେ ମଙ୍ଗଳା ଓସ୍ତ ତଳେ ଫଡ଼ିଛନ୍ତି–ଯା ତାଙ୍କୁ ନେଇ ଆସିବ ।

ତା’ପରେ ଆଉ କିଛି ତା’ର ମନେପଡ଼ୁନି—ସକାଳ ହେବା ବେଳକୁ ଦି’ଜଣ ପୁଲିସ ଆସି ତାକୁ ବାନ୍ଧି ନେଇଗଲେ । ମକଦ୍ଦମା ହେଲା–ସମସ୍ତେ ସାକ୍ଷୀ ଦେଲେ–ମାଳତୀ ନିଜର ଅଭିଯୋଗ କହିଲା ହେଲେ ଫଳ କିଛି ହେଲାନି–ସପନାକୁ ହେଲା ଦଶବର୍ଷ ଜେଲ । ସାନବାବୁ ନିର୍ଦ୍ଦୋଷରେ ଗାଁକୁ ଫେରିଲେ ।

ସେଦିନର କଥା ଆଉ ତା’ର କିଛି ମନେପଡ଼ୁନି, ସେଦିନ ଦଶଟି ବର୍ଷ ତଳେ ଲୁଚି ଯାଇଛି ।

ଏମିତି ଭାବୁ ଭାବୁ ମଙ୍ଗଳା ଓସ୍ତ ତଳେ କେତେବେଳେ ବସିଯାଇଛି ସପନା ଠିକ୍‍ କରି ଜାଣିପାରିନି ।

ଦୂରରୁ ଜଣେ ସ୍ତ୍ରୀଲୋକ ମାଠିଆଟିଏ ନେଇ ପାଣି ଆଣିବାକୁ ନଈଧାରକୁ ଚଢ଼ିବାର ଦେଖାଗଲା–ପୁଣି ପାଣି ଆଣି ମଙ୍ଗଳା ଓସ୍ତ ବାଟ ଦେଇ ସେ ଫେରିଲା । ମୁହଁ ଅନ୍ଧାରରେ ବି ସପନା ବେଶ୍‌ ଚିହ୍ନିପାରିଲା ସେଇ ତା’ର ମାଳତୀ, ଡାକିଲା-ମାଳତୀ ।

 

ମାଳତୀ ପାଖକୁ ଆସିଲା—ସପନାର ଦାଢ଼ି ଦେଖି ହଠାତ୍‌ ଚିତ୍କାର କରି ଉଠିଲା, ପଛକୁ ଘୁଞ୍ଚିଗଲା ।

 

ମାଳତୀ, ମୁଁ ସପନା—ମତେ ଚିହ୍ନିପାରୁନୁ ।

 

ଆଉ ଚିହ୍ନିବାରେ କ’ଣ ଅଛି ? ସାନବାବୁଙ୍କୁ ମାରି ତମେ ଗଲ ଜେଲ ଦଶଟି ବର୍ଷ, କେମିତି ମୁଁ ଚଳନ୍ତି ? କିଛି ବାଟ ନ ପାଇ ମୁଁ ଦୁତୀୟ ହୋଇଯାଇଛି—ମୁଁ ଆଉ ତମର ନୁହେଁ ।

 

କାହାକୁ ଦୁତୀୟ ହେଲୁ ?

 

ମାଧ ସାଉକୁ ।

 

ହଉ, ଭଲ କରିଛୁ । ଆଉ ତେବେ ଗାଁକୁ କାହିଁକି ଯିବି—ମୁଁ ଫେରିଲି ।

 

କୁଆଡ଼େ ଯିବ ?

 

ମୁଁ ତ ଏକା, କୋଉଠି ଚାକିରି ବାକିରି କରି ଚଳିଯିବି–ମାଳତୀ, ତମ ସ୍ତ୍ରୀ ଜାତି ଏତିକି ସ୍ୱାର୍ଥପର–ପୁରୁଷକୁ ଜେଲକୁ ପଠାଇ ଦେଇ ତମେ ଆଉ ଜଣେ ପୁରୁଷକୁ ବାଛିନେଇପାର ।

 

ହଉ ତୁ ଯା– ।

 

ଫେରି ଆସିଲା ମାଳତୀ, କାଖରେ ତା’ର ପାଣି ମାଠିଆ, ଅଶ୍ରୁଭରା ଆଖିରେ ତା’ର ଫେରିବା ବାଟକୁ ଚାହିଁ ସେଇ ଗଛମୂଳେ ବସିଥିଲା ସପନା । ତା’ର ମନେପଡ଼ୁଥାଏ–ଏଇ ମାଳତୀ କହୁଥିଲା ତମେ ମୋର ଦେବତା, ତମେ ଥାଉଁ ଥାଉଁ ତମ ଆଗରେ ମୁଁ ମରିଗଲେ ତ୍ରାହି । ବିବାହ ପରେ ତିନୋଟି ବର୍ଷ ସେ ମାଳତୀ ପାଖରେ ଥିଲା–କେବେହେଲେ ତା’ର ସ୍ନେହରୁ ସେ ବଞ୍ଚିତ ହୋଇନଥିଲା । ହଳରୁ ଫେରିଲେ ଝାଳପୋଛି ଦେଇଥିଲା ସେଇ ମାଳତୀ, ହାଟରୁ ଫେରିବାକୁ ଡେରି ହେଲେ ଚିନ୍ତା କରି ବସୁଥିଲା ସେଇ ମାଳତୀ–ଆଉ ଆଜି ? ସପନାକୁ ଛାଡ଼ି ମାଧ ସାଉକୁ ସେମିତି ସୁଖ ସେ ଦେଉଥିବ । ଧନ୍ୟ ଏଇ ନାରୀ ଜାତି । ସ୍ନେହଟା ତାଙ୍କର ସ୍ନେହ ନୁହେଁ–ପାଖରେ ପାଇଲେ ମନ ଯେମିତି ହୁଏ ସେଇ ଅନୁସାରେ ସେମାନେ ଚଳନ୍ତି ।

 

ସେଇ ମଙ୍ଗଳା ଓସ୍ତ ତଳେ ରାତି ପାହିଗଲା–ସକାଳର ଅନ୍ଧାର ଅପସରି ନ ଯାଉଣୁ ବିରୂପା ପାରି ହେଇ ଆଗେଇ ଚାଲିଲା ସପନା । ପଛରେ ରହିଗଲା ତା’ର ଜନ୍ମମାଟି, ଗାଁ ଭୂଇଁ, ମାଳତୀ ସମସ୍ତେ ।

 

ଏ ଜନ୍ମରେ ଆଉ ସେମାନଙ୍କ ମମତା ତା’ ଜୀବନରେ ଆସିବ ନାହିଁ । ଦଶୋଟି ବର୍ଷର ଦଣ୍ଡ ତା’ର ଗୋଟିଏ ଜୀବନକୁ ଶେଷ କରି ଦେଇଛି ।

 

ସେ ଚାଲିଛି ।

★★★

 

ଆଭିଜାତ୍ୟ

 

ଏଇ କ’ଣ ତୁମର ଶେଷ ନିଷ୍ପତ୍ତି ସୁଶାନ୍ତ ?

 

ହଁ, ନୂଆ’ଉ–କୌଣସି ସମସ୍ୟା ପାଇଁ ଦୁଇଥର ନିଷ୍ପତ୍ତି କରିବାକୁ ମୋତେ ପଡ଼ିନାହିଁ–ତୁମେ ତ ଜାଣ ।

 

ସବୁ ଜାଣେ–ତଥାପି ସୁଶାନ୍ତ ତୁମେ ଭୁଲିଯାଉଛ ଏ ବାସ୍ତବ ଜଗତର ବାସ୍ତବ ପରିସ୍ଥିତି–ଅଭିମାନ କରି କେହି ଜୀବନକୁ ତିଳ ତିଳ କରି ଧ୍ୱଂସ କରି ଦେଇ ପାରେନା ।

 

ଏ ମୋର ଅଭିମାନ ନୁହେଁ ନୂଆ’ଉ—ଏ ମୋର ତିକ୍ତ ଅନୁଭୂତିର ଛାୟା ।

 

ଚାଲିଗଲେ ବିନିତା—ସୁଶାନ୍ତ ବସିଥାନ୍ତି—ବିନିତାଙ୍କ ମନରେ ଉଠୁଛି ଅଶେଷ ଆନ୍ଦୋଳନର ଝଡ଼–ଏଇ ଦିଅର ସୁଶାନ୍ତ କେବେ ତାଙ୍କ କଥାରେ ଅବାଧ୍ୟ ହୋଇନାହାନ୍ତି–ପିଲାଟି ଦିନୁ ସୁଶାନ୍ତ ତାଙ୍କ ପାଖରେ ବଢ଼ି ଆସିଛନ୍ତି–ସୁଶାନ୍ତ ହୁଏତ ମା’ର ଅଭାବ ଅନୁଭବ କରିନାହାନ୍ତି––ବିନିତା ମା’ର ଆଖିରେ ଶାସନ କରିଛନ୍ତି, ମା’ ପରି ସୁଶାନ୍ତଙ୍କର ସବୁ ଅଳି ପୂରଣ କରିଛନ୍ତି । ସେ ଆଜିକିଦୀର୍ଘ ୧୫ବର୍ଷର ତଳେ ଆସିଥିଲେ ସୁଶାନ୍ତଙ୍କ ଘରକୁ–ସୁଶାନ୍ତ ସେତେବେଳେ ଦଶବର୍ଷର ପିଲା, ଆଜିର ସୁଶାନ୍ତ ଆଉ ସେଦିନର ସୁଶାନ୍ତ, କେତେ ତଫାତ୍‍ ।

 

ସେଦିନର ସେ ସରଳ ମନଭୁଲା ହସ ଆଜି ନାହିଁ—ସୁଶାନ୍ତ ଆଜି ଗମ୍ଭୀର ସବୁବେଳେ ଉଦାସ–କାଗଜ କଲମକୁ ନେଇ ତାଙ୍କର ସଂସାର-କଲେଜରେ ପଢ଼ିଲାବେଳେ କେତେ ଜନରବ ଉଠିଥିଲା । ନମିତାଙ୍କ ସହିତ ସୁଶାନ୍ତଙ୍କର ପ୍ରେମର ଜାଗରଣ ବିନିତାଙ୍କ କାନରେ ପଡ଼ିଥିଲା—ବିନିତା ସେଦିନ ପ୍ରଶାନ୍ତଙ୍କୁ ପଚାରିଥିଲେ ।

 

ସୁଶାନ୍ତ ପରି ପିଲା ନାଆଁରେ ଏମତି କଥା ପୁଣିଉଠିପାରେ ?

 

କାହିଁକି ନ ଉଠିବ ?

 

ତେବେ ତୁମେ କ’ଣ ତାଙ୍କୁ ସନ୍ଦେହ କରୁଛ ?

 

ସନ୍ଦେହର ପ୍ରଶ୍ନ ଏଠି କାହିଁ ବିନି ?

 

ବିନିତାଙ୍କର ମୁଖ ଗମ୍ଭୀର ହୋଇ ଉଠିଥିଲା–ପ୍ରଶାନ୍ତ ଏତିକି ଦେଖିବାକୁ ଚାହୁଁଥିଲେ ତା’ପରେ ପ୍ରଶାନ୍ତ କହିଥିଲେ ବିନି ସୁଶାନ୍ତକୁ ମୁଁ କେବେହେଲେ ସନ୍ଦେହ କରିପାରିବି ଏକଥା ତୁମେ ଭାବି ପାରିଲ ?

 

ତେବେ ମୋତେ ଏମିତି କହିଲ ଯେ-? ମୋ କହିବାରେ କ’ଣ କେବେ କିଛି କାରଣ ଥାଏ ? ତା’ହେଲେ—

 

ହଉ, ହେଲେ ଖରାପ କ’ଣ ? ସୁଶାନ୍ତ ଯେବେ ମୋତେ କହେ ଏ କଥା ସତ ତେବେ ଯାହା କରିବାକୁ ପଡ଼ିଲେ ବି ମୁଁ ତା’ର ମନଇଚ୍ଛା ପୂରଣ କରିବାକୁ ପଛେଇବି ନାହିଁ ।

 

ଭାବିଲେ ବିନିତା–କେତେ ସୁଖୀ ସେ ନିଜେ–ପ୍ରଶାନ୍ତ ଆଉ ସୁଶାନ୍ତ—ରାମ ଲକ୍ଷ୍ମଣଙ୍କ ପରି ଦୁଇ ଭାଇ, କିନ୍ତୁ ତେବେ ବି ତାଙ୍କର ମନ ଭିତରେ ଅଶାନ୍ତି । କେତେ ଆଶା କରିଥିଲେ ସେ, ସୁଶାନ୍ତ ବାହା ହୋଇଥାଅନ୍ତେ–ଘରକୁ ତାଙ୍କର ହସି ହସି ଆସିଥାନ୍ତା ଏକ ନବବଧୂ–ଜୀବନଟାକୁ ହସି ହସି ଦୁହେଁ ବିତେଇ ଦେଇଥାଆନ୍ତେ । ମାତ୍ର ସୁଶାନ୍ତଙ୍କର ଏ ନିଷ୍ପତ୍ତି ଆଜି ତାଙ୍କର ହୃଦୟରେ ଆଘାତ ଦେଇଛି ।

ପ୍ରଶାନ୍ତ ଭାବିଲେ ପିଲା ଲୋକ––କ’ଣ ମନହେଇଛି ମନାକରୁଚି ପୁଣି ହୁଏତ ମନ ପରିବର୍ତ୍ତନ କରିବାକୁ କେତେବେଳ ? ଏହି ବୟସରେ ଅନେକ ମତଦ୍ୱୈଧ ଦେଖାଯିବା ସ୍ୱାଭାବିକ ।

ସୁଶାନ୍ତ ଭାବିଲେ ହୁଏତ ତାଙ୍କର ଏ ନିଷ୍ପତ୍ତି ଯୁକ୍ତିଯୁକ୍ତ, ଏ ନିଷ୍ପତ୍ତିର ଆଉ ପରିବର୍ତ୍ତନ ନାହିଁ-କଲେଜ ଜୀବନରେ ଆଉ ରଙ୍ଗିନ ଆଖିରେ ଦୁନିଆକୁ ଦେଖିବାହିଁ ଶିକ୍ଷିତ ଯୁବକର ବୋକାମି–ସେମିତି ଦିନେ ବୋକା ଥିଲେ ସୁଶାନ୍ତ ଆଉ ଆଜି କଲେଜ ଜୀବନରୁ ବାହାରି ଆସି ବାସ୍ତବ ଜଗତରେ ପାଦ ଦେଇ ସେ ଅନୁଭବ କରିଛନ୍ତି ଏ ଜଗତଟା କେବଳ ଗୋଟାଏ ନିଷ୍ଠୁର ବାସ୍ତବ । ସ୍ୱପ୍ନବାଦୀର ସ୍ଥାନ ଏଠି ନାହିଁ । ତେଲ ଲୁଣରେ ସଂସାର–ଅଛି, ନାହିଁର ସଂସାର–ଏଠି କେବଳ ଗୋଟାଏ ଧରାବନ୍ଧା ନୀତିର ଜୀବନ । ଏ ଜୀବନ ଜୀବନ ନୁହେଁ ।

ଏ ଭାବନା ଆସିଲା କାହିଁକି ? ଏ ଭାବନାର ମୂଳହିଁ ନମିତା । କଲେଜ ଜୀବନରେ ପୂର୍ଣ୍ଣଚ୍ଛେଦ ଦେବାପରେ ଯେଉଁଦିନ ସୁଶାନ୍ତ ନମିତାକୁ ଅନୁରୋଧ କରିଥିଲେ ତାଙ୍କ ଘରକୁ ଆସିବାକୁ ସେଦିନ ନମିତାଙ୍କ ବ୍ୟବହାର ସୁଶାନ୍ତଙ୍କର ଅସହ୍ୟ ହୋଇ ଉଠିଥିଲା—ମୋଟ କଥା ବଡ଼ଲୋକର ଝିଅ ସେ—ବିଳାସ ବ୍ୟସନର ପରିସର ଭିତରେ ଗଢ଼ି ଉଠିଛି ତାଙ୍କର ଜୀବନ । ସେଇ ଆଭିଜାତ୍ୟର ଗର୍ବରେ ସୁଶାନ୍ତଙ୍କ ପ୍ରତି ସେ ଅନ୍ୟାୟ ଆଚରଣ କଲେ ।

 

ସୁଶାନ୍ତ ଶେଷରେ ଚାକିରି କରନ୍ତି ସମ୍ୱଲପୁରରେ–ସେଇଠି ଥାଆନ୍ତି ତାଙ୍କର ବଡ଼ଭାଇ-। ଦୁଇ ଭାଇଙ୍କର ହସ ଖୁସି ଭିତରେ ହଜି ଯିବାକୁ ଚାହୁଁଥିଲେ ବିନିତା-ମାତ୍ର ତା’ ହୋଇପାରିଲା ନାହିଁ ।

 

କଲେଜ ଜୀବନର ବନ୍ଧୁତା ଭିତରେ ଅନେକ ଚେଷ୍ଟା କରିଛନ୍ତି ନମିତା ସୁଶାନ୍ତଙ୍କର ପରିଚୟ ପାଇବା ପାଇଁ । ମାତ୍ର ତାଙ୍କର ପ୍ରକୃତ ପରିଚୟ ସେ ପାଇପାରି ନାହାନ୍ତି—ନମିତାଙ୍କର ଧାରଣା ହେଲା ସୁଶାନ୍ତ ଗରିବ—ନିଜର ପରିଚୟ ଦେବାର ଯୋଗ୍ୟତା ବା ଗୌରବ ତାଙ୍କର ନାହିଁ-। ନମିତା ଯେ କ’ଣ ଚାହୁଁଥିଲେ ତା’ ବୁଝିବା ହୁଏତ କଷ୍ଟକର–ନମିତା ଚାହୁଁଥିଲେ ସୁଶାନ୍ତଙ୍କର ଯୋଗ୍ୟତା ନା ଆର୍ଥିକ ଆଭିଜାତ୍ୟ ? ଏ ଆଭିଜାତ୍ୟର ପ୍ରଶ୍ନ ହିଁ ଆଜିର ଜଗତରେ ଏକ ବଡ଼ ସମସ୍ୟା—ଏହାହିଁ ଆଜିର ଜଗତରେ ଏକ ପ୍ରହେଳିକା ।

 

ସୁଶାନ୍ତ ବି କହିପାରିଥାଆନ୍ତେ ନମିତାଙ୍କୁ ଯେ ତାଙ୍କର ଆଭିଜାତ୍ୟ ଅଛି–ସୁଶାନ୍ତଙ୍କର ଆଭିଜାତ୍ୟ ନମିତାଙ୍କ ଆଭିଜାତ୍ୟର ଅନେକ ଉଚ୍ଚରେ–କୋଟିପତିର ପୁଅ ସେ–ଭାଇ ତାଙ୍କର ବଡ଼ ଅଫିସର–ମାତ୍ର ଜାଣି ଜାଣି ସେ ଏ ସବୁକୁ ଗୋପନ ରଖିଲେ–ସେ ଦେଖିବାକୁ ଚାହୁଁଥିଲେ, ଏ ଯୁଗର ଶିକ୍ଷିତା ନାରୀ ଚାହେଁ କ’ଣ ହୃଦୟ ନା ଅର୍ଥ ? ତା’ର ଉତ୍ତର ପାଇଲେ ସୁଶାନ୍ତ ।

 

ବିନିତାହିଁ ପ୍ରଥମେ ଖବର ପାଇଲେ ନମିତା ଜଣେ ସାମ୍ୱାଦିକଙ୍କୁ ବିବାହ କରିଚନ୍ତି । ଗୋଟିଏ ସମ୍ୱାଦପତ୍ରର ସମ୍ପାଦକ ସେ—ଏ ଖବର ପାଇ ସୁଶାନ୍ତ ଖାଲି ଟିକିଏ ହସି ଦେଇଥିଲେ ମାତ୍ର ।

 

ନମିତା ଜାଣନ୍ତି ନାହିଁ ସୁଶାନ୍ତଙ୍କର ବାସ୍ତବ ପରିଚୟ—ତାଙ୍କର ସ୍ୱାମୀ ଯେ ସୁଶାନ୍ତଙ୍କ ବାପାଙ୍କ ସମ୍ୱାଦପତ୍ରର ସମ୍ପାଦକ–ବିବାହର ଅନେକ ଦିନ ପରେ ନମିତା ଦିନେ ସୁଶାନ୍ତଙ୍କ ବାପାଙ୍କୁ ଦେଖିଲେ–ସେଇଦିନ ସ୍ୱାମୀଙ୍କଠାରୁ ସେ ଶୁଣିଲେ ସବୁ । ମନ ଭିତରେ ତାଙ୍କର ଉଠିଲା ଅଶେଷ ଝଡ଼ର ବାଣୀ—ଏ ଝଡ଼ର ଅବସାନ ଆଉ ସମ୍ଭବ ନୁହେଁ–ଅଭିମାନ ଆସିଲା ସୁଶାନ୍ତଙ୍କ ଉପରେ, କେବେହେଲେ ନିଜର ପରିଚୟ ଦେଇନାହାନ୍ତି ସେ–ପୁଣି ନିଜ ଉପରେ ଆସିଲା ରାଗ–ଚିହ୍ନିବାରେ ତାଙ୍କର ନିଜର ଦୋଷ ରହିଯାଇଥିଲା–ସେ ଦୋଷ ସୁଶାନ୍ତଙ୍କର ନୁହେଁ–ନିଜର ।

 

ସୁଶାନ୍ତଙ୍କ ପାଖକୁ ସେଦିନ ସେ ଲେଖିଥିଲେ ଖଣ୍ଡିଏ ଚିଠି—ହୃଦୟର ସବୁ ଦରଦ ସେଇ ଚିଠିରେ ପ୍ରକାଶ ପାଇଥିଲା । ଏ ଜନ୍ମରେ ସେ ନିଜେ ଯେତେବଡ଼ ଦୋଷ କରିଛନ୍ତି ତା’ର ଶାସ୍ତି ନିଜେ ଭୋଗିବେ ଆଉ ଭୋଗୁଛନ୍ତି ମଧ୍ୟ । ତେବେ ତାଙ୍କର ଗୋଟିଏ ମାତ୍ର ଦୁଃଖ ରହିଗଲା ଯେ ସେ ମଣିଷକୁ ଚିହ୍ନିପାରିଲେ ନାହିଁ—ଜଗତଟା ବର୍ତ୍ତମାନ ତାଙ୍କ ଆଖିରେ ଗୋଟାଏ ବିପର୍ଯ୍ୟସ୍ତ ବାସ୍ତବ । ନମିତା ସେଇଥିରେ ଅଶେଷ ଅନୁରୋଧ କରିଥିଲେ ସୁଶାନ୍ତଙ୍କୁ ବିବାହ କରିବା ପାଇଁ–ଜଣକ ଉପରେ ଅଭିମାନ କରି ଜୀବନକୁ ତିଳ ତିଳ କରି ନଷ୍ଟ କରିଦେବା ପାଇଁ ସେ ଦୋଷ ଦେଇଥିଲେ ସୁଶାନ୍ତଙ୍କୁ—ଚିଠି ପାଇ ସୁଶାନ୍ତ କିଛି ମତପ୍ରକାଶ କରିନଥିଲେ ।

 

ସୁଶାନ୍ତ କେବଳ ଭାବିଲେ ଏ ଜଗତରେ ତେବେ ବଡ଼ କ’ଣ ହୃଦୟ ନା ଧନ ? ମଣିଷକୁ ଚିହ୍ନିବାର ଯୋଗ୍ୟତା ଯାହାର ନାହିଁ ସେ ମଣିଷ ନୁହେଁ । ଆଜିର ଜଗତରେ ସମସ୍ତଙ୍କ ଆଖିରେ ଲାଗିଛି କଳା ଚଷମା–ଏ ଚଷମା ଛାଡ଼ି ଖାଲି ଆଖିରେ ମଣିଷ ଦୁନିଆକୁ କେବେ ଦେଖିଚ?

 

ଠିକ୍‌ ସେଇଦିନ ପୁଣି ବିନିତା ପଚାରିଲେ, ସୁଶାନ୍ତ ସତେ କ’ଣ ତୁମେ ମତ ପରିବର୍ତ୍ତନ କରିବନି ? ନା-ନୂଆ’ଉ–ତୁମେ ଭାବନା—ଯେ ନମିତା ଉପରେ ଅଭିମାନ କରି ମୁଁ ଏ ନିଷ୍ପତ୍ତି କରିଛି—ଏ ନିଷ୍ପତ୍ତିରେ ତା’ର କିଛି ଦୋଷ ନାହିଁ ।

 

ତେବେ ମୋତେ ସବୁଦିନେ ଏକା ଏକା ଏଠି ଜୀବନ କଟେଇବାକୁ ପଡ଼ିବ ?

 

ତା’ ବରଂ ମୁଁ ଠିକ୍‌ ମନେକରୁଛି ।

 

ତୁମ ଇଚ୍ଛା—

 

ଦିନର ଶେଷ ଆଲୁଅ ନିଭି ନିଭି ଆସୁଥିଲା—ଠିକ୍‌ ସେମିତି ବିନିତାଙ୍କ ମନରୁ ଶେଷ ଆଶା ନିଭି ନିଭି ଆସୁଥିଲା–ଝରକା ପାଖର ବଉଳଗଛରୁ ଝରି ପଡ଼ୁଥିଲା କେତେଟା ଶୁଖିଲା ପତ୍ର-

★★★

 

ମନ ଓ ମମତା

 

ସେ ମରି ଯାଇଚି !

 

ସୃଷ୍ଟିରେ ତ ଏମିତି କେତେ ଲୋକ ମରୁଛନ୍ତି ସେ ଏବେ ମରିଗଲା, ଭାବିବାର କ’ଣ ଅଛି ? ମରଣଠାରୁ ବଳି ସତ୍ୟ ଜଗତରେ ଆଉ କିଛି ନାହିଁ ।

 

ମଲା ଖବର ପାଇଲେ ମନରେ ଦୁଃଖ ଆସେ—ମାତ୍ର କାହିଁକି ତା’ର ମରଣ ଖବର ପାଇତ ଚିତ୍ରା ମନରେ ଦୁଃଖ ଆସିନି—ସତେଯେମିତି ସେ ଥିଲା ଚିତ୍ରା ଜୀବନର ଗୋଟାଏ ଭାର–ସୌଜନ୍ୟ ଦୃଷ୍ଟିରୁ ଚିତ୍ରା ଆଜି ପର୍ଯ୍ୟନ୍ତ ତା’ ପାଖରେ ସମ୍ବେଦନଶୀଳ ମନ ନେଇ ଠିଆ ହେଇଥିଲା–ତା’ର ମରଣ ପରେ ସେ ସୌଜନ୍ୟରୁ ଚିତ୍ରା ରକ୍ଷା ପାଇଲା ।

 

ସେ ମରିଯାଇଚି–ଖବରଟା ମିଛ ନୁହେଁ–ତା’ର ମରିବାଟା ନିତାନ୍ତ ଦରକାର ଥିଲା ଚିତ୍ରା ପାଇଁ ।

 

ସେ.....ପୁଣି କିଏ ? କେବେ ପୁଣି ତା’ ସହିତ ଚିତ୍ରାର ପରିଚୟ, କାହିଁକି ପୁଣି ଚିତ୍ରା ସହିତ ତା’ର ସଦ୍‌ଭାବ କେହି ଜାଣି ପାରନ୍ତିନି–ସମସ୍ତେ ଅନୁମାନ କରନ୍ତି–ସମସ୍ତେ ସନ୍ଦେହ କରନ୍ତି–ପୁରୁଷ ଆଉ ନାରୀର ସମ୍ପର୍କ ଭିତରେ ସଂକୀର୍ଣ୍ଣମନା ସମାଜ ଯେତିକ ଅନୁମାନ କରିପାରେ ସେତିକି–ବ୍ୟତିକ୍ରମ ପାଇଁ କେହି କେବେ ଭାବିନି ।

 

ତଥାପି ଚିତ୍ରା ଭାବୁଚି । ହଁ ସେ ଆଜି ମରିଯାଇଚି—କିନ୍ତୁ କାହିଁକି ସେ ଆଜି ଭାବୁଚି ? ଯେତେ ଚେଷ୍ଟା କଲେ ବି ତା’ ମନ ଏଇ ଖବରଟାକୁ ଏକାବେଳେକେ ଭୁଲି ଯାଇ ପାରୁନି– ।

 

ପାଞ୍ଚଟା ବାଜି ଯାଇଚି–ଚଇତି ଖରା କ୍ରମେ ମଉଳି ଆସୁଚି—ଚଇତାଳି ବହି ଚାଲିଚି–ପରଦାଟା ବେଳେବେଳେ ଦୋହଲି ଯାଉଛି–ମଝିରେ ମଝିରେ ଝଲକାଏ ଲେଖା ପବନ ପଶି ଆସି ଚିତ୍ରାର ଭାବନାରେ ଯେମିତି ଗୋଟାଏ ଗୋଟାଏ ବ୍ୟାଘାତ ସୃଷ୍ଟି କରୁଚି । ଫାଟକ ପାଖରେ କାର୍‌ର ଶବ୍ଦ–ମୋହନ ଫେରିଲେଣି ଅଫିସରୁ–ଚିତ୍ରାର ଅଜାଣତରେ ଘର ଭିତରକୁ ପଶି ଆସିଛନ୍ତି ମୋହନ–ମୋହନ ଦେଖିଲେ ଚିତ୍ରା ଅନ୍ୟମନସ୍କା–

 

ଚିତ୍ରା–

 

ଭାବନାରେ ତା’ର ବାଧା ଆସିଲା ।

 

ଏମିତି ବସିଚ ଯେ ?

 

ଉତ୍ତର କିଛି ଦେଇପାରିଲାନି ଚିତ୍ରା–

 

ମୋହନ ଚାହିଁଲେ ଚିତ୍ରାର ମୁହଁକୁ—ଅଦିନିଆ ମେଘ ଆସି ଶରତର ମେଘଯୁକ୍ତ ଆକାଶକୁ ଢାଙ୍କିଲା ପରି ଚିତ୍ରାର ମୁହଁରେ ବିଷାଦର ଘନ ଆସ୍ତରଣ ।

 

ଚିତ୍ରା—

 

ପୁଣି କିଛି ଉତ୍ତର ନାହିଁ—

 

କ’ଣ ହେଇଚି ତୁମର ?

 

ମୋହନ ଦେଖିଲେ ଚିତ୍ରାର ଆଖିରୁ ବହି ପଡ଼ିଲା କେଇ ବିନ୍ଦୁ ଅଶ୍ରୁ । କ’ଣ କିଛି କହିବନି ?

 

ଏଁ–ହଁ–ସେ ମରିଯାଇଚି ।

 

କିଏ ?

 

ଏଇ କିଏର ଉତ୍ତର ମୁଁ ଦେଇପାରିବନି–ତୁମେ ଏତିକି ଜାଣିଲେ ଯଥେଷ୍ଟ ହେବ ଯେ ଜଣେ ମରିଯାଇଚି ତାରି ଲାଗି ଆଜି ମୋ ଆଖିରେ ଅଶ୍ରୁ ।

 

ଚିତ୍ରା—

 

କ’ଣ— ?

 

ତୁମେ ଦୁଃଖ କରନା–ଯାହାର ଯିବାର କଥା ସେ ଯିବ–ଦୁଃଖର କାରଣ କିଛି ନାହିଁ । ଏତିକି କହି ଚାଲିଗଲେ ମୋହନ ଭିତରକୁ ।

 

ଚିତ୍ରା ଭାବିଲା, ଦୁଃଖର ବା କାରଣ କଣ ? ଏ ଦୁଃଖ କାହିଁକି ? ପୁଣି ମନେପଡ଼ିଲା, ହଁ ଦିନେ ସେ କହିଥିଲା ମମତାର ପ୍ରତିଦାନହିଁ ଅଶ୍ରୁ–ଚିତ୍ରା ତା’ କଥାକୁ ସେଦିନ ଅସ୍ୱୀକାର କରିଥିଲା, ଆଜି ତା’ ମରଣ ପରେ ସେ ତା’ କଥାର ସତ୍ୟତା ବୁଝିପାରିଲା । –ଏମିତି ତ କେତେ କଥା ସେ ଚିତ୍ରାକୁ କହିଚି–ସବୁତକ ଚିତ୍ରା ଫାଙ୍କି ଦେଇଛି–ସବୁ କ’ଣ ଏମିତି ସତ ? ହେଲେ ତା’ କଥାର ସତ୍ୟତା ବୁଝି ତା’ ପାଖରେ ନିଜର ଭ୍ରମ ବୁଝାଇବା ପାଇଁ ଚିତ୍ରା ଜୀବନରେ ଅବସର ଆସି ପାରିଲାନି ।

 

ପୁଣି ଆସିଲେ ମୋହନ–

 

ଚିତ୍ରା—

 

ଏଁ–କ’ଣ ?

 

କହିଲନି କିଏ ? —ଅହୀନ୍ଦ୍ର ନୁହେଁ ତ !

 

ଅହୀନ୍ଦ୍ର ନାଆଁଟା ଶୁଣି ହଠାତ୍‌ ଚିତ୍ରା ଦେହରେ ଯେମିତି ଗୋଟାଏ ଚମକ ଖେଳିଗଲା । ବ୍ୟତିବ୍ୟସ୍ତ ହୋଇ ଚିତ୍ରା ସେଠୁ ଚାଲିଗଲା । ଆରପାଖ ଘରେ ଅହୀନ୍ଦ୍ରର ଫଟୋ । ଫଟୋ ପାଖରେ ଠିଆହେଲା ଚିତ୍ରା—ଫଟୋକୁ ଚାହିଁପାରିଲାନି ସେ—ଆଖି ତା’ର ପୂରିଉଠିଲା ଲୁହରେ–ତଥାପି ସେ ଚାହିଁଲା, ସତେଯେମିତି ଅହୀନ୍ଦ୍ର ତାରି ଆଗରେ ଠିଆ ହୋଇଛି—ମୁହଁରେ ଲାଖି ରହିଛି ସେଇ ପିଲାଳିଆ ହସ । ଏଇ ଫଟୋଟି ପାଇବାକୁ ଚିତ୍ରା କେତେ ନ ରାଗିଚି କେତେ ଅଭିମାନ ନ କରିଚି ଅହୀନ୍ଦ୍ର ଉପରେ । ଶେଷରେ ଚିତ୍ରା ପାଇଲା–ସେଦିନ କେବେଠୁ ଗଲାଣି–ଅହୀନ୍ଦ୍ର ବି ଆଜି ଚାଲିଯାଇଛି । ଅହୀନ୍ଦ୍ରର ଏଇ ଫଟୋକୁ ଦେଖେ ଚିତ୍ରା–ଅହୀନ୍ଦ୍ରର ଦରହସା ମୁହିଁ ଚିତ୍ରାକୁ ମୁଗ୍‌ଧ କରେ–ମାତ୍ର ଆଜି ସତେଯେମିତି ଚିତ୍ରା କାନ ପାଖରେ ଅହୀନ୍ଦ୍ରର ସ୍ୱର ଶୁଭି ଯାଉଛି-

 

ସୁଲତା ଲେଖିଚି ଚିଠି–ଅହୀନ୍ଦ୍ରର ମଲା ଖବର । କେମିତି ସୁଲତା ଲେଖିପାରିଲା—ଲେଖିବାବେଳେ ବି ସୁଲତା ଆଖିରେ ଲୁହ ଜମି ଆସିଥିବ–ସୁଲତା ତ ଅହୀନ୍ଦ୍ରକୁ କମ୍‍ ସ୍ନେହ କରେନା–ଦୀର୍ଘ ଦୁଇମାସ କାଳ ଅହୀନ୍ଦ୍ର ଜରରେ ପଡ଼ିଲା—କାହାକୁ ଜଣେଇନି ତା’ର ଅସୁସ୍ଥ କଥା–ବାପା, ମା’, ଭାଇ, ଭଉଣୀଙ୍କଠାରୁ ଦୂରରେ ବିଦେଶରେ ଗୋଟାଏ ଗୋଷ୍ଠୀଛଡ଼ା ଜୀବ ପରି ବେମାରିରେ ପଡ଼ି ଅହୀନ୍ଦ୍ର ମରିଗଲା–ବେମାରିରେ ପଡ଼ି କେତେ କଷ୍ଟ ସହିନଥିବ ସେ–ତଥାପି କାହାକୁ ଜଣେଇନି–ଆଠଦିନ ତଳେ ସେ ଲେଖିଥିଲା ଚିଠି ଚିତ୍ରା ପାଖକୁ ଭଲରେ ଅଛି ବୋଲି । ଏମିତି ମିଛ କାହିଁକି ସେ ଲେଖିଲା ? ଚିତ୍ରା ପାଖରେ ସେ କ’ଣ ମୁକ୍ତ ହୃଦୟ ନୁହେଁ ?

 

ଜୀବନର ଚଲାପଥରେ ଅର୍ଦ୍ଧେକ ଦୂର ଅଗ୍ରସର ହେଇଚି ଚିତ୍ରା–ଏଇ କେତୋଟି ବର୍ଷ ଭିତରେ କେତେ ଆତ୍ମୀୟ ସ୍ୱଜନ ତା’ ପାଖରେ ଦେଖା ଦେଇଛନ୍ତି–ମାତ୍ର ଚିତ୍ରା କାହିଁକି ଅହୀନ୍ଦ୍ରକୁ ଏମିତି ଭଲ ପାଇଥିଲା ? ଶେଷରେ ବି ଏମିତି ଭୁଲ୍‌ ବୁଝିଲା–ଅହୀନ୍ଦ୍ରକୁ ସେ ଭୁଲ୍‌ ବୁଝିବାର ପାଞ୍ଚଟି ବରଷ ହେଲାଣି–ଏହାଭିତରେ ଆଉ ଦେଖା ହେଇନି ଦୁହିଁଙ୍କର–ଜାଣି ଜାଣି ଅହୀନ୍ଦ୍ର ଆଉ ଦେଖା ଦେଇନି–ବେଳେବେଳେ ଚିଠି ଦିଏ ।

 

କେତେ ଆକୁଳ ଭାବରେ ସେ ଲେଖେ ଚିତ୍ରାର ଖବର ଜାଣିବା ପାଇଁ । ମାତ୍ର ଚିତ୍ରା ତାକୁ ସେଥିରୁ ବଞ୍ଚିତ କରିଛି–ଏଇ ପାଞ୍ଚୋଟି ବରଷ ଭିତରେ ତା’ ପାଖକୁ ଧାଡ଼ିଏ ବି ଲେଖି ପାରିନି–ଚିତ୍ରା ଭାବିଲା ସେ ଅନ୍ୟାୟ କରିଚି–ମୃତ୍ୟୁଶଯ୍ୟାରେ ସେ ନିଶ୍ଚୟ ଚିତ୍ରାକୁ ଖୋଜିଥିବ–କିଏ ବା ତା’ କଥା ଶୁଣିଥିବ ? ସମସ୍ତଙ୍କୁ ଆପଣାର କରି ନେଇ ପୁଣି ସମସ୍ତଙ୍କଠାରୁ ଦୂରେଇ ଯାଇ ଗୋଟାଏ ହତଭାଗ୍ୟ ଗୋଷ୍ଠୀଛଡ଼ା ଜୀବ ପରି ରାସ୍ତା କରରେ ପଡ଼ି ମରିଚି ଅହୀନ୍ଦ୍ର-ବୋଧହୁଏ ଜୀବନଟା ତା’ର ଅଭିଶପ୍ତ–ଏମିତି ଗୋଟାଏ ଅଭିଶପ୍ତ ଜୀବନର ପରିସମାପ୍ତି ଭଲ ହେଇଚି ।

 

ଆକସ୍ମିକ ଭାବରେ ଅହୀନ୍ଦ୍ରର ଚିତ୍ରା ସହିତ ପରିଚୟ–ଏଇ ଆକସ୍ମିକ ପରିଚୟ ଭିତରେ ହାର୍ଦ୍ଦିକତା ଗଢ଼ି ଉଠେ । କୋଟିପତିର କନ୍ୟା ଚିତ୍ରା, ଦରିଦ୍ରର ସନ୍ତାନ ଅହୀନ୍ଦ୍ର–ତଥାପି ଦୁହିଁଙ୍କ ବନ୍ଧୁତା ଭିତରେ କେବେହେଲେ ବ୍ୟବଧାନ ଦେଖାଦେଇନି । ଚିତ୍ରାର ଅଭିମାନୀ ମନ ପାଖରେ ଅହୀନ୍ଦ୍ର ସବୁବେଳେ ଋଣୀ । ଅହୀନ୍ଦ୍ରର ଦାରିଦ୍ର୍ୟ ପ୍ରତି ସମ୍ବେଦନଶୀଳା ଚିତ୍ରା ଯଥେଷ୍ଟ ସହାନୁଭୂତି ଦେଖେଇଚି–ଅହୀନ୍ଦ୍ର ଋଣୀ ତା’ ପାଖରେ । ଦରିଦ୍ର ଅହୀନ୍ଦ୍ର ଚିତ୍ରାର ଦାନକୁ ଅସ୍ୱୀକାର କରିପାରିନି–ମଥାପାତି ଗ୍ରହଣ କରି ନେଇଛି—ଦାନ ଗ୍ରହଣ କରିବା ଅହୀନ୍ଦ୍ର ଜୀବନରେ ଏଇ ପ୍ରଥମ–ଦରିଦ୍ର ହେଲେ ବି କାହା ପାଖରେ ଦିନେ ସେ ହାତ ପାତିନି–ଯଦି କେହି ଦାନ ଦେବାରେ ପ୍ରବୃତ୍ତି ନେଇ ତା’ ଆଗରେ ଦେଖା ଦେଇଚି ତେବେ ସେ ତା’ ପାଖରୁ ଦୂରେଇ ରହିଚି–ମାତ୍ର ଚିତ୍ରା ପାଖରେ ତା’ ସେ କରିପାରିନି ।

 

ଦିନେ ଚିତ୍ରା କହିଥିଲା, ମୁଁ ଜାଣେ, କାହାଠୁ କିଛି ଗ୍ରହଣ କରିବା ତୁମର ନୀତି ବିରୁଦ୍ଧ, ଏକଥା ଜାଣି ବି ମୁଁ ଦେଇଛି—ତୁମେ ନେଇଛ–ମୋ ସ୍ନେହ ପାଖରେ ତୁମର ନୀତି ମୁଣ୍ଡ ଟେକି ପାରିନି—ହାରି ଯାଇଛି । ମଣିଷର ନୀତି ସ୍ନେହ ପାଖରେ ହାରିଯାଏ । ସ୍ନେହ ପାଖରେ ଅଜେୟ କିଛି ନାହିଁ । ପ୍ରକୃତ କଥା, ଅହୀନ୍ଦ୍ରର ସ୍ନେହ ପାଖରେ ଚିତ୍ରା ହାରି ଯାଇଛି । ଅହୀନ୍ଦ୍ର ମରିନି–ତା’ର କେବେ ମୃତ୍ୟୁ ନାହିଁ ଚିତ୍ରା ପାଖରେ–ଚିତ୍ରା ନିଜେ ଆଜି ପରାଜିତା ।

 

ହଜିଲା ଦରବର ମୂଲ ଏମିତି ବଢ଼ିଯାଏ—ଆଜି ଅହୀନ୍ଦ୍ର ହଜିଯିବା ପରେ ତା’ର ଗୁରୁତ୍ୱ ଚିତ୍ରା ବୁଝିପାରୁଛି—ମାତ୍ର ଏମିତି ତ କେବେ ଦିନେ ସେ ବଞ୍ଚିଥିଲାବେଳେ ଭାବିପାରି ନଥିଲା । ହଁ, ଚିତ୍ରାର ଏବେ ବି ମନେଅଛି–ଦିନେ ଅହୀନ୍ଦ୍ର ତାକୁ କହିଥିଲା, ତୁମେ ମୋତେ ଚିହ୍ନିବାକୁ ଚେଷ୍ଟା କରିନା ଚିତ୍ରା’–ଚିତ୍ରା ତା’ର ଉତ୍ତରରେ କହିଥିଲା, ‘ହଁ’ ମୁଁ ତୁମକୁ କେବେ ଚିହ୍ନିବାକୁ ଚେଷ୍ଟା କରିନି ଏକଥା ସତ–ସମୟର ଗତିରେ ମଣିଷ ମଣିଷକୁ ଚିହ୍ନେ, ବଳେବଳେ ଚିହ୍ନି ହେଇଯାଏ । ଚିହ୍ନିବାକୁ ଚେଷ୍ଟା କରିବା ବୃଥା ।’ ସମୟ ତା’ ବାଟରେ ଗତି କରି ଯାଇଛି—ତଥାପି ଚିତ୍ରା ଚିହ୍ନିପାରିନି ଅହୀନ୍ଦ୍ରକୁ ଅହୀନ୍ଦ୍ରର ଜୀବନରେ ସମୟ ଯେଉଁଠି ପୂର୍ଣ୍ଣଚ୍ଛେଦ ଦେଇଛି ସେଇଠି ସେ ଚିହ୍ନିପାରିଛି ଅହୀନ୍ଦ୍ରକୁ ।

 

କଲିକତାରେ ଗୋଟିଏ କମ୍ପାନୀରେ ଚାକିରି କରେ ଅହୀନ୍ଦ୍ର—ସ୍ୱଳ୍ପ ମାତ୍ର ଉପାର୍ଜନରେ ତା’ର ଜୀବନକୁ ଚଳେଇ ନିଏ ସେ—କାହା ପାଖରେ କେବେ ହାତ ପାତିବାର ମନନେଇ ଅହୀନ୍ଦ୍ର ବେଳ କଟେଇନି—ଦୁଃସ୍ଥ ଶରୀରରେ ହାଡ଼ଭଙ୍ଗା ଖଟଣିରେ ଯେତିକି ପାଏ ସେତିକିରେ ସେ ସନ୍ତୁଷ୍ଟ ରହେ–କାହାର ସୁଖ ଦେଖିଲେ ମନରେ ତା’ର ଈର୍ଷା ଆସେନା, ବରଂ କାହାର ଦୁଃଖ ଦେଖିଲେ ମନତଳେ ତା’ର ବେଦନା ଜମିଉଠେ–ଭାଇ, ବନ୍ଧୁ, ଘରଦ୍ୱାର ସମସ୍ତଙ୍କଠାରୁ ଦୂରେଇ ଯାଇ ଅହୀନ୍ଦ୍ର ଏମିତି ଗୋଟାଏ ଜୀବନକୁ ବରଣ କରି ନେଇଥିଲା—କିନ୍ତୁ କାହିଁକି ? ଶାନ୍ତିରେ କ’ଣ ମରିପାରିଲା ସେ ?

 

ଚିତ୍ରା ଆଜି ଭାବୁଚି, ଅହୀନ୍ଦ୍ର ଦିନେ ତାକୁ ଆଶୀର୍ବାଦ କରିଥିଲା, ‘ଚିତ୍ରା, ଜୀବନ ତୁମର ମଙ୍ଗଳମୟ ହେଉ—ସତକୁସତ ଚିତ୍ରା ଜୀବନରେ ଅମଙ୍ଗଳର କୌଣସି ସୂଚନା ଆସିନି । ସମାଜ ଯାହାକୁ କହେ ସୁଖ୍ୟାତି ସେତକ ସେ ପାଇଛି–ସ୍ୱାମୀ ତା’ର ଇଞ୍ଜିନିୟର—ମୋଟା ଦରମା ପାଆନ୍ତି–ଆଭିଜାତ୍ୟର ଆବରଣ ତଳେ ତା’ର ସାମାଜିକ ଜୀବନ—ତିନିତାଲା କୋଠାରେ ନାଲି ନେଳି ଆଲୁଅ ଭିତରେ, କାର୍ପେଟ୍‌ ଉପରେ ସ୍ଲିପର୍‌ ଘୋଷାରି ଚାଲେ ଚିତ୍ରା—ସଞ୍ଜବେଳେ ବୁଲିଯିବା ପାଇଁ ପୋର୍ଟିକୋ ତଳେ ଅପେକ୍ଷା କରେ ମଟର କାର୍‍–ଜୀବନଟାଇ ଖାଲି ରଙ୍ଗିନ୍‌ ନିଶାରେ ସିକ୍ତ—ଏ ଜୀବନରେ ଦୁଃଖର ସତ୍ତା ନାହିଁ—କେବଳ ଅଛି ସ୍ୱପ୍ନ ।

 

ଏମିତି ଗୋଟାଏ ସ୍ୱପ୍ନମୟ ଜୀବନ ନେଇ ଚିତ୍ରା ଚାଲିଛି ତା’ର ଦୁନିଆରେ–ବେଳେବେଳେ ଚିଠିଯାଏ ଅହୀନ୍ଦ୍ରଠାରୁ–କେତେ ଆକୁଳରେ ଅହୀନ୍ଦ୍ର ଲେଖେ ଚିତ୍ରାର ଖବର ଜାଣିବା ପାଇଁ–ପାଞ୍ଚ ବରଷ ଭିତରେ ଏମିତି କେତେ ଚିଠି ସେ ପାଇଚି ମାତ୍ର ଖଣ୍ଡିଏ ଉତ୍ତର ଦେଇପାରିନି–ବଡ଼ଲୋକର ପତ୍ନୀ ସେ–ସମାଜରେ ଖ୍ୟାତି ତା’ର ଅଛି–ଅତୀତରେ ଦିନେ କେଉଁଦିନ ଜଣକ ସାଙ୍ଗରେ ତା’ର ବନ୍ଧୁତା ଥିଲା—ଆଜି ସେ ବନ୍ଧୁର ମଣିଷ ରୂପେ ପରିଚୟ ଦେବାର ଯୋଗ୍ୟତା ନାହିଁ–ସାମାନ୍ୟ କେତେଟା ଟଙ୍କା ପାଇଁ କଲିକତାରେ ମୁଣ୍ଡ ବିକିଛି–ଥରେ ନିଜ ସ୍ୱାମୀଙ୍କ ଅଫିସରେ ଗୋଟିଏ ଚାକିରି ଠିକ୍‌ କରି ଚିତ୍ରା ଅହୀନ୍ଦ୍ରକୁ ଲେଖିଥିଲା—ମାତ୍ର ଅହୀନ୍ଦ୍ର ଚିତ୍ରାର ଏ ସହାନୁଭୂତି ମିଶା ଦୟାକୁ ପ୍ରତ୍ୟାଖ୍ୟାନ କଲା–ଫଳରେ ମୋହନ ଚିତ୍ରା ଉପରେ ବିରକ୍ତ ହେଲେ–ଚିତ୍ରା ବି ଭୁଲ୍‍ ବୁଝିଲା ଅହୀନ୍ଦ୍ରକୁ–ସେ ଭାବିଲା ଦାରିଦ୍ର୍ୟର କଙ୍କାଳ ଭିତରେ ଅହୀନ୍ଦ୍ର ତା’ର ନିଜତ୍ୱ ହରାଇ ବସିଛି–ମନୁଷ୍ୟତ୍ୱ ତା’ର ଚାଲି ଯାଇଛି–ସେଇଦିନୁ ଚିତ୍ରା ହୃଦୟରେ ଅହୀନ୍ଦ୍ର ପାଇଁ ଆସିଚି ଘୃଣା–ଏତେ ସ୍ନେହ ମମତା ଗୋଟାଏ ସାମାନ୍ୟ ଘଟଣାରେ ଉଭେଇ ଗଲା ।

 

ସ୍ୱାମୀଙ୍କର ମାନ ସମ୍ମାନକୁ ଜଗି ଚିତ୍ରା ଅତି ସହଜ ଭାବରେ ଅହୀନ୍ଦ୍ରକୁ ଦୂରେଇ ଦେଇ ପାରିଲା । ଅହୀନ୍ଦ୍ର ତ ତାକୁ କହିଥିଲା, ଚିତ୍ରାର ଜୀବନରେ ଅହୀନ୍ଦ୍ର କେବେହେଲେ ଗୋଟାଏ ପ୍ରତିବନ୍ଧକ ହୋଇନପାରେ–ଚିତ୍ରାର ମଙ୍ଗଳପାଇଁ ଯଦି ଅହୀନ୍ଦ୍ରର ଚିତାଭଷ୍ମ ଦରକାର ପଡ଼େ ତେବେ ସେ ତା’ ପାଇବ–କିନ୍ତୁ କାହିଁକି ? ଗୋଟାଏ ଜୀବନକୁ ଏମିତି ଜାଳିପୋଡ଼ି ପାଉଁଶ କରିଦେବା ମୂଳରେ ଥିଲା କ’ଣ ? ଜଗତ ପ୍ରତି ଅଭିମାନ ନା ନିଜ ପ୍ରତି ଅନାସ୍ଥା ?

 

ଖବରକାଗଜ ଉପରୁ ମୁହଁ ଉଠେଇଲେ ମୋହନ କ୍ଲବକୁ ଖେଳିବାକୁ ଯିବାର ବେଳ ତାଙ୍କର ହୋଇଯାଇଚି—ବାହାରି ଗଲେ ସେ—କାର୍‌ର ଶବ୍ଦ ଦୂରେଇ ଗଲା ।

 

ଆରପାଖ ଘରକୁ ଗଲା ଚିତ୍ରା–କାନ୍ଥ ଉପରେ ଅହୀନ୍ଦ୍ରର ସେଇ ଚିତ୍ରପଟ–ରେଡ଼ିଓଟା ଖୋଲିଲା ଚିତ୍ରା–କିଏ ଜଣେ ଗାୟିକା ଗାଇ ଚାଲିଛି–ଆଜି ମୋ ଜୀବନ ଆକାଶରେ ଝଡ଼ ଉଠୁଛି–ଝଡ଼ ଆସେ; କାଠି କୁଟା ସବୁ ଉଡ଼େଇ ନିଏ–ମାତ୍ର ମୋ ଜୀବନ ଆକାଶରେ ଏଝଡ଼ ଦେଇଚି ବିପରୀତ ଫଳ–କେଉଁଠୁ କେତେ ଅଳିଆ କାଠି କୁଟା ଆଣି ମୋ ଉପରେ ଜମା କରିଛି । ଏଇ ହୁଏତ ଆଜି ମୋ ଜୀବନର ପରାଜୟର ସୂଚନା–ମୋର ଏଇ ପରାଜୟ ପୀଠରେ ତୁମରି ବିଜୟ ଦୀପାଳି ଜଳି ଉଠୁ—ମୋରି ଚିତାଭଷ୍ମ ତଳୁ ତୁମରି ଗୌରବ କଳି ଫୁଟି ଉଠୁ—ମୋର ପରାଜୟ ତୁମର ବିଜୟରେ ପରିଣତ ହେଉ ।

 

ରେଡ଼ିଓରେ ଧୀର ମୂର୍ଚ୍ଛିତ ସ୍ୱରରେ ଗାୟିକା ଗାଇ ଚାଲିଛନ୍ତି–ଚିତ୍ରାର କାନ ଗୀତରେ, ଆଖି କାନ୍ଥ ଉପରର ଚିତ୍ରପଟ ଉପରେ–ଅନେକ ଦିନ ତଳେ ଅହୀନ୍ଦ୍ର ଏଇ ଗୀତଟିକୁ ଲେଖିଥିଲା–ଗୀତଟିକୁ ଲେଖିବା ପରେ ପରେ ଚିତ୍ରା ଦେଖିଥିଲା–ସେଇଟି ଆଜି ଗାୟିକାର କଣ୍ଠସ୍ୱର ଦେଇ ପ୍ରକାଶ ପାଉଛି । ସେଦିନ ଏଇ ଗୀତଟି ପଢ଼ିବାବେଳେ କ’ଣ ଆଜି ଏମିତି ଭାବରେ ଶୁଣିବା କଥା କେବେହେଲେ ଚିତ୍ରା କଳ୍ପନା କରି ପାରିଥିଲା ? ଗୀତଟି ପଢ଼ି ତା’ ଉପରେ କିଛି ଟିପ୍‍ପଣୀ ଦେଇ ପାରିନଥିଲା ସେଦିନ ଚିତ୍ରା–ଆଜି ଗୀତଟି ଶୁଣିବା ବେଳେ ଆଖି ରହିଛି ଅହୀନ୍ଦ୍ରର ଚିତ୍ରପଟ ଉପରେ । ଚିତ୍ରପଟଟି କ୍ରମେ ଝାପ୍‌ସା ଦେଖାଯାଉଛି । ଆଖିରେ ଭରିଯାଉଛି ଅଶ୍ରୁ । ଚିତ୍ରା ଚିତ୍କାର କରି ଉଠିଲା–ନା’ ନା ଅହୀନ୍ଦ୍ର ତୁମେ କେବେ ମରି ନ ପାର—ତୁମର ମୃତ୍ୟୁ ନାହିଁ–ତୁମେ ବଞ୍ଚିଛ ତୁମରି ରଚନା ଭିତରେ–ତୁମେ ସେମିତି ବଞ୍ଚି ରହିବ ।’’

 

ତଥାପି—ସେ ମରିଯାଇଚି ।

 

କ୍ଲବରୁ ଫେରିଲେ ମୋହନ । ଚିତ୍ରା ସେମିତି ବସିଥାଏ ।

 

ଚିତ୍ରା—

 

କ’ଣ—

 

ଏପର୍ଯ୍ୟନ୍ତ ତୁମର ଦୁଃଖ ଯାଇନି ?

 

ନା—

 

ତୁମର ତଥାକଥିତ ଗୋଟାଏ ହତଭାଗ୍ୟ ବନ୍ଧୁ ପାଇଁ ଏମିତି ଶୋଚନା ନିତାନ୍ତ ଅସୁନ୍ଦର-।

 

ଉଠିଲା ଚିତ୍ରା–ଅତୀତ ତା’ ଆଗରୁ ଦୂରେଇଗଲା । ଆଭିଜାତ୍ୟର ଚେତନା ତା’ର ଫେରି ଆସିଲା । ସତେତ, କାହିଁକି ଗୋଟାଏ ହତଭାଗ୍ୟ ପାଇଁ ଆଜି ଏ ଶୋଚନା ! ନିଜେ ଜଣେ ଖ୍ୟାତାନାମା ଇଞ୍ଜିନିୟରର ପତ୍ନୀ ହୋଇ ଏମିତି ଗୋଟାଏ ଲକ୍ଷ୍ୟହରା ହତଭାଗ୍ୟ ଜୀବ ପାଇଁ ଦୁଃଖ କରିବା ନିତାନ୍ତ ଅସୁନ୍ଦର–ସେ ମରିଯାଇଚି । ମରୁ, ମରିବା ତା’ର ନିତାନ୍ତ ଉଚିତ ଥିଲା । ଏଥର ଅତି ସହଜରେ ତା’ କଥା ମନରୁ ପାସୋରି ଦେଇ ହେବ । ଚିତ୍ରପଟଟିକୁ କାନ୍ଥ ଉପରୁ ଛିଡ଼ାଇ ଆଣିଲା ଚିତ୍ରା । ଝରକା ବାଟ ଦେଇ ଫିଙ୍ଗି ଦେଲା ବାହାରକୁ । ଏଇ ହୁଏତ ଅହୀନ୍ଦ୍ରର ଶେଷ ସ୍ମୃତି । ସେତକ ବି ଯାଉ–ସେତକ ନ ଗଲେ ଚିତ୍ରା ତାକୁ ଭୁଲିବା ସହଜ ହେବନି । କେତେ ଅଭିମାନ କରି ଅହୀନ୍ଦ୍ରଠୁ ଆଣିଥିବା ଚିତ୍ରପଟଟିକୁ ଏମିତି ଭାବରେ ଫିଙ୍ଗିଦେଇ ପାରିଲା ଚିତ୍ରା । ଅହୀନ୍ଦ୍ର ମରିଯାଇଚି–କିନ୍ତୁ ଚିତ୍ରା ବଞ୍ଚିଚି !

★★★

 

ଦାନ

 

‘‘ସମୟର ଗତିରେ ମଣିଷ ମଣିଷକୁ ଚିହ୍ନେ ବଳେ ବଳେ ଚିହ୍ନି ହେଇଯାଏ । ଚିହ୍ନିବାକୁ ଚେଷ୍ଟା କରିବା ବୃଥା ।’’

 

ଏଇ ପଦକ କଥା ଭିତରେ ସେଦିନ କେତେ ଆକାଶ ପାତାଳ ଭାବି ଯାଇଥିଲି ମୁଁ । ଜୀବନରେ କ’ଣ ଏଇ କଥା ପଦକର ମୂଲ୍ୟ ଅଛି ? ଯେତେ ଚେଷ୍ଟା କଲେ ବି ମୁଁ ନିଜ ମନକୁ ବୁଝେଇ ପାରିଲିନି । ଏଇ ଦୁନିଆରେ ପୁଣି ଏମିତି ଧରଣର ମଣିଷ ଅଛନ୍ତି ଯେଉଁମାନେ ବାହାରକୁ ଦେଖାନ୍ତି ଏକ ପ୍ରକାର ଆଉ ପ୍ରକୃତରେ ଭିତର ଅନ୍ୟ ପ୍ରକାର—ସମୟ ଗତିରେ ପୁଣି ଏମାନେ ଚିହ୍ନା ପଡ଼ିବେ କିମିତି ?

 

ମଣିଷ–ହଁ ରକ୍ତମାଂସର ଦେହଧାରୀ ମଣିଷ ସମସ୍ତେ । କାମନା ବାସନାର ମୋହ ସଭିଙ୍କଠାରେ ଅଛି । ତଥାପି କ’ଣ ସମସ୍ତେ ସମାନ ? ତା’ କେବେ ହୋଇପାରିନି କି ହୋଇପାରିବନି ଏଇ ମଣିଷ ଦେହ ନେଇ ଜନ୍ମିଛନ୍ତି ବୁଦ୍ଧ, ଅଶୋକ, ପୁଣି ଆଲେକଜାଣ୍ଡାର, ନେପୋଲିଅନ–ସମୟର ଗତିରେ ଏମାନଙ୍କୁ ଚିହ୍ନିବା ସହଜ, ମାତ୍ର ସମୟର ଗତିରେ କେତେ ଏମିତି ବୁଦ୍ଧ ଅଶୋକ ଆଲେକଜାଣ୍ଡାର ଆଉ ନେପୋଲିୟନ ଅଜଣା ଅଚିହ୍ନା ଭାବରେ ମଉଳି ଯାଇଛନ୍ତି ତା’ର ହିସାବ ରଖିଛି କିଏ ?

 

ତା’ କହି ହେବନି–ମଣିଷର ପ୍ରକୃତିରେ କିଛି ସ୍ୱାଭାବିକ ଅସ୍ୱାଭାବିକ ପ୍ରଶ୍ନ ନାହିଁ–ସବୁ ସମ୍ଭବ ।

 

ତଥାପି ସମୟ ଗତିର ମୂଲ୍ୟ ଅଛି । ତା’ କେହି ଅସ୍ୱୀକାର କରିପାରିବ ନାହିଁ–ତା’ ଯେ ଅସ୍ୱୀକାର କରେ ସେ ହୁଏତ ମଣିଷ ସମାଜରେ ଚଳିନି ବୋଲି ଜାଣିବାକୁ ହେବ ।

ଆକାଶରେ ଚଲା ବଉଦର ଅବିରାମ ଗତି । ଝରି ଝରି ଚାଲିଛି ବର୍ଷା । ବହି ଚାଲିଛି କୋହଲା ପବନ–ଭାବି ଚାଲିଚି ମୁଁ–ଜୀବନରେ ଏଇ ଗୋଟାଏ ଦିନର ସ୍ମୃତି ମୋ ପକ୍ଷରେ କମ୍‍ ନୁହେଁ–ଆଜିର ଜୀବନରେ ଥାଇ ଆସନ୍ତାକାଲିର କଥା ଭାବିବା କେବେ ମୋ ପକ୍ଷରେ ସମ୍ଭବ ହେଇନି–ତଥାପି ବେଳେବେଳେ ମନେପଡ଼ିଯାଏ–ଆଜି ଯେମିତ ଭାବରେ ହସି ହସି ବେଳ କାଟି ଦେଉଛି ଆସନ୍ତାକାଲି ସେମିତି ପାରିବିତ; ଆଜି ଯେଉଁମାନଙ୍କର ସ୍ନେହ ସହାନୁଭୂତି ଜୀବନର ପଥରେ ମୋର ଅମୂଲ୍ୟ ପାଥେୟ କାଲି ପୁଣି ସେମାନେ ମୋ ଆଗରେ କେମିତି ଦେଖା ଦେବେ କିଏ ଜାଣେ ? ବଡ଼ ବିଚିତ୍ର ଏ ମଣିଷ ଜୀବନ–ଯେତେ ଭାବିଲେ ବି ଭାବନା ସରେନା—ଅତୀତର ଭଗ୍ନ ସମାଧି ପାଖରେ ବସି ଅଶ୍ରୁ ବିସର୍ଜନ କରିବାକୁ କେବେହେଲେ ମୁଁ ଉଚିତ ମନେକରିନି । ତଥାପି ସେ ଅତୀତ ବଳେ ବଳେ ମୋ ଆଗରେ ଉଭା ହୁଏ ।

ପୁଣି ବଳେ ବଳେ ଉଭେଇ ଯାଏ । ଏମିତି ବସି ଭାବିବା ଭିତରେ କେତେବେଳେ ଗଡ଼ିଯାଇଛି ଜାଣେନା–ଆର ପାଖଘରୁ ବାପା ଡାକିଲେ—ଉଠିଲି ।

କ’ଣ ଭାବୁଥିଲୁ ବସି ?

କିଛି ନାହିଁ ଯେ—ଆଛା ଗୋଟାଏ କଥା କହନ୍ତୁ ତ ମୋତେ । କ’ଣ ?

ଅଯାଚିତ ଦାନକୁ ପ୍ରତ୍ୟାଖ୍ୟାନ କରିବାଟା କ’ଣ ଭୁଲ୍‍ ?

ସବୁବେଳେ ନୁହେଁ—ସେମିତି ବୁଝିଲେ ମଣିଷ ଜୀବନରେ ଯାହା ଯାହା ପାଏ ସେ ସବୁହିଁ ଦାନ–ଏ ଜଗତଟା ଗୋଟାଏ ଦାନ ।

ତା’ ମୁଁ ଅସ୍ୱୀକାର କରୁନି ।

ତେବେ ?

କାହାଠାରୁ କୌଣସି ଦାନ ଗ୍ରହଣ କରିବାର ମନୋବୃତ୍ତି ମୋର ନଥିଲା—ମାତ୍ର ସେ ମନୋବୃତ୍ତି ମୋର ଆଜି ହାର ମାନିଛି।

କାହିଁକି ?

ଜଣେ ବନ୍ଧୁର ଦାନକୁ ମୁଁ ଅସ୍ୱୀକାର କରିପାରିଲିନି ।

ବନ୍ଧୁ, ପୁଣି ଦାନ–ତୋ ମନର ଧାରଣାଟା ଏକାବେଳେକେ ଭୁଲ୍‌ ।

କିମିତି ?

ବନ୍ଧୁ କେବେହେଲେ ଦାନ କରିପାରେନା–ବନ୍ଧୁରଦାନ ଦାନ ନୁହେଁ–ତାହାହିଁ ଉପହାର-।

ଦାନ ଆଉ ଉପହାର ଭିତରେ ପାର୍ଥକ୍ୟଟା କ’ଣ ?

 

ଦାନ କରେ ଉଚ୍ଚପଦସ୍ଥ କିନ୍ତୁ ଉପହାର ଦିଏ ସମପଦସ୍ଥ ବା ନିମ୍ନ ପଦସ୍ଥ ।

 

ତଥାପି ବନ୍ଧୁତା ଭିତରେ କ’ଣ ଏଇ ଉଚ୍ଚ ନୀଚ ମନୋଭାବ ନାହିଁ ?

 

ଯେ ବନ୍ଧୁତା ଭିତରେ ଏ ମନୋଭାବ ପୋଷଣ କରେ ସେ ବନ୍ଧୁର ଯୋଗ୍ୟ ନୁହେଁ ।

 

ମୁଁ ତେବେ ସେ ଦାନ ଗ୍ରହଣ କରି..... ।

 

ନା ଭୁଲ୍‍ କିଛି କରିଛୁବୋଲି ମୋର ମନେହୁଏନା–ତେବେ ସେ ବନ୍ଧୁ ଦାନର ପ୍ରବୃତ୍ତି ନେଇ ଯଦି ତୋତେ କିଛି ଦେଇଥାଏ ତେବେ ତାକୁ ଗ୍ରହଣ କରିବାରେ ତୋର ଯେତିକି ଭୁଲ୍‍ ହୋଇଛି ତା’ଠାରୁ ଅଧିକ ଭୁଲ୍‍ ହେଇଥାନ୍ତା ତୋର ଗ୍ରହଣ ନ କରିବାରେ ଯେବେ ସେ ଉପହାର ମନୋବୃତ୍ତି ନେଇ ଦେଇଥାଏ ।

 

ଦାନର ମନୋବୃତ୍ତି ଯେ ତାଙ୍କର ଅଛି ଏକଥା କାହିଁକି ମୁଁ ଭାବି ପାରୁନି ।

 

ତେବେ ଠିକ୍‍ କରିଛୁ–କିନ୍ତୁ ମନେରଖ କେବେ କାହାର ଆନ୍ତରିକ ଶ୍ରଦ୍ଧାର ଉପହାରକୁ ପ୍ରତ୍ୟାଖ୍ୟାନ କରିବାର ମନୋବୃତ୍ତି ଯେପରି ପୋଷଣ ନ କରୁ ।

 

ମୁଁ କିନ୍ତୁ ଏ ଯଥାର୍ଥ ଉପହାର ନୀତି ପସନ୍ଦ କରେନା–ହାର୍ଦ୍ଦିକତାହିଁ ମଣିଷ ଜୀବନର ଶ୍ରେଷ୍ଠତମ ଉପହାର, ଏଇ ଧାରଣା ମୋର ସବୁବେଳେ ଅଛି । ବନ୍ଧୁ ପାଇଁ ବନ୍ଧୁର ଅନ୍ତରରେ ସେତକ ନ ଥିଲେ ବନ୍ଧୁର ମୂଲ୍ୟ କ’ଣ ?

 

ତଥାପି ସମସ୍ତଙ୍କର ଦୃଷ୍ଟିକୋଣ ତ ସମାନ ନୁହେଁ—ଉପହାର ଦେଇ ଜଣେ ବନ୍ଧୁ ଯଦି ଆନନ୍ଦ ପାଏ ତେବେ ତାକୁ ସେଥିରୁ ବଞ୍ଚିତ କରିବା ଅନ୍ୟାୟ—ବନ୍ଧୁର ଆନନ୍ଦ ପାଇଁ, ସୁଖପାଇଁ ନିଜର ସ୍ୱାର୍ଥ ତ୍ୟାଗ କରିବାହିଁ ବିବେକିତା ।

 

ଆମର ଏ କଥାଭାଷା ଭିତରେ ବାପାଙ୍କର ଜଣେ ବନ୍ଧୁ ଆସି ପହୁଞ୍ଚିଲେ । ସେ ଦୁହେଁ ତାଙ୍କର କଥାଭାଷା ଆରମ୍ଭ କଲେ । ଉଠିଆସିଲି । ବାହାରେ ବର୍ଷା କମିନି । ସେମିତି ଚଲା ବଉଦରେ ଆକାଶ ଢାଙ୍କି ହୋଇ ରହିଛି । ଛତାଟିଏ ଧରି ଟିକିଏ ବାହାରି ପଡ଼ିଲି । ଅଦୂରରେ ଜଣେ ଲେଖକ ବନ୍ଧୁଙ୍କ ଘର–ବନ୍ଧୁ ସେତେବେଳେ କ’ଣ ଲେଖିବାରେ ବ୍ୟସ୍ତ ଥିଲେ–ବନ୍ଧୁ ପତ୍ନୀ ଆନନ୍ଦରେ ପାଛୋଟିନେଲେ ଘର ଭିତରକୁ–ଦେଖିଲି ବନ୍ଧୁ ଟେବୁଲ୍‌ ପାଖରେ କଲମ ଚଳାଇବାରେ ଲାଗିଛନ୍ତି । ପଛରୁ ଡାକିଲି,—ପ୍ରଶାନ୍ତ !

 

କିରେ—ଏ ପାଗରେ ପୁଣି ତୁ ପଦାକୁ ବାହାରିଛୁ ?

 

ନ ବାହାରିଲେ ପୁଣି ବେଳ କଟିବ କିମିତି ?

 

କାହିଁକି, ତୋ କଲମ ଆଉ କାଗଜ ?

 

ସେମାନଙ୍କୁ କିଛିଦିନ ପାଇଁ ବିଶ୍ରାମ ଦେଇଛି ।

 

ଏମିତି ଗୋଟାଏ ବର୍ଷ । ମୁଖର ସନ୍ଧ୍ୟାରେ.....ତୋ ଲେଖାରେ ବାଧା ଦେଲି ନା ?

 

ଆରେ ନା—ତା’ ନୁହେଁ–ଦେଖ୍‌ ତୋ ଆସିବା ଦ୍ୱାରା ବରଂ କିଛି ସମୟ ଆମର ହସଖୁସିରେ ବିତିଯିବ ।

 

ବସି ବସି ବଡ଼ ବିରକ୍ତ ଲାଗିଲା–ଚାଲିଆସିଲି କାହିଁକି ଜାଣୁ ? କାହିଁକି ?

 

ଗୋଟାଏ କଥା ଦେଖିବାକୁ ।

 

କ’ଣ ?

 

ଏମିତି ଗୋଟିଏ ବର୍ଷ ମୁଖର ସନ୍ଧ୍ୟାରେ ଦୁଇଟି କପୋତ କପୋତୀଙ୍କ ଜୀବନ କେମିତି କଟୁଥିବ— ।

 

ବନ୍ଧୁ ପତ୍ନୀ ଲାଜରେ ଉଠିଗଲେ ।

 

ଶୀଳାଦେବୀ ଲାଜ କଲେ ନା ?

 

ଦୁନିଆଯାକର ଲାଜତ ତାଙ୍କରି ପାଖରେ ଆଛା ଦେଖ୍‌ତ ଏ ଗପଟା ବସି ଲେଖୁଥିଲି ।

 

ଗପଟି ଉପରେ ଆଖି ବୁଲାଇ ଦେଲି–ଗପ ଶେଷବେଳକୁ ପ୍ରବେଶ କଲେ ଶୀଳା ଦେବୀ–ହାତରେ ଦୁଇ କପ୍‌ ଚା’–ଚା’ କପ୍‌ଟି ତାଙ୍କ ହାତରୁ ନେଲି–ପୁଣି ଏତିକିବେଳେ ମନରେ ପ୍ରଶ୍ନ ଉଠିଲା, ଏ ପୁଣି ବନ୍ଧୁ ପତ୍ନୀଙ୍କର ଦାନ ନୁହେଁ ତ ?

 

ପଚାରିଲି, —ଆଚ୍ଛା ପ୍ରଶାନ୍ତ ଏ ଚା’ କପ୍‌ଟା ଦେବା ମୂଳରେ ଶୀଳାଦେବୀଙ୍କର କି ପ୍ରବୃତ୍ତି ଅଛି କହି ପାରିବ ?

 

ମୁଁ ଭାବୁଛି, କିଛି ନାହିଁ ।

 

ମୁଁ ଭାବୁଛି ଅଛି ।

 

କ’ଣ ତେବେ କହ—

 

ଦାନର ମନୋବୃତ୍ତି—

 

ତା’ ନୁହେଁ—ବରଂ ମୁଁ କହିବି Formality

 

ବନ୍ଧୁ ପତ୍ନୀ କହିଲେ—ଚା’ ଟିକକ ଥଣ୍ଡା ହୋଇଯିବ ଯେ—ଚା’ ତକ ଶେଷ କରିଦେଲେ ଆପଣଙ୍କର ଦର୍ଶନବାଦ କିଛି ଅଧିକ ଭାବରେ ବାହାରିବ–ଚା’ ଟିକକ ଯଦି ଥଣ୍ଡା ହୋଇଯାଏ ତେବେ ଦର୍ଶନବାଦ ପଛେଇଯିବ ।

 

ଏମିତି ହସଖୁସିରେ ଗପ କରି ଫେରିଲି । ସଞ୍ଜପରେ ଆସିଲା ସରୋଜ—ତା’ ସାଙ୍ଗେ ଏମିତି ପଦେଅଧେ କଥାଭାଷା ହେଉ ହେଉ ସେ କହିଲା—

 

ମୁଁ ଆସିଛି ଗୋଟାଏ କଥା କହିବାକୁ—

 

କ’ଣ କହ—

 

ମୁଁ ଜାଣେ ମୋଠୁ ସେ କେତେ ଖଣ୍ଡ ବହି ଗ୍ରହଣ କରି ତୁ ତୋର Principle ରକ୍ଷା କରିପାରିନୁ—ତେଣୁ ତୋ ମନରେ ଦୁଃଖ–ବନ୍ଧୁ ହିସାବରେ ଅନ୍ତତଃ ତୋ ମନରେ ଦୁଃଖ ଦେବାଟାକୁ ମୁଁ ଉଚିତ ମନେକରିନି–ଦୟାକରି ସେ ବହି କେତେ ଖଣ୍ଡର ଦାମ୍‍ ମୋତେ ଦେଇଦେ-।

 

ଦାମ୍‌ ଦେବାର କଥା ହୋଇଥିଲେ ସେ ବହି କେତେ ଖଣ୍ଡି ମୁଁ ତୋତେ ଫେରାଇ ପାରିଥାନ୍ତି । ମୁଁ

 

ମୁଁ ଜାଣେ ତୁ କେବେ ଫେରାଇ ଦେଇପାରିବୁ ନାହିଁ; ମୋ presentation.

 

ସମୟର ଗତିରେ ଆସି ଯେତିକି ପାରିଛୁ ମୋତେ ଚିହ୍ନିପାରିଚୁ ସରୋଜ–ତୋ’ ପାଖରେ ଆଉ ବିଶେଷ କିଛି ମୋର କହିବାର ନାହିଁ—କିନ୍ତୁ ତଥାପି ମୁଁ କହିବି ଏମିତି ପଦେ କହି ମୁଁ ଭୁଲ୍‍ କରିଛି–କିଛି ମନେକରିବୁନି ।

 

ସମୟର ଗତି ଅସରନ୍ତି—ଏଇ ଅସରନ୍ତି ଗତିରେ ପୁଣି ମଣିଷର ଅସରନ୍ତି ପରିଚୟ ମିଳିବ କିମିତି ?

 

ସମୟକୁ ତା’ ବାଟରେ ଯିବାକୁ ଦେଇ ମଣିଷ ଯେତେ ଚେଷ୍ଟା କଲେବି ତା’ କବଳରୁ ମୁକ୍ତି ପାଇ ପାରିବ ନାହିଁ–ମଣିଷ ଯାହା କିଛି କରିଯାଏ ତା’ ସବୁ ସମୟର ପ୍ରଭାବ–ସମୟର ପ୍ରଭାବରେ ମଣିଷ ବଦଳେ–ଦୁନିଆ ବଦଳେ–ବଦଳିବାଟାହିଁ ନିତାନ୍ତ ସ୍ୱଭାବିକ—ଏଇ ବଦଳିବାରେ ପୁଣି ସ୍ୱାଭାବିକ ଅସ୍ୱାଭାବିକର ପ୍ରଶ୍ନ ନାହିଁ ।

★★★

 

Unknown

ଗଣନା

 

ଉଜ୍ଜୟିନୀର ରାଜପଥ ଉପରେ ସ୍ୱଚ୍ଛ ଚନ୍ଦ୍ରିକାର ମନୋରମ ବିକାଶ—ପହିଲି ବସନ୍ତର ସଜ ମଳୟ ଦେହକୁ ଛୁଇଁଦେଇ ଗଲାବେଳେ ମନତଳେ ଶତ ସହସ୍ର ସ୍ୱପ୍ନର ଉଦୟ ହେଉଛି । ରାଜପଥ ଉପରେ ଚାଲିଛନ୍ତି କୁମାର ଚନ୍ଦ୍ରଚୂଡ଼ । ଆଜି ଥିଲା ତାଙ୍କର ବିଜୟ ଉତ୍ସବର ଉଦ୍‍ଯାପନ ଦିବସ–ତେଣୁ ଏଇବାସନ୍ତୀ ସନ୍ଧ୍ୟାରେ ପଦବ୍ରଜରେ ନଗରୀ ଉପକଣ୍ଠରେ ବିଚରଣ କରିବାକୁ ବାହାରି ପଡ଼ିଛନ୍ତି କୁମାର ଚନ୍ଦ୍ରଚୂଡ଼ । କିଛି ଦୂର ଅଗ୍ରସର ହେବାପରେ କୁମାର ଭେଟିଲେ ଜଣେ ବୃଦ୍ଧଙ୍କୁ । ବୃଦ୍ଧଙ୍କ ବେଶଭୂଷାରୁ ସେ ଯେ ବିଦେଶୀ ଏ କଥା କୁମାର ଜାଣିପାରିଲେ–କୁମାର କିଛି ପଚାରିବା ଆଗରୁ ହଠାତ୍‌ ବୃଦ୍ଧ ପ୍ରଶ୍ନ କଲେ—

ରାଜ ପ୍ରାସାଦ କେତେଦୂର କହି ପାରିବ ଯୁବକ ?

ହଁ ଏଇ ନଗରୀର ମଧ୍ୟ ଦେଶରେ—ଆପଣଙ୍କର ରାଜପ୍ରସାଦରେ କି କାମ ?

ଶୁଣିଲି ମାଳବକୁ ଜୟ କଲା ପରେ ଆଜି ଉଜ୍ଜୟିନୀରେ ବିଜୟ ଉତ୍ସବ—ବିଜୟ ଉତ୍ସବରେ ଭାଗ ନେବାକୁ ଏ ବୃଦ୍ଧ ଅସମର୍ଥ—ତଥାପି ମାଳବର ଜଣେ ପ୍ରଜା ହିସାବରେ କୁମାରଙ୍କ ଦର୍ଶନପ୍ରାର୍ଥୀ ମୁଁ ।

କୁମାରଙ୍କ ସହିତ କିଛି କାମ ଅଛି ।

କୁମାରଙ୍କ ସହିତ ସାକ୍ଷତରେ ଜଣାଇବି ।

ଚାଲିଗଲେ ବୃଦ୍ଧ—କୁମାର ଫେରିଲେ ବୃଦ୍ଧଙ୍କ ପଛେ ପଛେ । ରାଜ ଉଆସର ଶିଖର ଦେଶରୁ ସେତେବେଳ ପର୍ଯ୍ୟନ୍ତ ଦୀପାଲୋକ ମଉଳି ନଥାଏ—ବିଜୟୋତ୍ସବର ସଂଧ୍ୟା—ଉଆସ ଭିତରେ ଆନନ୍ଦ କଳରୋଳ । କୁମାର ବାହାରିଗଲେ ପ୍ରମୋଦ ଉଦ୍ୟାନକୁ । ପ୍ରମୋଦ ଉଦ୍ୟାନରେ ସେତେବେଳକୁ ନୃତ୍ୟଗୀତର ସମାରୋହ । ସଙ୍ଗୀତର ଝଙ୍କାରରେ ନର୍ତ୍ତକୀର ଛନ୍ଦମୟୀ ନୃତ୍ୟ କୁମାରଙ୍କ ମନକୁ ଆନନ୍ଦିତ କରିପାରିଲା ନାହିଁ । କୁମାରଙ୍କ ଆଦେଶରେ ନୃତ୍ୟ ଗୀତ ବନ୍ଦହେଲା ।

ମଳୟ ସ୍ପର୍ଶରେ ଝରି ପଡ଼ୁଥିଲା କିଂଶୁକର ଝରା ପାଖୁଡ଼ା—କିଂଶୁକ ବୃକ୍ଷ ମୂଳରେ ଥିବା ଚାନ୍ଦିନୀ ଉପରେ ବସି ପଡ଼ିଲେ କୁମାର-ପଛରୁ ପୁଣି ଫେରିଲେ ରାଜନର୍ତ୍ତକୀ ମଞ୍ଜରିକା । ନର୍ତ୍ତକୀର ପ୍ରସାଧନରେ ମଞ୍ଜରିକା ଅପରୂପ ରୂପସୀର ସୁଷମାରେ ନିଜକୁ ପ୍ରକାଶ କରିଛନ୍ତି । ଧୀର ପଦକ୍ଷେପରେ ମଞ୍ଜରିକା କୁମାରଙ୍କ ନିକଟକୁ ଆସିଲେ ।

କୁମାର—

ମଞ୍ଜରିକା ?

ଆଜ୍ଞା—

ମୁହଁ ଟେକି ଚାହିଁଲେ କୁମାର–ଆକାଶରୁ ଝରିପଡ଼ୁଛି ଅସରନ୍ତି ଜ୍ୟୋତ୍ସ୍ନା—ଉଦ୍ୟାନର ବୃକ୍ଷଲତା ଛୁଇଁ ଛୁଇଁ ବହି ଚାଲିଛି ମନ୍ଦ ମଳୟ–ଆଗରେ ଠିଆ ହୋଇଛନ୍ତି ଅପରୂପ ସୁନ୍ଦରୀ ମଞ୍ଜରିକା—ପ୍ରଶ୍ନ କଲେ କୁମାର—

କ’ଣ କହୁଛ ?

କୁମାରଙ୍କ ବିଜୟୋତ୍ସବରେ ରାଜନର୍ତ୍ତକୀ ମଞ୍ଜରିକାର ଶୁଭେଚ୍ଛା—ଏତିକି ?

 

ଆଜ୍ଞା—

 

ଯାଅ ତୁମେ—

 

ଅଙ୍ଗୁଷ୍ଠିରୁ ମୁଦ୍ରିକାଟିଏ କାଢ଼ି ବଢ଼ାଇଦେଲେ କୁମାର—ହାତଯୋଡ଼ି ଗ୍ରହଣ କଲେ ମଞ୍ଜରିକା ।

 

କୁମାର—

 

ପୁଣି କ’ଣ ?

 

କେବଳ ରାଜନର୍ତ୍ତକୀର ଶୁଭେଚ୍ଛା ଜଣାଇବାକୁ ମୁଁ ଆସିନଥିଲି–ମାଳବ ରାଜଜେମା ବିଜୟ ଅଭିନନ୍ଦନ ମୋ ହସ୍ତରେ ପ୍ରେରଣ କରିଛନ୍ତି ।

 

ମାଳବ ରାଜଜେମା ?

 

ଆଜ୍ଞା—ରାଣୀମାଙ୍କ ଆଦେଶରେ ମଧ୍ୟାହ୍ନରେ ବନ୍ଦୀଶାଳାକୁ ଯାଇଥିଲି—ଜେମାଙ୍କ ସହିତ ସେହିଠାରେ ମୋର ପ୍ରଥମ ପରିଚୟ–ଜେମା ମୋ ହସ୍ତରେ ତାଙ୍କର ବାର୍ତ୍ତା ପ୍ରେରଣ କଲେ-।

 

ବନ୍ଦୀଶାଳାରୁ ଜେମାଙ୍କ ଅଭିନନ୍ଦନ ପାଇଁ ବିଶେଷ ଧନ୍ୟବାଦ ମଞ୍ଜରିକା–ଯଦି ପାର ତେବେ ଜେମାଙ୍କୁ ମୋର ଧନ୍ୟବାଦ ଜଣାଇ ଦେବ । ମାଳବର ଜଣେ ପ୍ରଜା ମୋର ଦର୍ଶନପ୍ରାର୍ଥୀ–ମୋତେ ବର୍ତ୍ତମାନ ଯିବାକୁ ହେବ ।

 

କୁମାରଙ୍କ ଅନୁମତି କ୍ରମେ କୁମାରଙ୍କ ପ୍ରକୋଷ୍ଠକୁ ଆସିଲେ ବୃଦ୍ଧ-ରାତ୍ରି ସେତେବେଳକୁ ପ୍ରଥମ ପ୍ରହର ଅତିକ୍ରମ କରି ସାରିଲାଣି–ଆକାଶରେ ମଉଳି ଆସୁଛି ଚନ୍ଦ୍ର–ଉଆସରେ ନହବତର ଧ୍ୱନି ଧିମେଇ ଆସୁଛି–ପ୍ରଶ୍ନକଲେ କୁମାର–

 

କ’ଣ ଅଛି ତୁମର ଜଣାଇବାକୁ ବୃଦ୍ଧ ?

 

ମୁଁ ଜଣେ ଜ୍ୟୋତିଷୀ–ମାଳବର ପ୍ରଜା ମୁଁ–କୁମାରଙ୍କର ଏ ବିଜୟତ୍ସବରେ ଜଣେ ସେବାପ୍ରାର୍ଥୀ ।

 

ତୁମେ ଜ୍ୟୋତିଷ ଜାଣ ?

 

ରାଜ ସମକ୍ଷରେ ଜଣେ ପ୍ରଜାର ମିଥ୍ୟା କହିବା ଅସମ୍ଭବ କୁମାର ।

 

ତୁମେ ଜାଣ, ଉଜ୍ଜୟିନୀରେ ଜ୍ୟୋତିଷର ପ୍ରସାର ଖୁବ୍‌ ବେଶୀ–ଆଉ ମୁଁ ମଧ୍ୟ ଜ୍ୟୋତିଷ ବିଦ୍ୟାରେ ଯଥେଷ୍ଟ ପାରଦର୍ଶିତା ଲାଭ କରିଛି ।

 

ଜାଣେ—

 

ଦେଖ, ଯଦି ତୁମେ ପ୍ରକୃତରେ ଜ୍ୟୋତିଷୀ ହୋଇଥାଅ ତେବେ ମୋର କେତୋଟି ଗଣନାକର—ଗଣନାର ସତ୍ୟତା ଜାଣିଲେ ତୁମକୁ ଉପଯୁକ୍ତ ପୁରସ୍କାର ମିଳିବ—ଆଉ ଯେବେ ଜ୍ୟୋତିଷ ବିଦ୍ୟାରେ ତୁମର ଦଖଲ ନଥାଏ—

 

ତେବେ ଉପଯୁକ୍ତ ଶାସ୍ତି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି କୁମାର ।–ଆଚ୍ଛା, ତେବେ ମୋର ଭବିଷ୍ୟତ ବିଷୟରେ ଗରନା କରିବା ପୂର୍ବରୁ ତୁମକୁ ମୋର ଅତୀତ ବିଷୟରେ ଗଣନା କରିବାକୁ ହେବ–ତା’ର ସତ୍ୟାସତ୍ୟ ଜାଣିଲେ ମୁଁ ମୋର ଭବିଷ୍ୟତ ବିଷୟରେ ପ୍ରଶ୍ନ କରିବି ।

 

ଅତୀତ ?

 

ହଁ, ଅତୀତ ?

 

ଆଶାକରେ ଯେବେ କୌଣସି ଅସୁନ୍ଦର କଥା ଗଣନାରେ ଆସେ ତେବେ ଦରିଦ୍ର ପ୍ରଜାକୁ କ୍ଷମା କରିବେ କୁମାର–ସତ୍ୟ ଅସୁନ୍ଦର ହେଲେହେଁ ତାହା ସତ୍ୟ–ତୁମେ ନିର୍ଭୟରେ ଗଣନା କର ।

 

ଗଣନା ଆରମ୍ଭ କଲେ ବୃଦ୍ଧ–ପ୍ରକୋଷ୍ଠ ଭିତରେ ଧୀରଭାବରେ ପଦଚାଳନା କରୁଥାଆନ୍ତି କୁମାର–କ୍ରମେ ରାତି, ତୃତୀୟ ପ୍ରହର ଅତିକ୍ରମ କରିଗଲା–କୁମାର ପ୍ରଶ୍ନ କଲେ–

 

କିଛି ପାଇଲ ଜ୍ୟୋତିଷୀ ?

 

ପାଇଛି କୁମାର—

 

କହ ମୋର ଅତୀତ ବିଷୟରେ କ’ଣ ପାଇଲ ?

 

ଅଭୟ ଦେଲେ ପ୍ରକାଶ କରିବି କୁମାରଙ୍କ ଜୀବନର ଅତୀତ–ସତ୍ୟ, ଅତ୍ୟନ୍ତ ନିଷ୍ଠୁର ସତ୍ୟ–ଏ ସତ୍ୟକୁ ଅସ୍ୱୀକାର କରିବା ଏକାବେଳେକେ ଅସମ୍ଭବ ।

 

ତଥାପି ନିତାନ୍ତ ନିଷ୍ଠୁର ସତ୍ୟ ।

 

ନିର୍ଭୟରେ ପ୍ରକଶ କର ଜ୍ୟୋତିଷୀ ।

 

କ୍ଷୁଣ୍ଣ ହେବେ ନାହିଁ କୁମାର—ଆପଣତ ଜ୍ୟୋତିଷ ବିଦ୍ୟାରେ ଯଥେଷ୍ଟ ପାରଦର୍ଶୀ–ବିଦ୍ୟାଟା ନିଷ୍ଠୁର କୁମାର, ସେଇ ବିଦ୍ୟା ପଇଁ ମୋତେ କ୍ଷମା କରିବେ ।

 

ଭୟ କାହିଁକି, କହ କ’ଣ ପାଇଲ ।

 

ପାଇଲି—କୁମାର, ଆପଣ ଆପଣଙ୍କ ପିତାଙ୍କ ଔରସରୁ ଜାତ ନୁହନ୍ତି—ଏହାର ସତ୍ୟାସତ୍ୟ ନିରୂପଣ ପରେ ଭବିଷ୍ୟତ ବିଷୟରେ ଗଣନା କରିବି ।

 

ସ୍ତମ୍ଭିତ ହେଲେ କୁମାର—ଏତେ ବଡ଼ ଜଟିଳ ସମସ୍ୟା–ଏ ସମସ୍ୟାର–ସମାଧାନ କିଏ କରିବ ? ଜଣେ ସାମାନ୍ୟ ପ୍ରଜାର ଏ ଆକ୍ଷେପ–ସମଗ୍ର ରାଜଶକ୍ତି ପ୍ରତି ଆକ୍ଷେପ–କୁମାର ଭାବିପାରିଲେ ନାହିଁ କ’ଣ କରିବାକୁ ହେବ–ପ୍ରକୋଷ୍ଠରେ ନୀରବତାର ବାୟୁମଣ୍ଡଳ ଭିତରେ କୁମାର ଆଖି ରଖିଛନ୍ତି ଦୀପଶିଖା ଉପରକୁ–ସ୍ତିମିତ ଦୀପଶିଖା କ୍ରମେ ମଉଳି ଆସୁଛି—କୁମାରଙ୍କ ହୃଦୟରେ ବ୍ୟଥାର ଜମାଟ—ତା’ପରେ ପ୍ରଶ୍ନ କଲେ କୁମାର—

 

ଜାଣ ବୃଦ୍ଧ ତୁମର ଏ ଗଣନା ଭୁଲ୍‍ ହେଲେ ଶାସ୍ତି କ’ଣ ? ଗୋଟାଏ ପ୍ରଜାର ମସ୍ତକ–ଦେଖନ୍ତୁ କୁମାର ଗୋଟିଏ ପ୍ରଜାର ମସ୍ତକ କିଛି ନୁହେଁ, ମାତ୍ର ଗୋଟିଏ ଜ୍ୟୋତିଷୀର ମସ୍ତକ ଛିନ୍ନ କରିବା ସହଜ ନୁହେଁ ।

 

ରାତ୍ରି ବିଶ୍ରାମ ପାଇଁ ବିଦାୟ ନେଲେ ଜ୍ୟୋତିଷୀ । ତା’ପରେ କେତେ ସମୟ ପର୍ଯ୍ୟନ୍ତ ପ୍ରକୋଷ୍ଠ ଭିତରେ ଚନ୍ଦ୍ରଚୂଡ଼ ପଦଚାଳନା କରିଛନ୍ତି ତା’ ସେ ଜାଣିପାରିନାହାନ୍ତି । ପ୍ରଭାତର ଆଗାମନୀ ପୁଣି ଉଜ୍ଜୟିନୀକୁ ଜୀବନ୍ତ କରିଦେଲା–ନଗରୀ ବକ୍ଷରେ କୋଳାହଳର ଧାର ବହି ଚାଲିଲା । କୁମାର ଚନ୍ଦ୍ରଚୂଡ଼ ସେଇ ଅବସ୍ଥାରେ ଚାଲିଲେ ନଗର ପ୍ରାନ୍ତସ୍ଥ ଦେବ ମନ୍ଦିରକୁ–ମହାରାଜଙ୍କ ମୃତ୍ୟୁ ପରେ ବିଧବା ରାଜମାତା ସେହିଠାରେ କାଳାତିପାତ କରନ୍ତି ।

 

ପ୍ରଭାତର ଆଗମନରେ ସେହି ଦେବ ମନ୍ଦିରରେ ଅପୂର୍ବ ଶାନ୍ତିର ରାଜତ୍ୱ–ରାଜମାତା ସେତେବେଳେ ସ୍ନାନ କରି ପୂଜା ଉପଚାର ହସ୍ତରେ ମନ୍ଦିର ମଧ୍ୟକୁ ଅଗ୍ରସର ହେଉଥିଲେ—ହଠାତ୍‌ କୁମାରଙ୍କ ଆଗମନ ତାଙ୍କ ମନରେ ସୃଷ୍ଟି କଲା ଅଶେଷ ପ୍ରଶ୍ନର ତରଙ୍ଗ ।

 

କୁମାର ?

 

ଆଜ୍ଞା—

 

ହଠାତ୍‌ ଏପରି !

 

ହଁ ମା’ ଗୋଟାଏ ବିଶେଷ କାରଣ ନେଇ ମୋତେ ହଠାତ୍‌ ଆସିବାକୁ ପଡ଼ିଲା ।

 

କାଲି ବିଦାୟ ଉତ୍ସବ ଶୁଭ ଯୋଗରେ ସମାପ୍ତ ହୋଇଛି ତ ?

 

ହଁ ମା’

 

ତେବେ ଆସିବାର କାରଣ ?

 

ଗୋଟିଏ ମାତ୍ର ପ୍ରଶ୍ନ ।

 

ମୋତେ ପଚାରିବ ?

 

ହଁ ମା’ ।

 

ପଚାର—

 

ଗୋଟିଏ ପ୍ରଶ୍ନ ମା’–ଏଇ ପ୍ରଶ୍ନ ଆଜି ଉଜ୍ଜୟିନୀର ରାଜଶକ୍ତିକୁ ଥରାଇ ଦେଇଛି । ଉଜ୍ଜୟିନୀର ରାଜସିଂହାସନ ଆଜି ଦୋଦୁଲ୍ୟମାନ–ଆଶାକରେ ତମେ ଏ ପ୍ରଶ୍ନର ଉତ୍ତର ସହଜରେ ଦେଇପାରିବ ମା’ !

 

ପଚାର–

 

ଉତ୍ତର ଦେବା ପୂର୍ବରୁ ତମେ ଶପଥ କର ମା’–ହାତରେ ତମର ପୂଜା ସାମଗ୍ରୀ–ସମ୍ମୁଖରେ ତମର କୁଳଦେବତା–ତମେ ଯାହା କହିବ, ସତ କହିବ । ତାହା ଯେତେ ନିଷ୍ଠୁର ସତ୍ୟ ହେଉ ତମକୁ କହିବାକୁ ହେବ–ସେଥିପାଇଁ ବ୍ୟଥିତା ହେବ ନାହିଁ–ମୁଁ ଆଜି ପରୀକ୍ଷା କରିବାକୁ ଚାହେଁ ଜ୍ୟୋତିଷ ବିଦ୍ୟା ସତ କି ମିଛ–ତମେ ତ ଜାଣ ମା’ ଜ୍ୟୋତିଷ ଚର୍ଚ୍ଚାକୁ ମୁଁ କେତେ ପ୍ରାଧାନ୍ୟ ଦିଏ ।

 

—ଜାଣେ କୁମାର, ତମେ ପ୍ରଶ୍ନ କର ମୁଁ ନିଶ୍ଚୟ ସତ କହିବି । ତେବେ ଶୁଣ ମା’–ଆଜି ଜ୍ୟୋତିଷ ଚର୍ଚ୍ଚାରେ ମୁଁ ଅବଗତ ହୋଇଛି ଯେ ମହାରାଜଙ୍କ ଔରସରୁ ମୋର ଜନ୍ମ ନୁହେଁ । ସ୍ତମ୍ଭିତା ହେଲେ ରାଜମାତା । କୁମାରଙ୍କ ଏ ପ୍ରଶ୍ନର ଉତ୍ତର କେବଳ ରାଜମାତାଙ୍କ ଚରିତ୍ର ପ୍ରକାଶ କରିବ ନାହିଁ, ଉଜ୍ଜୟିନୀର ରାଜ ଦରବାରରେ ଏକ ବିପ୍ଳବର ସୂତ୍ରପାତ କରିବ–ଏ ପ୍ରଶ୍ନର ଉତ୍ତର ଦେବା ବଡ଼ କଷ୍ଟକର-ସତ୍ୟ ପ୍ରକାଶ ହେଲେ କୁମାରଙ୍କ ଦଶା କ’ଣ ହେବ କିଏ ଜାଣେ ? ପୁଣି କୁଳଦେବତାଙ୍କ ଆଗରେ ଶପଥ ନେବା ପରେ ମିଥ୍ୟାର ଆଶ୍ରୟ ନେବା ଏକାବେଳେକେ ଅସମ୍ଭବ-

 

ଚିନ୍ତିତା ହେଲେ ଯେ ମା’– ?

 

ହଁ କୁମାର ବଡ଼ ଜଟିଳ ପ୍ରଶ୍ନ ।

 

ଉତ୍ତରଟା କିନ୍ତୁ ଜଟିଳ ନୁହେଁ ମା’ ।

 

ଆଜି ମୋର ମନେପଡ଼ିବା ସମ୍ଭବ ନୁହେଁ କୁମାର–ବାର୍ଦ୍ଧକ୍ୟରେ ପ୍ରତ୍ୟେକ କଥା ଭୁଲିଯାଉଛି–ତେବେ କୁଳଦେବତାଙ୍କ ସମ୍ମୁଖରେ ଶପଥ କରିଛି–ତେଣୁ ସତ୍ୟକୁ ଅସ୍ୱୀକାର କରିବା ମୋ ପକ୍ଷରେ ଅସମ୍ଭବ । ତେବେ ଏତିକି ଜାଣିରଖ ଯେତେବେଳେ ଏହି ଦେହରେ ଯୌବନର ଉତ୍ତାଳ ତରଙ୍ଗ ଉଠୁଥିଲା ସେତେବେଳର କଥା ଆଜି ଠିକ୍‌ କରି କହି ହେବନି–ସେହି ସମୟରେ ଗୋଟିଏ ମୁହୂର୍ତ୍ତର ଭୁଲ୍‍ ହୁଏତ ସାରା ଜୀବନକୁ ଧ୍ୱଂସ ପଥରେ ଆଗେଇ ନେଇ ପାରେ–ମାତ୍ର ଯୌବନ, ତା’ର ପ୍ରଭାବ ଏତେ ବେଶୀ ଯେ ସେତେବେଳେ ଭୁଲ୍‍ ଠିକ୍‍ ବିଚାର କରିବା ଶକ୍ତି ଲୋପ କରିଦିଏ ।

 

ଫେରିଲେ କୁମାର—ଜ୍ୟୋତିଷୀ ଯାହା କହିଛନ୍ତି ତାହା ସତ୍ୟ—ରାଜମାତା ଏ ସତ୍ୟକୁ ପରୋକ୍ଷ ଭାବରେ ସ୍ୱୀକାର କଲେ ।

 

ଜ୍ୟୋତିଷୀ ଉପଯୁକ୍ତ ପୁରସ୍କାର ପାଇ ଫେରିଲେ । ତା’ ପରଦିନ ସକାଳେ କୁମାର ପାଇଲେ ରାଜମାତାଙ୍କଠାରୁ ଏକ ସ୍ୱୀକାରୋକ୍ତି ।

 

କୁମାର,

 

ବୃଦ୍ଧାବସ୍ଥାରେ ମୋର ଆଜି ଏ ସ୍ୱୀକାରୋକ୍ତି । ସାରା ଜୀବନ ଯେଉଁ ସତ୍ୟକୁ ମିଥ୍ୟାର ଆବରଣତଳେ ଗୋପନ କରି ଆସିଥିଲି ଆଜି ତାହା ପ୍ରକାଶ ପାଇଛି । ଆଜି ମୋର ଆଉ କୌଣସି କୈଫିୟତ ଦେବାର ନାହିଁ, ତେବେ କୁମାର, ତୁମ ଜାଣିବା ପାଇଁ ଏଇ କେତେ ଧାଡ଼ି ଲେଖିଗଲି ।

 

ପିତା ତୁମର ମାଳବ ରାଜଜେମାଙ୍କୁ ରାଜବଧୂ ରୂପେ ବରଣ କରିବାକୁ ଇଚ୍ଛା କରି ମାଳବ ରାଜଦରବାରକୁ ଦୂତ ପ୍ରେରଣ କରିତିଲେ । ମାଳବ ରାଜା ତାହା ପ୍ରତ୍ୟାଖ୍ୟାନ କଲେ । ପିତା ତାଙ୍କର ମୃତ୍ୟୁଶଯ୍ୟାରେ ତୁମକୁ ଶପଥ କରାଇନେଲେ ଯେ ମାଳବ ବିରୁଦ୍ଧରେ ଅଭିଯାନ କରି ମାଳବକୁ ପରାଜିତ କରି, ମାଳବ ଜେମାଙ୍କର ପାଣିଗ୍ରହଣ କରିବ । ପିତାଙ୍କର ମୃତ୍ୟୁର ବର୍ଷକ ପରେ ତୁମେ ମାଳବକୁ ପରାଜିତ କରିଛ । ମାଳବର ରାଜା, ରାଣୀ, ଜେମା ଆଜି ଉଜ୍ଜୟିନୀରେ ବନ୍ଦୀ । ତୁମେ ତୁମର ପିତାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବାକୁ ଚାହିଁଛ । କିନ୍ତୁ କୁମାର, ତୁମକୁ ତୁମ ମା’ର ଅନୁରୋଧ ତୁମେ ତା’ କରନା । କାରଣଟା ଶୁଣିବ ? ମାଳବ ରାଜଜେମା ଉଜ୍ଜୟିନୀର ରାଜବଧୂ ହେବାରେ ହୁଏତ ମାଳବ କମ୍‍ ଗୌରବାନ୍ୱିତ ହୋଇନଥାନ୍ତା, ତଥାପି ମାଳବ ପ୍ରତ୍ୟାଖ୍ୟାନ କରିଛି ।

 

ତୁମେ କାଲି ମୋତେ ଯେଉଁ ପ୍ରଶ୍ନ ପଚାରିଥିଲ ତା’ର ପୂରା ଉତ୍ତର ତ ତୁମେ ପାଇ ନାହଁ-। ଏଇଠି ଶୁଣ, ମାଳବ ରାଜଜେମା ତୁମର ଭଗିନୀ । ଏହି କାରଣ ଯୋଗୁଁ ମାଳବ ଏଥିରେ ବାଧା ଦେଇଛି ।

 

ଯୌବନରେ ମାଳବ ରାଜ ବିଜୟଚନ୍ଦ୍ର ଥିଲେ ମୋ ମନ ରାଜ୍ୟର ଅଧିକାରୀ । ତାଙ୍କରି ପାଦତଳେ ମୋର ଦେହ ଓ ମନ ଉଭୟକୁ ସମର୍ପଣ କରିଥିଲି । ମାତ୍ର ଘଟଣାଚକ୍ରରେ ପଡ଼ି ମାଳବର ରାଜବଧୂ ହେବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ମୁଁ ହେଲି ଉଜ୍ଜୟିନୀର ରାଜବଧୂ–ମାଳବର ରାଜରକ୍ତ ନେଇ ତୁମେ ଜନ୍ମ ହେଲ—ତୁମେ ହେଲ ଉଜ୍ଜୟିନୀର ରାଜକୁମାର । ଜଗତ ସେଦିନ ଅଜ୍ଞ ଥିଲା ଏ ବିଷୟରେ । ଆଜି ପ୍ରକୃତ ସତ୍ୟ ପ୍ରକାଶ ପାଇ ସାରିଛି ।

 

ଗୋଟିଏ ପାଖରେ ପିତୃସତ୍ୟ—ଆଉ ଗୋଟିଏ ପାଖରେ ମାତାର ଅନୁରୋଧ । କାହାକୁ ତୁମେ ଗ୍ରହଣ କରିବ କୁମାର ? ତୁମେ ମୋର ଏ ପତ୍ର ପାଇବା ବେଳକୁ ମୁଁ ଉଜ୍ଜୟିନୀର ସୀମା ପାର ହୋଇ ସାରିଥିବି ।

 

ଇତି

ରାଜମାତା

 

ପତ୍ରଟି ପଢ଼ି ସାରିବା ବେଳକୁ କୁମାର ଆଉ ପ୍ରକୃତିସ୍ଥ ନ ଥିଲେ । ଗୋଟିଏ ପାଖରେ ପିତୃସତ୍ୟ । ଅପର ପାଖରେ ମାତାଙ୍କ ସ୍ୱୀକାରୋକ୍ତିର ଅନୁରୋଧ । କାହାକୁ ସେ ଗ୍ରହଣ କରିବେ-?

★★★

 

ଘଟଣା

 

ଏଇ ଜୀବନରେ ଏମିତି ଅନେକ ଘଟଣା ଘଟିଯାଇଛି ଯାହା କି ଗପ ଲେଖିବାର ଉପାଦାନ ଯୋଗାଇ ପାରିଛି । କିନ୍ତୁ ମୁଁ ପାରିନି । ଅନେକ ତ କହନ୍ତି ଆମରି ଏଇ ସାଧାରଣ ଜୀବନରୁ ଗପ ପାଇଁ ଅନେକ ଉପାଦାନ ମିଳେ-ଯେଉଁମାନେ ଏକଥା କହନ୍ତି ସେଇମାନଙ୍କ ଉପରେ ଆସ୍ଥା ରଖି ଏ ଗପର ସୃଷ୍ଟି ।

 

ପାଗଟା ସେମିତି କିଛି ବିଶେଷ ଭଲନଥାଏ । ମେଘୁଆପାଗ, ସେଥିରେ ପୁଣି ଥଣ୍ଡାପବନ–ବନ୍ଧୁ ମୋହନ ସଙ୍ଗେ ହୋଟେଲରେ ବସିଛି, ମୋହନ ଚା’ ବରାଦ ଦେଲା—ଚା’ ଆସିଲା, କିନ୍ତୁ ମୋହନ ଚା’ ନ ପିଇ ଫେରାଇ ନେବାକୁ କହିଲା । କାରଣ କିଛି ବୁଝିପାରିଲି ନାହିଁ । ମୋହନର ଆପତ୍ତି ଯେ, ସେ କଲେଇଛାଡ଼ି ଯାଇଥିବା କପରେ ଚା’ ପିଇବନାହିଁ । କପ୍‌ଟା ବଦଳାଇ ଦେବାକୁ ହୋଟେଲର ଚାକର ଟୋକାକୁ ଡାକିଲି—ସେ କପ୍‌ଟା ଉଠାଇ ନେଇ ଚାଲିଗଲା । ଏତିକି ବେଳେ ପଶି ଆସିଲେ ଦୁଇଟି ତରୁଣୀ—କଲେଜ ଛାତ୍ରୀପରି ଜଣାପଡ଼ୁଥାନ୍ତି । ଗୋଟାଏ ଟେବୁଲ ପାଖରେ ବସିପଡ଼ି ସେମାନେ ବି ଚା’ ବରାଦ ଦେଲେ ।

 

ବୟସ ସେମାନଙ୍କର କୋଡ଼ିଏ ଭିତରେ—ନିଜକୁ ବେଶ୍‌ ରୂପେ ସେମାନେ ସଜାଇ ପାରିଥିଲେ । ପାଉଡର, ସ୍ନୋର ବାସନା ଭାସି ଭାସି ଆସୁଥାଏ । ମୋହନ ସେମାନଙ୍କ ଆଡ଼କୁ ଚାହିଁଥାଏ । ବୁଝିଲି ମୋହନର ପରିଚିତା ସେମାନେ—ତଥାପି ମୋହନଉପରେ ଆସ୍ଥା ଲାଗିଲା ନାହିଁ । ଚୁପ୍‌ କରି ମୋହନକୁ ସେମାନଙ୍କର ପରିଚୟ ପଚାରିଲି—ମୋହନ କିଛି କହିଲା ନାହିଁ । ଏହା ଭିତରେ ଚା’ ଆମର ଆସିଥାଏ । ମୋହନକୁ କହିଲି, —ବୁଝିଲ ବନ୍ଧୁ ତୁମର ପୂର୍ବ ଚା’ କପ୍‌ ଏବଂ ଏମାନଙ୍କ ଭିତରେ ପ୍ରଭେଦ କିଛି ନାହିଁ । ଚାଇନିଜ୍‌ କ୍ଳେ ଉପରେ କଲେଇ ଥିବା ପର୍ଯ୍ୟନ୍ତ କପ୍‌ଟି ବେଶ୍‌ ସୁନ୍ଦର, କିନ୍ତୁ କଲେଇ ଛାଡ଼ିଗଲେ ସମସ୍ତେ ନାକ ଟେକନ୍ତି । ତୁମର ଏ ପରିଚିତା ଦୁଇଜଣ ଠିକ୍‌ ସେମିତି । ଭିତରେ ଯାହା ଥାଉନା କାହିଁକି ବାହାରେ ସ୍ନୋ ପାଉଡର ଚାକଚକ୍ୟ ଥିବା ପର୍ଯ୍ୟନ୍ତ ବେଶ୍‍ ସୁନ୍ଦର, କିନ୍ତୁ ସେତକ ଗଲେ ଠିକ୍‌ ତୁମେ କପ୍‌ ଫେରାଇଲା ପରି ସମସ୍ତେ ତାଙ୍କୁ ନିରାଶ କରିବେ ।

 

ଦେଖିଲି ମୋହନ ମୋ କଥାରେ ବିରକ୍ତ ହେଲା ପରି ଜଣାଗଲା । ବାସ୍ତବରେ ମୁଁ ବି ଅନୁଭବ କଲି କୌଣସି ପରିଚିତା ବିରୁଦ୍ଧରେ ଶୁଣିଲେ ସହି ହୁଏ ନାହିଁ ।

 

ହୋଟେଲ ପିଲାଟି ମଧ୍ୟ ସେମାନଙ୍କୁ ଚା’ ଆଣିଦେଲା । ଚା’ ଦେବାବେଳେ ଜଣକର ଶାଢ଼ିରେ କପ୍‌ଟା ଚହଲି ଯାଇ ଟିକିଏ ଚା’ ଢାଳି ହୋଇଗଲା । ଆଉ ତାଙ୍କର ରାଗ ଦେଖେ କିଏ ? ସଙ୍ଗେ ସଙ୍ଗେ ପିଲାଟିକୁ ଏକ ଚଟକଣା—ଏପରି ବ୍ୟବହାର ସେ ପିଲାକୁ ଯେତେ ବାଧିଲା ତା’ ଅପେକ୍ଷା ବେଶୀ ବାଧିଲା ଆମକୁ । ଶିକ୍ଷିତା ହୋଇ ହୋଟେଲରେ ଏମିତି ବ୍ୟବହାର ବଡ଼ ଦୋଷାବହ । ହୋଟେଲ ମାଲିକ ଆସି ବେଶ୍‍ ଭଦ୍ରାମିରେ ଦି’ପଦ କହିଗଲା । ତା’ର ପ୍ରତିବାଦ କଲା ମୋହନ କିନ୍ତୁ ମୋହନର ପ୍ରତିବାଦ ବିଶେଷ କିଛି ଫଳ ଦେଲା ନାହିଁ । ହୋଟେଲବାଲାକୁ ଶାନ୍ତ ଭାବରେ ମୋତେ ଦି’ପଦ କହିବାକୁ ପଡ଼ିଲା । ତା’ପରେ ସେମାନେ ଚାଲିଗଲେ । ଯିବାବେଳେ ସେମାନେ ପିଲାଟିକୁ ଡାକି ମାଡ଼ ଖାଇବାର ପୁରସ୍କାର ରୂପେ ଚାରିଅଣା ପଇସା ଦେଲେ । କିନ୍ତୁ ସେ ତାକୁ ସଙ୍ଗେ ସଙ୍ଗେ ଫେରାଇ ଦେଲା—ବଡ଼ ଅପ୍ରତିଭ ହୋଇ ଫେରିଲେ ସେମାନେ ।

 

ପିଲାଟି ଆସିଲା–ପାଖକୁ ଡାକିଲି ସେ ତା’ର ଦୁଃଖର କଥା କେତେ କହିଲା—ବାପା ତା’ର କଲିକତାରେ ଗୋଟାଏ କାହାକୁ ବାହା ହୋଇ ରହିଛି ଦଶବର୍ଷ ହେଲା ଫେରିନି–ଘରେ ତା’ର ମା’–ମା’ ଦୁଃଖ ଧନ୍ଦାକରି ପେଟ ପୋଷେ–ଧାନ କୁଟି ମା’ ତାକୁ ବଢ଼େଇଛି–ହୋଟେଲରେ ଚାକିରି କରିବା ଦିନରୁ ଦଶଟଙ୍କା କରି ତିନିଥର ସେ ତା’ ମା’ ପାଖକୁ ପଠାଇଛି । ସେଦିନ ସେ ଚିଠି ପାଇଛି ଯେ ମା’ ତା’ର ବେମାର–ଘରକୁ ଯିବାକୁ ପଇସା ନାହିଁ । ମାଲିକ କହିଛି ଦି’ଦିନ ପରେ ପଇସା ଦେବ । ନିଜର ଦୁଃଖର କଥା କହୁଥିବାବେଳେ ଆଖି ତା’ର ଲୁହରେ ଭରି ଉଠିଥିଲା । ଦୁଃଖର କାହାଣୀ ଶୁଣି ହୋଟେଲରୁ ଫେରିଲି ।

 

ମନରେ ମୋର ପ୍ରଶ୍ନ ଉଠିଲା–ବାସ୍ତବରେ ବଡ଼ କିଏ ? ଯେ ମାଡ଼ ମାରିଲା । ନା ଯେ ମାଡ଼ ଖାଇଲା ? ବାପଭାଇଙ୍କ ପଇସାରେ ତ ଚାକର ପିଲାଟି ଉଦ୍ଧତ ନୁହେଁ–ନିଜ ଗୋଡ଼ରେ ଠିଆ ହେବାର ବାଟ ସେ ଧରି ନେଇଛି–ବାସ୍ତବରେ ଏହି ପିଲାଟି ବିପ୍ଳବୀ–ହୋଟେଲରେ ଅଛି–ହିନ୍ଦୁ ମୁସଲମାନ, ଖ୍ରୀଷ୍ଟିୟାନ୍‍–ସମସ୍ତଙ୍କୁ ଖାଇବାକୁ ଦେଉଛି, ପୁଣି ଅକୁଣ୍ଠିତ ଚିତ୍ତରେ ସମସ୍ତଙ୍କ ବାସନ ନେଇ ଧୋଉଛି–ଗନେରିଆ, ସିଫ୍‌ଲିସ୍‌ ରୋଗୀର ବାସନ ତ ପୁଣି ଧୋଉଛି—ଏ କ’ଣ ବିପ୍ଳବ ନୁହେଁ ? ଖାଲି ରାଜନୀତିର ଦ୍ୱାହି ଦେଇ ବଡ଼ ବଡ଼ କଥା କହିଲେ ମଣିଷ ବିପ୍ଳବୀ ହୁଏନା—ସମାଜର କଠିନ ନିୟମ ସେ ଭାଙ୍ଗିଛି—ସେଥିପାଇଁ ମନରେ ଦୁଃଖ ନାହିଁ—ନିଜ ଗୋଡ଼ରେ ନିଜେ ଠିଆ ହେବାରେ ତା’ର ଅଛି ଆନନ୍ଦ-ତା’ପାଖରେ କର୍ତ୍ତବ୍ୟହିଁ ସ୍ୱାଧୀନତା–ଦରିଦ୍ର ଜୀବନରେ ଯେଉଁ ବିପ୍ଳବ ଅଛି ତାହା ହୁଏତ କାହା ଆଖିରେ ପଡ଼େନା—କାରଣ ସେ ନିଃସ୍ୱ–ମଣିଷ ପରି ମଣିଷହେବାର ଯୋଗ୍ୟତା ତା’ର ନାହିଁ–ଏ ଧାରଣା ଆଜିର ଶିକ୍ଷିତ ସମାଜ କେତେଦିନ ଧରି ପୋଷଣ କରିବ ?

 

ହଁ, ଆଉଦିନେ ସେମିତି ସେ ଦୁଇଜଣ ତରୁଣୀଙ୍କ ମଧ୍ୟରୁ ଜଣକୁ ବସରେ ଭେଟିଥିଲି–ତରୁଣୀଟି ଆଉଜଣେ ଯୁବକଙ୍କ ସଙ୍ଗେ କ’ଣ କେତେ ପ୍ରକାର କଥାବାର୍ତ୍ତା ହେଉଥିଲେ–ମୋତେ ଦେଖିବା ମାତ୍ରେ ତଳକୁ ମୁହଁକଲେ–ବୁଝିଲି, ତାଙ୍କର ସ୍ୱଭାବ ଲଜ୍ଜାଶୀଳା, କିନ୍ତୁ ପ୍ରକୃତରେ ତା’ ନୁହେଁ–ଯାହାର ଦୁର୍ବଳତା ଅନ୍ୟପାଖରେ ପ୍ରକାଶ ପାଇ ଯାଇଥାଏ ତାରି ପାଖରେହିଁ ମଣିଷ ତଳମୁହାଁ ହୋଇଥାଏ ।

★★★

 

ଶେଷ ନାହିଁ

 

ବ୍ୟର୍ଥତାର ନିର୍ଯ୍ୟାସ ତଳେ ମଣିଷ ଆତ୍ମହତ୍ୟା କରେ–ଦୁନିଆ ଦେଖେ, ହସେ, କହେ ସେ ଭୁଲ୍‍ କଲା–ମାତ୍ର ଦୁନିଆ ବି ଭୁଲିଯାଏ, ଯେଉଁ ମୁହୂର୍ତ୍ତରେ ସେ ଆତ୍ମହତ୍ୟା କରେ ସେଇ ମୁହୂର୍ତ୍ତରେ ସେ ବୁଝେ ଆତ୍ମହତ୍ୟା କରିବା ଭୁଲ୍‍–ତଥାପି ସେ କରେ—ପୁଣି ସେ ସେତିକିବେଳେ ଭାବେ ସେ ଯାହା କରୁଛି ଠିକ୍‌ କରୁଛି । ଦୁନିଆ ତାକୁ ଭୁଲ୍‍ ବୁଝୁ, ସେଥିପାଇଁ ସେ ଭ୍ରୂକ୍ଷେପ କରେନା–ଦୁନିଆଟା ତା’ ଆଗରେ କେବଳ ଗୋଟାଏ ବ୍ୟର୍ଥତାର ପ୍ରତିମୂର୍ତ୍ତି ପରି ଘୂରିଯାଏ–ତା’ମନର କଥା କେହି ବୁଝିପାରନ୍ତି ନାହିଁ । ସମସ୍ତେ ତାକୁ ଦୋଷ ଦିଅନ୍ତି...ଦୋଷ...ଖାଲି ଦୋଷ । ଯେଉଁମାନେ ତାକୁ ଭୀରୁ, କାପୁରୁଷ ବୋଲି କହନ୍ତି, ସେମାନେ ଜାଣନ୍ତି ନାହିଁ: ଯେ କାହିଁକି ସେମିତି କହନ୍ତି । ଜୀବନରେ ଉଷ୍ମତାର ସ୍ପର୍ଶ ପାଇ ସେତକ ଯେ ପାଇବାକୁ ଇଛା କରି ନିରାଶ ହୁଏ ସେଇ କ’ଣ ଭୀରୁ–ହୁଏତ ଦୁନିଆ କହିବ ଜୀବନକୁ ସଜାଡ଼ି ନେବାହିଁ ମନୁଷ୍ୟତ୍ୱ, ମାତ୍ର ସମସ୍ତେ କ’ଣ ଏକଥା ସ୍ୱୀକାର କରିବେ ? ଚିରାଲୁଗାକୁ ତାଳି ପକାଇ ପିନ୍ଧିବାକୁ କେତେଜଣ ପସନ୍ଦ କରନ୍ତି ? ଯାହାର ଶକ୍ତି ନାହିଁ ନୂଆ ଲୁଗାଟିଏ ପାଇବା ପାଇଁ, ଯାହାର ଶକ୍ତି ନାହିଁ ନୂଆର ସ୍ୱପ୍ନରେ ନିଜକୁ ଭୁଲେଇ ଦେବା ପାଇଁ ସେଇ ସିନା ପସନ୍ଦ କରିବ, ମାତ୍ର ସମସ୍ତେ କରିବେନି ।

 

ଜୀବନ ଏମିତି ଜଳିଯାଏ–ସବୁ ହା ହୁତାଶରେ ପରିଣତ ହୁଏ—ବେଳେ ଆସେ–ଏତିକିବେଳେ ମଣିଷ ସବୁ ଭୁଲିଯାଏ ଆଗ ପଛ । ଏଇ ମଣିଷର ଚଲାପଥର ଧାରେ ଧାରେ ଦିନେ ଅବେଳରେ ଫୁଲ ଫୁଟିଥିଲା, ମଳୟ ବହିଥିଲା, କୋଇଲି ଡାକିଥିଲା, ମରମର ଗହନ କୋଣରେ ବେସୁରା ବଇଁଶୀ ବାଜିଥିଲା–ଏ ସବୁ ସେ ଭୁଲିଯାଏ । ଏତିକ ନ ଭୁଲିଲେ ଜୀବନ ତା’ର ଆହୁରି ତିଳ ତିଳ ହୋଇ ଉଠେ—ମନତଳେ ଯେଉଁ ଦାଗ ରଖିଦିଏ ସେ ଦାଗ ଅନିଭା–ସେଇ ଅନଭା ଦାଗକୁ ଜିଅନ୍ତା ମଣିଷ ଅସ୍ୱୀକାର କରିପାରେନା–ତାକୁ ଅସ୍ୱୀକାର କରିବାକୁ ହେଲେ ମଣିଷକୁ ଏ ଜିଅନ୍ତା ରୂପରୁ ବିଦାୟ ନେବାକୁ ହେବ—ଏଇ ଅନିଭା ଦାଗହିଁ ତା’ ଜୀବନର ମର୍ମନ୍ତୁଦ ପରିଣତି ।

 

ଏମିତି ଭାବ ଚାଲିଛନ୍ତି ପ୍ରଶାନ୍ତ...ଯେତେ ଭାବିଲେ ବି ମନରେ ତାଙ୍କର ଆଶ୍ୱସ୍ତି ଆସୁନି–ଭାବନାର ସୀମା ନାହିଁ—ଏ ଭାବନା ତାଙ୍କର ଏ ଜୀବନରେ ସରିବ ନାହିଁ–ଏଇ ଭାବନା ଭିତରେ ମନ ତଳେ ପୁଣି ତୁହାଇ ଉଠିଲା ସବୁ ଗୋଟି ଗୋଟି ହୋଇ–କଚେରିର ସେଦିନ ସେ ଠିଆ ହୋଇଥିଲେ କାଠ ଅଡ଼ା ଭିତରେ.....

 

ନିର୍ଦ୍ଦୋଷ ବୋଲି ନିଜ ସପକ୍ଷରେ ସଫେଇ ଦେବାର ଧୈର୍ଯ୍ୟ ନଥିଲା ତାଙ୍କର–ସେ ନରହନ୍ତା ଅପରାଧରେ ଅଭିଯୁକ୍ତ—ମୁହଁଟି ତଳକୁ କରି ଠିଆ ହୋଇଥିଲେ ସେ— । ବିଚାରପତି ଆଦେଶ ଦେଲେ ଓକିଲଙ୍କୁ ଜବାବ ସୁଆଲ କରିବା ପାଇିଁ ।

 

କାଠଗଡ଼ା ଭିତରେ ଥାଇ ସେଦିନ ଭାବି ଚାଲିଥିଲେ ପ୍ରଶାନ୍ତ–ବିଚାରପତି ପ୍ରମୋଦ–ସେ ଦିନେ ଥିଲେ ତାଙ୍କର ସହପାଠୀ–ଏହ୍ଲାବାଦରେ ପାଠ ପଢ଼ିବାବେଳେ ଦୁହେଁ ଏକାଠି ଗୋଟିଏ ଘରେ ରହୁଥିଲେ–ନିବିଡ଼ ବନ୍ଧୁତା ଥିଲା ଦୁହିଁଙ୍କ ଭିତରେ–ସେଇ ପ୍ରମୋଦ ଆଜି ବିଚାରପତି ଆଉ ସେ ନିଜେ ଆଜି ଅପରାଧୀ ।

 

ଏ ଅପରାଧ କାହାପାଇଁ ? ଜୀବନର ଗୋଟାଏ ଦୁର୍ବଳ ମୁହୂର୍ତ୍ତର ପ୍ରଲୋଭନକୁ ଏଡ଼ି ନ ପାରି ଅନ୍ଧ ଭାବରେ ଗୋଟାଏ ଜିନିଷ ପାଖକୁ ଆଗେଇ ଯିବାର ଫଳ ଏଇ ଅପରାଧ ।

 

ଓକିଲଙ୍କ ପ୍ରଶ୍ନର ଉତ୍ତର ଦେଇସାରି ପାଟିକରି ଉଠିଲେ ବିନିତା—ମୁଁ ଦୋଷୀ–ମୋତେ ଦଣ୍ଡଦିଅ–ପ୍ରଶାନ୍ତ ନିର୍ଦ୍ଦୋଷ—ସେ ମୋତେ କହିନାହାନ୍ତି ମୋ ସ୍ୱାମୀଙ୍କୁ ବିଷ ଦେବାପାଇଁ–ମୁଁ ଚାହେଁ ବିଚାର–ଧର୍ମ ବିଚାର ।

 

ପ୍ରଶାନ୍ତଙ୍କ ଆଡ଼େ ଚାହିଁଲେ ପ୍ରମୋଦ–ମୁଣ୍ଡକୁ ତଳକୁ ପୋତି ଠିଆ ହୋଇଛନ୍ତି ପ୍ରଶାନ୍ତ–ମୁହଁ ତାଙ୍କର କଳାକାଠ ପଡ଼ି ଯାଇଛି–ସେ ମୂକ ।

 

ସେଦିନ ଏତିକିରେ ବିଚାର ଶେଷ କରି ଉଠିଲେ ପ୍ରମୋଦ ।

 

ସେଇଦିନ ସଞ୍ଜବେଳେ ପ୍ରମୋଦ ତାଙ୍କ ସ୍ତ୍ରୀଙ୍କ ପାଖରେ ବସି କହୁଥିଲେ ପ୍ରଶାନ୍ତଙ୍କ କଥା–ଏହ୍ଲାବାଦରୁ ଫେରି ପ୍ରଶାନ୍ତ ପଡ଼ନ୍ତି ବିନିତାଙ୍କ ପ୍ରେମରେ–ପ୍ରେମରେ ଅନ୍ଧ ହୋଇ ଦୁହେଁ ଆଗେଇ ଯାଆନ୍ତି ଅନେକ ଦୂର–ଶେଷରେ କେହି କାହାକୁ ପାଆନ୍ତି ନାହିଁ–ବିନିତା ରଘୁବାବୁଙ୍କୁ ବିବାହ କରନ୍ତି–ପ୍ରଶାନ୍ତ ଗୋଟାଏ ବ୍ୟର୍ଥ ପ୍ରେମିକ ରୂପେ ଜୀବନକୁ ହତାଶ କରିଦିଅନ୍ତି । ରଘୁବାବୁଙ୍କୁ ପାଇ ମଧ୍ୟ ବିନିତା ସୁଖୀ ହୋଇପାରିନଥିଲେ—ପ୍ରଶାନ୍ତଙ୍କ ସ୍ମୃତି ତାଙ୍କୁ ପାଗଳ କରିଥିଲା–ସେ ମଧ୍ୟ ପ୍ରଶାନ୍ତଙ୍କ ଜୀବନକୁ ଏମିତି ଜାଳି ପୋଡ଼ି ଛାରଖାର କରିଦେବାକୁ ଚାହୁଁନଥିଲେ—ତେଣୁ ପ୍ରଶାନ୍ତଙ୍କ ପ୍ରରୋଚନାରେ ସେ ଦେଲେ ରଘୁବାବୁଙ୍କୁ ବିଷ—ରଘୁବାବୁ ମଲେ–ଦୋଷ କାହାର ?

 

ପ୍ରଶାନ୍ତ କ’ଣ ଅବିବାହିତ ? —ପ୍ରମୋଦଙ୍କ ସ୍ତ୍ରୀ ପଚାରିଲେ ।

 

ନା—ସେ ବିବାହିତ—ତାଙ୍କର ଗୋଟିଏ ପୁଅ । —ପ୍ରମୋଦ କହିଲେ ।

 

ସ୍ତ୍ରୀ ତାଙ୍କର ସେଠୁ ଉଠିଗଲେ ।

 

ଭାବିଲେ ପ୍ରମୋଦ କେତେ ଅପରାଧୀ ଏ ମଣିଷ ! ପ୍ରେମରେ ଅନ୍ଧହୋଇ ଆଉ ଜଣକର ଜୀବନ ଏଇ ମଣିଷ ନେଇପାରେ–ସେ ଦୋଷ କାହାର ? ପ୍ରଶାନ୍ତଙ୍କର, ନା ବିନିତାଙ୍କର ? ନା–କାହାର ନୁହେଁ, ସେ ଦୋଷ ଏଇ ସମୟର ଆଉ ଦୁର୍ଯୋଗର–ପ୍ରମୋଦ ପୁଣି ଏତିକିବେଳେ ଭାବିଲେ ନିଜକଥା—ସେ ଯେତେବେଳେ ଲିଲିଙ୍କୁ ହରାଇଥିଲେ ସେତେବେଳେ ସେ ପାଗଳ ପରି ହୋଇଯାଇଥିଲେ–ଘରଛାଡ଼ି କେତେଆଡ଼େ ବୁଲିଛନ୍ତି ସେ–ଶେଷରେ ଲିଲିଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚାହିଁଥିଲେ ସେ କିନ୍ତୁ ତା’ କରିପାରି ନାହାନ୍ତି–କାରଣ ସେ ତାଙ୍କୁ ପାଇନଥିଲେ–ଯଦି ଲିଲିଙ୍କ ସ୍ୱାମୀଙ୍କୁ ସେ ସେମିତି ଅବସ୍ଥା ଓ ଯୋଗରେ ପାଇ ଥାଆନ୍ତେ ତେବେ ସେ ଯେ, ତାଙ୍କୁ ହତ୍ୟାକରି ନଥାନ୍ତେ ସେ କଥା କିଏ କହିବ ? ସେ ଦୋଷ ମଣିଷର ନୁହେଁ–ସେ ଦୋଷ ତା’ରି ଯେ ଏ ଜୀବନକୁ ଏମିତି ତିଳ ତିଳ କରି ନିଃଶେଷ କରିଦେବାରେ ଥାଇ ସ୍ରଷ୍ଟାର ଆସନ ନେଇଛି । ଲିଲି ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି–ପ୍ରମୋଦଙ୍କୁ ବାଟକୁ ଫେରାଇଛନ୍ତି ଲିଲି ତେବେ ବିନିତା କାହିଁକି ତା’ କରିପାରିଲେନି !

 

ଉଭୟେ ନାରୀ–ତଫାତ୍‌ କାହିଁକି ଏତେ ? ଏଇ ନାରୀ ମା’ର ଆସନରେ ଥାଇ ପୂଜ୍ୟା, ଭଗିନୀର ଆସନରେ ଥାଇ ସ୍ନେହାସ୍ପଦା–ପତ୍ନୀର ଆସନରେ ଥାଇ ପ୍ରେମିକା ଆଉ କନ୍ୟାର ଆସନରେ ଥାଇ କଲ୍ୟାଣୀୟା । ଏଇ ନାରୀର ପ୍ରାଣ କଅଁଳିଆ ଗୋଲାପ ପାଖୁଡ଼ାଠାରୁ ଆହୁରି କଅଁଳ ପୁଣି ଧ୍ୱଂସାଭିମୁଖୀ ଉଦ୍‌ଯାନ ବୋମାଠରୁ ଆହୁରି ମାରାତ୍ମକ ।

 

ଗୋଟିଏ ପାଖରେ ଲିଲି ଆଉ ଗୋଟିଏ ପାଖରେ ବିନିତା–କେତେ ତଫାତ୍‌ !

 

ଏତିକିବେଳେ ଝାପ୍‌ସା ଆଲୁଅରେ ଦେଖାଗଲା ଏକ ନାରୀର ମୂର୍ତ୍ତି । ପାଖକୁ ଆସିଲା–କୋଳରେ ଶିଶୁଟିଏ ।

 

କିଏ ? –ପ୍ରମୋଦଙ୍କ ମୁହଁରେ ପ୍ରଶ୍ନ ।

 

ମୁଁ–ପ୍ରଶାନ୍ତଙ୍କର ପତ୍ନୀ ।

 

କ’ଣ କହିବାକୁ ଚାହଁ ?

 

କିଛି ନାହିଁ–ଧର୍ମର ବିଚାରପତି ଆପଣ–ଏଇ ମୋର ଶିଶୁ ସନ୍ତାନ ପ୍ରତି ଆପଣ ଅବିଚାର କରିବେନି–ଏତିକି ଜଣେଇ ଦେବାକୁ ଆସିଥିଲି ।

 

ପ୍ରଶାନ୍ତ ଯେ ନିର୍ଦ୍ଦୋଷ ତା’ ତୁମେ ଜାଣ ?

 

ତା’ ମୁଁ କହିପାରିବିନି ।

 

ତେବେ ?

 

ସେ ମୋର ସ୍ୱାମୀ– ।

 

ଯେତେହେଲେ, ବିନିତାଙ୍କୁ ପାଇବାବାଇଁ ଯେ ଅନ୍ଧଭାବରେ ରଘୁବାବୁଙ୍କୁ ମାରିଦେଇ ପାରିଲେ ସେ ଯେ କାଲି ତୁମକୁ ମାରି ନଦେବେ—

 

ତା’ର ଆବଶ୍ୟକ ନାହିଁ ଆଜ୍ଞା ।

 

କାହିଁକି ?

 

ବିଚାରପତି ଆପଣ–ହିନ୍ଦୁ କୋର୍ଡବିଲ୍‍ତ ପାସ୍‍ ହୋଇ ସାରିଛି ।

 

ବୁଝିଲି—

 

ଆଚ୍ଛା ତଥାପି ଯଦି ପ୍ରଶାନ୍ତ କାଲି ତୁମକୁ ମାରିବାକୁ ଚେଷ୍ଟା କରନ୍ତି ?

 

ଦୁଃଖ ନାହିଁ ମୋର ସେଥିରେ, କାରଣ ଏଇ ଶିଶୁଟିର ଭାର ଯେ ତାଙ୍କରି ଉପରେ ପଡ଼ିବ—ଶିଶୁଟିର ମା’ ହେବାପରେ ନାରୀ ଆଉ ପ୍ରେମିକା ହୋଇ ରହେନା–ସେ ଜୀବନ ମୋର ସରିଯାଇଛି ।

 

ତୁମେ ଯାଅ—

 

ଚାଲିଗଲେ ପ୍ରଶାନ୍ତଙ୍କ ସ୍ତ୍ରୀ ।

 

ତା’ ପରଦିନ ବିଚାରାଳୟ ଜନଗହଳ ହୋଇ ଉଠିଛି—ପ୍ରମୋଦ ଦୁଇ ତରଫର ଓକିଲଙ୍କ କଥା ଶୁଣିଲେ–ଭାବିଲେ ବିଚାରପତିର ଆସନରେ ଥାଇ ବନ୍ଧୁର ଦୋଷ ବିଚାର କରିବା କେଡ଼େ କଷ୍ଟକର ବ୍ୟାପାର ।

 

ପୁଣି ପାଟିକରି ଉଠିଲେ ବିନିତା–ପ୍ରଶାନ୍ତ ନିର୍ଦ୍ଦୋଷ । ପ୍ରଶାନ୍ତ ନୀରବ ।

 

ପ୍ରମୋଦ ଚାହିଁଲେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ–କିନ୍ତୁ ସେମିତି ସାକ୍ଷୀ କେହି ନଥିଲେ । ନିର୍ଦ୍ଦୋଷରେ ଖଲାସ ହେଲେ ବିନିତା ଆଉ ପ୍ରଶାନ୍ତ । କଚେରିରୁ ଜନଗହଳି ଭିତରୁ ତଳକୁ ମୁହଁପୋତି ବାହାରି ଆସିଲେ ପ୍ରଶାନ୍ତ–ଅସଂଖ୍ୟ ଲୋକଙ୍କ ଦୃଷ୍ଟିରେ ସେତେବେଳେ ପୂରି ରହିଥିଲା ବିଦ୍ରୂପ–ଏହି ବିଦ୍ରୂପମିଶା ଦୃଷ୍ଟି ଭିତରେ ପ୍ରଶାନ୍ତ ପାଇଥିଲେ ମର୍ମାଘାତ–ସେ ମନେକଲେ ତାଙ୍କର ଦଣ୍ଡ ପାଇବା ନିତାନ୍ତ ଉଚିତ ଥିଲା–ଜେଲରେ ଥିଲେ ବା ଫାଶୀ ପାଇଥିଲେ ସେ ହୁଏତ ଏହି ବିଦ୍ରୂପମିଶା ଦୃଷ୍ଟିରୁ ରକ୍ଷାପାଇ ଥାଆନ୍ତେ–ସେ ଦଣ୍ଡ ଅପେକ୍ଷା ଏ ଦଣ୍ଡ ଯେ ଅଧିକ ମର୍ମନ୍ତୁଦ ।

 

ଟିକିଏ ଡେରିରେ ଘରକୁ ଫେରିଲେ ପ୍ରଶାନ୍ତ–ଘରେ ପହୁଞ୍ଚି ଦେଖନ୍ତିତ ପୁଅଟି ଶୋଇରହି କାନ୍ଦୁଛି–ଅଦୂରରେ ଭୂଇଁ ଉପରେ ଶୋଇଛନ୍ତି ତାଙ୍କର ସ୍ତ୍ରୀ–ପାଟିକରି ଡାକିଲେ–କିନ୍ତୁ ଉତ୍ତର ନାହିଁ––ଦେହରେ ହାତଦେଇ ଦେଖିଲେ ଦେହଟା ଥଣ୍ଡା–ପାଖରେ ପଡ଼ିଥିଲା ଖାଲି ବିଷ ଶିଶି । ପ୍ରଶାନ୍ତ ସେଇଠି ମୂକ ପାଲଟି ଗଲେ–କିଛି ଉପାୟ ନ ପାଇ ପୁଅଟିକି କୋଳରେ ଧରି ଧାଇଁଲେ ବିନିତାଙ୍କ ଆଡ଼େ ।

 

ବିନିତାଙ୍କ ଘରେ ପହୁଞ୍ଚି ଦେଖନ୍ତିତ ସମସ୍ତଙ୍କ ମୁହଁରେ ଦୁଃଖର ଛାୟା–ଚିଠିଟିଏ ଜଣେ ଚାକର ବଢ଼ାଇଦେଲା–ପ୍ରଶାନ୍ତ ପଢ଼ିଲେ—ଏ ଜୀବନରେ ମିଳନର ବ୍ୟର୍ଥ ପ୍ରାୟାସ ଲୋକଚକ୍ଷୁରେ ବିଷମୟ ହୋଇଉଠିଛି—କଳଙ୍କର କାଳିମା ତାଙ୍କ ଦେହରୁ ନିଭିବା ଅସମ୍ଭବ—ଏ ଜୀବନର ସମସ୍ତ ବ୍ୟର୍ଥତାକୁ ସେ ଶେଷ କରି ଦେଇଛନ୍ତି–ବିନିତା ଆଉ ନାହାନ୍ତି ।

 

କାନ୍ଦି ଉଠିଲା ପିଲାଟି ପ୍ରଶାନ୍ତଙ୍କ କୋଳରେ–ଅଶାନ୍ତ ଝଡ଼ର ବେଗରେ ବାହାରି ଆସିଲେ ପ୍ରଶାନ୍ତ–ଜଗତଟାହିଁ ଦୁର୍ବୋଧ୍ୟ—ଜୀବନଟାହିଁ ବ୍ୟର୍ଥ–ଶିଶୁଟି ସେମିତି କାନ୍ଦୁଥାଏ ।

 

ଘରେ ଆସି ନିଜ ସ୍ତ୍ରୀଙ୍କ ଶବ ପାଖରେ ଠିଆହେଲେ ପ୍ରଶାନ୍ତ—ଶିଶୁର କାନ୍ଦ ବନ୍ଦ ହୋଇନଥାଏ—ଆଖିରୁ ତାଙ୍କର ବହି ଚାଲିଲା ଅଶ୍ରୁ–ସ୍ତ୍ରୀଙ୍କର ମୃତ ଦେହରେ ଝରି ପଡ଼ିଥିଲା କେଇବିନ୍ଦୁ ଅଶ୍ରୁ–ମାତ୍ର ସେ ଅଶ୍ରୁବିନ୍ଦୁର ଉଷ୍ମତା ଅନୁଭବ କରିବାକୁ ସ୍ତ୍ରୀଙ୍କର ପ୍ରାଣ ସେଠି ନଥିଲା–ଜୀବନରେ ଯାହାକୁ ସେ ବୁଝିପାରିନଥିଲେ, ମୃତ୍ୟୁପରେ ତାଙ୍କୁ ବୁଝିପାରିଲେ—ହଜିଲା ଜିନିଷର ମୂଲ୍ୟ ଏମିତି ବଢ଼ିଯାଏ–ସେ ମୂଲ୍ୟ ଆଉ ମଣିଷ ଫେରିପାଇ ପାରେନା ।

 

ସେଦିନ କେବେଠୁଁ ଗଲାଣି—ସେଦିନର ସେ ଶିଶୁ ସନ୍ତାନଟି ଆଜି କଥା କହି ଶିଖିଲାଣି–ମା’ର ସ୍ନେହ କ’ଣ ସେ ଜାଣେନା—ସେ ଆଜି ମଣିଷ ହେବାକୁ ଯାଉଛି–ତଥାପି ଭାବୁଛନ୍ତି ପ୍ରଶାନ୍ତ –ଏମିତି ଭାବନ୍ତି ସେ ଅନେକ–ବିଚାରପତି ତାଙ୍କୁ ଶାସ୍ତି ଦେଇପାରିନାହାନ୍ତି । ମାତ୍ର ଯଥାର୍ଥ ଶାସ୍ତି ସେ ପାଇଛନ୍ତି—ବିଚାରପତି ମଣିଷ–ମଣିଷ ଆଖିରେ ମଣିଷ ନିର୍ଦ୍ଦୋଷ ହୋଇପାରେ ମାତ୍ର ଏଇ ମଣିଷର ଦୃଷ୍ଟିପଥଠାରୁ ଅନେକ ଦୂରରେ ଅଛନ୍ତି ଆଉଜଣେ ଯାହା ଆଖିଆଗରୁ କେହି କେବେ ଠକିଦେଇ ଯାଇପାରିବ ନାହିଁ ।

 

ପୁଅ ଆସି ଡାକିଲା ପ୍ରଶାନ୍ତଙ୍କୁ ଗୀତ ଶୁଣିବାପାଇଁ—ପ୍ରଶାନ୍ତ ଉଠିଲେ–ରେଡ଼ିଓଟା ଖୋଲିଲେ–ଧୀର ମୂର୍ଚ୍ଛିତ ସ୍ୱରରେ କେଉଁ ଗାୟିକା ମେଲି ଦେଇଛି ସୁର—ଏତେଦିନ ପରେ ପୁଣି ପ୍ରଶାନ୍ତଙ୍କ ଚକ୍ଷୁ ଅଶ୍ରୁସିକ୍ତ ହୋଇଉଠିଲା–ସେଠାରୁ ଉଠି ଆସିଲେ ସେ–ଆଜି ଏଇ ଅଶ୍ରୁଳ ଚକ୍ଷୁରେ ସେ ବୁଝିପାରିଲେ, ଜଗତରେ ପ୍ରୀତିର ପ୍ରତିଦାନହିଁ ଅଶ୍ରୁ–ପତ୍ନୀ ତାଙ୍କର ଯେଉଁ ପ୍ରୀତିର ପରଶ ଦେଇଯାଇଥିଲେ ତା’ର ପ୍ରତିଦାନରେ ସେ ତାଙ୍କୁ କିଛି ଦେଇପାରିନାହାନ୍ତି–ଆଜି ସେ ଦେଇଛନ୍ତି ସେ ଦାନର ପ୍ରତିଦାନ—ଏଇ ପ୍ରତିଦାନର ପରିସମାପ୍ତି ନାହିଁ—ପ୍ରୀତିର ପ୍ରବାହ ଯେମିତି ଅସରନ୍ତି ତା’ର ପ୍ରତିଦାନ ଠିକ୍‌ ସେମିତି ।

★★★

 

ଗୋବର୍ଦ୍ଧନ

 

ଗୋବର୍ଦ୍ଧନଙ୍କ ଦେହ ଖରାପ—ଗାଁ ଲୋକେ ସମସ୍ତେ ଶୁଣି ଆସିଲେ–କିଏ କେତେ ପ୍ରକାର ଓଷଦ ତ କିଏ କେତେ ପ୍ରକାର ପଥି ବତାଇଲେ–ରାତି ବେଶୀ ହେବାରୁ ଗୋଟି ଗୋଟି ହୋଇ ସମସ୍ତେ ଫେରିଗଲେ—ଏକା ରହିଲା ସପନା । ସପନା ଜାତିରେ ବାଉରି । ବୟସ ପଚାଶ ଟପିଗଲାଣି–ତଥାପି ତା’ ବାହୁର ବଳ ଦେଖିଲେ କେହି ତାକୁ ପଚାଶ ବରଷର ବୁଢ଼ା ବୋଲି କହିବନି । ଦାଣ୍ଡ ପିଣ୍ଡାରେ ବସି ପିକା ଟାଣୁଥାଏ ସପନା–ବେଳ ବେଳେ ମନବୋଧ ଚଉତିଶାରୁ ପଦେ ଅଧେ ବୋଲୁଥାଏ । କିଛି ସମୟ ପରେ ଡାକିଲେ ଗୋବର୍ଦ୍ଧନ; —

 

ସପନା—

 

ଆଜ୍ଞା—

 

ତୁ ଏତେବେଳ ଯାଏ ଯାଇନୁ ?

 

ନାଇଁ ଆଜ୍ଞା—କାମରୁ ଫେରି ଗଣ୍ଡାଏ ଖାଇଦେଇ ଆସିଛି–ଆଉ ଯିବି ନାହିଁ ।

 

ସେଇ ପିଣ୍ଡାରେ ଶୋଇବୁ ?

 

ହଁ ଆଜ୍ଞା—

 

ବିଛଣାରେ ପଡ଼ିଛନ୍ତି ଗୋବର୍ଦ୍ଧନ । ସପନାର ଏ ଅଜାତିତ ସହାନୁଭୂତି ତାଙ୍କ ମନକୁ ତରଳେଇ ଦେଲା । ଆଖିରୁ ତାଙ୍କର ଦି’ଧାର ଲୁହ ଗଡ଼ିଗଲା । ଏହି ଗାଁରୁ ତାଙ୍କର ଜ୍ଞାତି ପରିଜନ ସମସ୍ତେ ଆସିଛନ୍ତି । ସମବେଦନା ଦେଖାଇ ପୁଣି ଫେରି ଯାଇଛନ୍ତି । ମାତ୍ର ଏଇ ସପନା, ତାଙ୍କର କେହି ନୁହେଁ, ସେ ଆଜି ତାଙ୍କୁ ଜଗି ବସିଛି । ସପନା ତାଙ୍କର ମଜୁରୀରେ କାମକରେ । ପିଲାଦିନେ ସପନା ଚାକିରି କରିଥିଲା ତାଙ୍କ ଘରେ । ତା’ପରେ ବାହାରି ଯାଇ ମୂଲରେ କାମ କରୁଛି–ଗୋବର୍ଦ୍ଧନଙ୍କ ଜନ୍ମ ପୂର୍ବରୁ ସପନା ତାଙ୍କ ଘରେ ଥିଲା । ସେଇଦିନର ମମତା କ୍ରମେ ବଢ଼ିଯାଇଛି–ମମତା ଜାତିର ବିଚାର ରଖେନା, ଜ୍ଞାତି ପରିଜନର ବିଚାର ରଖେନା, ସେଠି ଅଛି କେବଳ ମନ ।

 

ଶୋଇ ପଡ଼ିଛନ୍ତି ଗୋବର୍ଦ୍ଧନ । ଟିକିଏ ପତଳା ନିଦ ଲାଗିଛି । ଦେଖିଲେ ସ୍ୱପ୍ନଲତା କହୁଛି, ଭାଇ ମୋ ପୁଅଟି ଏତେବଡ଼ ହେଇଗଲାଣି; ତମେ ଥରେ ଆସି ଦେଖିଯାଉନା ? ପୁଣି ଆସିଛି ସିପ୍ରା, ସେ କହୁଛି, ଭାଇ ଜାଣି ଜାଣି ତମେ ମୋତେ ଏମିତି ଜଣକ ହାତରେ ଛନ୍ଦିଦେଲ–ଜୀବନର ସୁଖ କ’ଣ ମୁଁ ଆଜି ପର୍ଯ୍ୟନ୍ତ ଜାଣେନି । ସେ ଖାଲି ସବୁବେଳେ ତାଙ୍କର ମଦବୋତଲ ଧରି ମାତାଲ— ।

 

ନିଦଟା ହଠାତ୍‌ ଭାଙ୍ଗିଗଲା । ଗୋବର୍ଦ୍ଧନ ଉଠି ବସିଲେ–ଦେହ ବଡ଼ ଦୁର୍ବଳ ଲାଗୁଛି । ତଥାପି ଆସ୍ତେ ଆସ୍ତେ ଉଠି ଦାଣ୍ଡକୁ ବୁଲି ଆସିଲେ । ସପନା ପିଣ୍ଡାରେ ଶୋଇଯାଇଛି–ଖରାଦିନିଆ ପବନ ପିଟି ଚାଲିଛି–ଗାଁ ଭୂଇଁ ସବୁ ନିସ୍ତବ୍‌ଧ, ଗୋବର୍ଦ୍ଧନ ପିଣ୍ଡା ଉପରେ କିଛି ସମୟ ପାଇଁ ବସିପଡ଼ିଲେ । ସପନାର ନିଦ ଭାଙ୍ଗିଗଲା । ସେ ପଚାରିଲା—

 

ବାବୁ—

 

ହଁ—

 

କ’ଣ ନିଦ ହେଲାନାହିଁ ?

 

ନା—

 

ଦେହ ବଡ଼ ଦୁର୍ବଳିଆ ହେଇଛି, ପବନଟାରେ ବସନା ବାବୁ ।

 

ଘରକୁ ଉଠିଲେ ଗୋବର୍ଦ୍ଧନ । ଆଉ ଶୋଇବାକୁ ଇଚ୍ଛା ହେଲାନାହିଁ–ସେମିତି ବସି ରହିଲେ–ଲତା ଆଉ ସିପ୍ରା–ବାରମ୍ବାର ତାଙ୍କ ମନରେ ଦେଖାଦେଲେ—ମନେପଡ଼ିଲା ଅତୀତ–ଲତା ଆଉ ସିପ୍ରାଙ୍କୁ ବଢ଼ାଇ ବିବାହ ଦେଇ ସାରିବା ପରେ ତାଙ୍କର ସଂସାରରୁ କର୍ତ୍ତବ୍ୟ ସରିଛି । ତା’ପରେ ହୋଇଛନ୍ତି ମୁକ୍ତ– ।

 

ମା’ କେବେ ମରିଥିଲେ ତା’ ଗୋବର୍ଦ୍ଧନଙ୍କ ସ୍ମୃତିରେ ନାହିଁ । ତା’ପରେ ବାପା ଦ୍ୱିତୀୟଥର ପାଇଁ ବିବାହ କରିଥିଲେ—ଦ୍ୱିତୀୟ ମା’ଙ୍କର କନ୍ୟା ଦୁଇଟି ଲତା ଓ ସିପ୍ରା । ସିପ୍ରାର ଜନ୍ମପରେ ଦ୍ୱିତୀୟ ମା’ ବି କ୍ରମେ ଅସୁସ୍ଥା ହେଲେ । ସିପ୍ରାକୁ ଯେତେବେଳେ ତିନିବର୍ଷ ମା’ ସେତେବେଳେ ଏମାନଙ୍କୁ ଛାଡ଼ି ଚାଲିଗଲେ–ମା’ ଯିବାର ବର୍ଷକ ପରେ ବାପା ବି ତାଙ୍କ ବାଟ ଧରିଲେ–ରହିଲେ କେବଳ ଗୋବର୍ଦ୍ଧନ, ଲତା ଆଉ ସିପ୍ରା–ଲତାକୁ ସେତେବେଳକୁ ଆଠବର୍ଷ–ସିପ୍ରାକୁ ଚାରିବର୍ଷ—ଗୋବର୍ଦ୍ଧନ ସେଇବର୍ଷ ମାଟ୍ରିକ ପାସ୍ କଲେ । ତା’ପରେ ପାଠ ପଢ଼ିବାକୁ ଗୋବର୍ଦ୍ଧନ ବାହାରିଲେ କଟକ । ଲତା ଆଉ ସିପ୍ରାଙ୍କୁ ବି ସାଙ୍ଗରେ ନେଲେ–ଘରେ ଜମିବାଡ଼ି ଯାହା ସେଥିରୁ କିଛି ମିଳିବାର କଥା ନୁହେଁ—ନିଜେ ରୋଜଗାର କରି ପାଠ ପଢ଼ିବେ ଗୋବର୍ଦ୍ଧନ ଆଉ ଲତା ଏବଂ ସିପ୍ରାକୁ ବି ପୋଷିବେ ।

 

କଟକରେ ଗୋଟେ ନିତାନ୍ତ ଆଉ ଛୋଟ ଆଉ ଭଙ୍ଗାଘର ଦଶଟଙ୍କାକୁ ଭଡ଼ା ମିଳିଲା–ସେଇଠି ତିନିହେଁ ରହିଲେ–ଦୁଇଟି ଟିଉସନ୍ ଠିକ୍ କରିନେଲେ ଗୋବର୍ଦ୍ଧନ—ଗୋଟିଏ ଜାଗାରେ ସକାଳ ଓଳି ଗଣ୍ଡାଏ ଖାଇବାକୁ ମିଳିବ ଓ ଦଶଟଙ୍କା ମିଳିବ–ଅନ୍ୟ ଜାଗାରେ କୋଡ଼ିଏଟଙ୍କା ମିଳିବ–ସକାଳୁଆ କଲେଜରେ ପଢ଼ା ଆରମ୍ଭ କଲେ ଗୋବର୍ଦ୍ଧନ ।

 

ସକାଳୁ ଉଠି ବସାକାମ ଶେଷକରି କଲେଜକୁ ଯାଆନ୍ତି ଗୋବର୍ଦ୍ଧନ । କଲେଜରୁ ଫେରି ପୁଣି ରୋଷେଇ କରି ଲତା ଓ ସିପ୍ରାକୁ ଖାଇବାକୁ ଦେଇ ନିଜେ ଯାଆନ୍ତି ଖାଇବାକୁ—ସେଠି ଗଣ୍ଡାଏ ଖାଇ ପିଲାଙ୍କୁ ପାଠ ପଢ଼ାଇ ଚାରିଟା ବେଳକୁ ଫେରନ୍ତି—ପୁଣି ବସାରେ ଟିକିଏ ମୁହଁମାରି ସନ୍ଧ୍ୟାବେଳକୁ ପଢ଼ାଇବାକୁ ଯାଆନ୍ତି । ସେଠୁ ପାଠପଢ଼ା ଶେଷକରି ଫେରନ୍ତି । ପୁଣି ରୋଷେଇକରି ଲତା ଓ ସିପ୍ରାକୁ ଖାଇବାକୁ ଦିଅନ୍ତି ।

 

ରାତିବେଳଟା ଗୋବର୍ଦ୍ଧନଙ୍କୁ ନିରୋଳା ଉପବାସ ରହିବାକୁ ପଡ଼େ–ଲତା ପଚାରିଲେ ସେ କହନ୍ତି ସେ ବାହାରୁ ଖାଇଦେଇ ଆସିଛନ୍ତି । ଏମିତି ଭାବରେ ଦିନ ତା’ ବାଟରେ ଗଡ଼ି ଚାଲିଲା–ବେଳେବେଳେ ଗୋବର୍ଦ୍ଧନ ଲତାକୁ ପଢ଼ାନ୍ତି–ଲତା ପିଲାଲୋକ ସେ ପୁଣି କ'ଣ ବା ବୁଝିବ ଗୋବର୍ଦ୍ଧନଙ୍କ ଜୀବନ ସଂଗ୍ରାମ ! ଦିନେ ଦିନେ ଗୋବର୍ଦ୍ଧନ ବଡ ଦୁର୍ବଳ ବୋଧ କରନ୍ତି–ଦିନକେ ଥରେ ଖାଇ ଏମିତି ହାଡ଼ଭଙ୍ଗା ଖଟଣି ଖଟିବାରୁ କ୍ରମେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଆଡ଼କୁ ଗତିକଲା । ତଥାପି ସେଥିରେ ସେ ହାରିଯାଇ ନଥିଲେ । ଦିନେ ଦିନେ ରାତିରେ କ୍ଷୁଧାର ଜ୍ୱାଳା ଏଡ଼େ ତୀବ୍ର ହୋଇପଡ଼େ ଯେ ସେ ସହିପାରନ୍ତି ନାହିଁ–ଲତା ଆଉ ସିପ୍ରା ଖାଇବାରୁ ଯଦି କିଛି ଛାଡ଼ିଦେଇଯାନ୍ତି ତେବେ ସେ ସେମାନଙ୍କୁ ବାସନ ନ ଧୋଇ ଶୋଇପଡ଼ିବାକୁ କୁହନ୍ତି–ଲତା ଓ ସିପ୍ରା ଶୋଇପଡ଼ିବା ପରେ ପେଟର ଜ୍ୱାଳା ସହିନପାରି ସେଇ ଅଇଁଠାଭାତ ମୁଠିକ ସେ ଅନେକ ଦିନ ଖାଇଛନ୍ତି—ଏମିତି ଭାବରେ ଗୋବର୍ଦ୍ଧନଙ୍କ ଜୀବନ ଗଡ଼ିଚାଲେ ।

 

ଲତା ଓ ସିପ୍ରାଙ୍କୁ ପାଠ ପଢ଼ାଇବାପାଇଁ ଗୋବର୍ଦ୍ଧନ ଠିକ୍‍ କଲେ–ଆଉ ଗୋଟାଏ ଟିଉସନ ବି ମିଳିଗଲା—ଲତା କ୍ରମେ ନିଜେ ରାନ୍ଧି ଶିଖିଲା । ସିପ୍ରା ବି ତାକୁ ସାହାଯ୍ୟ କଲା–ଦି’ଭଉଣୀ ନିଜ ନିଜ କାମ ନିଜ ହାତରେ କରି ପାଠ ପଢ଼ିଲେ । ଗୋବର୍ଦ୍ଧନଙ୍କ ପାଠ ପଢ଼ା ଶେଷହେଲା–ସେ ଚାକିରିର ଅନ୍ୱେଷଣ କଲେ । ସେ ଯେଉଁ ଭଦ୍ରଲୋକଙ୍କ ଘରେ ଟିଉସନ କରୁଥିଲେ ଦିନେ ତାଙ୍କରି ଆଗରେ ସବୁ ଦୁଃଖ ପ୍ରକାଶ କଲେ–ସେ ଭଦ୍ରଲୋକ ଏ ସବୁ ଶୁଣି ଗୋବର୍ଦ୍ଧନଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଓ ଗୋବର୍ଦ୍ଧନଙ୍କୁ ଚାକିରିର ଯୋଗାଡ଼ କରିଦେଲେ ।

 

ଏଥର ଗୋବର୍ଦ୍ଧନ ନିଶ୍ଚିନ୍ତରେ ନିଃଶ୍ୱାସ ମାରିବାକୁ ଅବସର ପାଇଲେ–ଦି’ଓଳି ଦି’ମୁଠା ଖାଇବାକୁ ପାଇଲେ–ଏଥର ପୁଣି ଚିନ୍ତା ଆସିଲା ଲତା ବିଷୟରେ—ଲତା ମାଟ୍ରିକ ପାସ୍‍ କଲା—ତା’ପରେ ତା’ର ବିବାହ ଦେବାପାଇଁ ଗୋବର୍ଦ୍ଧନ ଅନେକ ଚିନ୍ତା କଲେ–ଶେଷରେ ଲତାପାଇଁ ଭଲ ବରଟିଏ ମିଳିଲା–ତା’ର ବିବାହ ହେଲା–ବିବାହର ଦି'ବର୍ଷ ପରେ ଲତା କୋଳକୁ ହସି ହସି ଆସିଲା ପୁଅଟିଏ–ଗୋବର୍ଦ୍ଧନ ଯାଇଥିଲେ ଲତା ଘରକୁ ସେତେବେଳେ–ଆଉ ଯାଇନାହାନ୍ତି ।

 

ସିପ୍ରା ମାଟ୍ରିକ୍‌ ପାସ୍‍ କରି କଲେଜରେ ପାଠ ପଢ଼ିବାକୁ ଗଲା–କଲେଜରେ ତା’ର ଅର୍ଦ୍ଧେନ୍ଦୁ ସହିତ ବନ୍ଧୁତା ହେଲା ଶେଷରେ ସିପ୍ରା ଅର୍ଦ୍ଧେନ୍ଦୁକୁ ବିବାହ କଲା–ଅର୍ଦ୍ଧେନ୍ଦୁ ବଡ଼ଘରର ପିଲା–ବାପା ତା’ର କୋଟିପତି–ବିବାହର ପ୍ରଥମ ଦୁଇ ତିନିବର୍ଷ ଖୁବ୍ ଭଲରେ ସିପ୍ରା ସହିତ ତା’ର ଜୀବନ କଟିଲା–ତା’ପରେ ଅର୍ଦ୍ଧେନ୍ଦୁ ସିପ୍ରାକୁ ଆଉ ସେ ଦୃଷ୍ଟିରେ ଦେଖିଲାନି–ମଦପିଇ ମାତାଲ ହୋଇ ସବୁବେଳେ ଗପୁଥାଏ ଅର୍ଦ୍ଧେନ୍ଦୁ—ତା’ର ଏ ଚରିତ୍ର ସ୍ଖଳନ ସିପ୍ରାକୁ ବଡ଼ ବିଧିଲା–ସବୁ ସହିଯାଏ ସିପ୍ରା ।

 

ଦୁଇ ଭଉଣୀଙ୍କ ବିବାହ ପରେ ସଂସାରର ଜଞ୍ଜାଳରୁ, ମୁକ୍ତ ହେଲେ ଗୋବର୍ଦ୍ଧନ–ତା’ପରେ ତାଙ୍କ ଜୀବନ ବଡ଼ ଅସହ୍ୟ ହୋଇପଡ଼ିଲା—ମୃତ୍ୟୁ ଶଯ୍ୟାରେ ସେ ବାପାଙ୍କୁ କଥା ଦେଇଥିଲେ, ଲତା ଓ ସିପ୍ରା ପାଇଁ–ବାପାଙ୍କ କଥା ପୂରଣ କରିବା ପରେ ତାଙ୍କର ଆଉକିଛି କରିବାର ନଥିଲା–ନିଜେ ଆଉ ବିବାହର ପ୍ରଶ୍ନ ଉଠାଇ ନାହାନ୍ତି–ବୟସ ତାଙ୍କର ପଇଁତ୍ରିଶ ଟପି ଯିବାପରେ ସେ ଆଉ ସେମିତି ଜୀବନକୁ ପସନ୍ଦ ନକରି ଚାକିରି ଛାଡ଼ିଦେଲେ–ପୁଣି ସେଇ ଗାଁ ମାଟିର ଆକର୍ଷଣ ତାଙ୍କୁ ଗାଁକୁ ଟାଣି ଆଣିଲା, ଜମି ଯାହା ୩/୪ ମାଣ ଥିଲା ତାକୁ ସପନାଦ୍ୱାରା ଚାଷକରି ଚଳିଯିବା ପାଇଁ ଠିକ୍‍ କଲେ ।

 

ତାଙ୍କର ଏ ଜୀବନରେ ଭଲମନ୍ଦ, ଦୁଃଖ ସୁଖର ସାଥି କେହି ନାହିଁ–କେବଳ ଗୋଟିଏ ଜୀବନ—ଭଲମନ୍ଦରେ ସପନା ଅଣ୍ଟାଭିଡ଼ି ଠିଆହୁଏ–ଏମିତି ଗୋଟାଏ ଜୀବନକୁ ନେଇ ଗୋବର୍ଦ୍ଧନ ଚାଲିଛନ୍ତି–ସଂସାରର ମାୟାମମତା ପାଇଁ ତାଙ୍କ ପ୍ରାଣରେ ଆଉ ଦରଦ ନାହିଁ । ପ୍ରାଣର ସବୁ ସରସତା ହଜି ଯାଇଛି ।

★★★

 

ଝଡ଼

 

କଚେରି ଘଣ୍ଟାରେ ବାଜିଲା ଦୁଇ—

 

ସୁପ୍ତନଗରୀ ଉପରେ ବିଛେଇହୋଇ ଯାଇଛି ଦ୍ୱାଦଶୀର ତୋଫା ଜହ୍ନ ଆଲୁଅ–ଅମାନିଆ ଚଇତାଳି ପବନଟା ଆରମ୍ଭକରି ଦେଇଛି ତା’ର ଶାନ୍ତିହୀନ ଗତି–ଚାରିଆଡ଼େ ନୀରବ–ନିସ୍ପନ୍ଦ, ବେଳେବେଳେ ଗୋଟିଏ ଗୋଟିଏ ସାଇକେଲ୍ ରିକ୍‍ସାର ପେଁ ପେଁ ଶବ୍ଦ ନୀରବତାରେ ବାଧା ଆଣୁଛି—ସେ ବି ସେମିତି ଗୋଟାଏ ଧରାବନ୍ଧା ରୀତି–ସଂସାରରେ ପ୍ରତ୍ୟେକ କଥାରେ ଥାଏ ଏମିତି ବାଧା । ନିହାରିକା ଦେବୀଙ୍କ ଆଖିରେ ନିଦ ନାହିଁ । ମନଟା ବେଶ୍‍ ଉଦାସ ହୋଇଉଠିଛି । କେଉଁକାଳୁ ଯୌବନକୁ ବିଦାୟ ଦେଇଥିଲେ ସୁଦ୍ଧା ଆଜି କେଜାଣି କାହିଁକି ପୁଣି ତାଙ୍କ ମନରେ ତୁହାଇ ଉଠୁଛି କେତେଟା ଗତ କଥା–ହୃଦୟରେ ଉଠି ଆସୁଛି ଭଟ୍ଟାହୀନ ଜୁଆର–ମନରୁ ଛିଡ଼ି ଯାଇଛି ଭାବନାର ତନ୍ତ୍ରୀ–ସେଇ ମନଭିତରେ ଆରମ୍ଭ ହୋଇଛି ପ୍ରବଳ ଝଡ଼ ।

 

ଏ ଶୀଳା, ଏତେବେଳଯାଏ ଶୋଇନାହୁଁ ଯେ ଦି’ଟା ବାଜିଲାଣି–ଯା ଶୁଅ ।

 

‘ଦେଖୁଛତ ଆଉ ତିନିଟାଦିନ ପରୀକ୍ଷା–ଶୋଇବାକୁ ବେଳ କାହିଁ ?’

 

‘ଆଗ ଦେହ ନା ଆଗ ପରୀକ୍ଷା ? ଯା ଶୋଇପଡ଼ ।’

 

ପୁଣି ମନ ଭିତରେ ତୁହାଇ ଉଠିଲା ସେଇ ଆପାସୋରା ଅତୀତର କେତେଟା କଥା—ଆଜି ହୁଏତ ସେ ଶୀଳାର ମା’–ଜୀବନର ଉପଭୋଗ୍ୟ ପରିସର ତାଙ୍କଠାରୁ ଦୂରେଇ ଯାଇଛି । ଶୀଳାର ବି.ଏ. ପରୀକ୍ଷା–ପାଠରେ ତା’ର ଭାରି ମନ–ପଢ଼ୁଛି, ପରୀକ୍ଷା ଦେଉ, ପାସ୍‍ କରିବ–କିନ୍ତୁ କାହିଁକି ? ସେତ ଦିନେ ଏମିତି ପଢ଼ୁଥିଲେ, ପରୀକ୍ଷା ଦେଇଥିଲେ, ପାସ୍‍ କରିଥିଲେ । ତଥାପି ଜୀବନରେ ତାଙ୍କର ପୂର୍ଣ୍ଣତା ଆସିବା ସେ ଜାଣିନାହାନ୍ତି । ଜୀବନ ! ସେଥିରେ ପୁଣି ଭାବିବାର କ’ଣ ଅଛି ? ସେ ଯାଏ ପୁଣି ଆସେ–ମଣିଷର ବିଶ୍ୱାସ । ତଥାପି ମଣିଷ ଚାହିଁବା ମୁତାବକ ନିଜ ଇଚ୍ଛାରେ ଜୀବନକୁ ଚଳେଇନେଇ ପାରେନି କାହିଁକି ? ଏ କ’ଣ ଜୀବନର ବୈଚିତ୍ର୍ୟ ନା ମଣିଷର ଭୁଲ୍‍ ।

ସେଦିନ ହୁଏତ ଏମିତି ଆକଶରେ ଚାନ୍ଦଥିଲା–ଚଇତାଳି ପବନ ତା’ ବାଟରେ ବହି ଚାଲିଥିଲା–ଜଗତଥିଲା ସୁପ୍ତ । ସେଦିନ ହୁଏତ ପରୀକ୍ଷା ପାଇଁ ସେ ପଢ଼ୁଥିଲେ ଆଉ ଆଜି, କାଳର ଅବିରାମ ଗତିପରେ ତାଙ୍କରି ରକ୍ତରେ ଗଢ଼ା ଏ ତାଙ୍କର ଦ୍ୱିତୀୟ ଶରୀର ଶୀଳା ପଢ଼ୁଛି ଠିକ୍ ସେଇ ପରୀକ୍ଷା ପାଇଁ–ବିଚିତ୍ର ଏ କାଳ–ବିଚିତ୍ର ଏ ଜଗତ–ବିଚିତ୍ର ଏ ପରିବର୍ତ୍ତନ ।

ପୁଣି ତାଙ୍କର ମନରେ ଆସିଲା ଆଉ ଏକ ପ୍ରଶ୍ନ–ଆଜିକୁ ୨୦ ବର୍ଷ ତଳେ ଯେତେବେଳେ ସେ ନିଜେ ଏଇ ଶୀଳା ବୟସରେ ଥିଲେ ସେତେବେଳେ ତାଙ୍କ ମନରେ ଯେତେକି ଆଶା ଉଦବେଗ ଥିଲା ଆଜି କ’ଣ ଶୀଳା ମନରେ ସେତିକି ଉଦବେଗ ନଥିବ ? କାହିଁକି ଏ ଆଶା ମଣିଷ ମନରେ ଦେଖାଦିଏ ? ଶତ ଚେଷ୍ଟାକରି ସେ ନିଜେ ପୂରଣକରି ପାରିନାହାନ୍ତି ତାଙ୍କର ମନର ଆଶା, ଆଉ ଶୀଳା–ପାରିବତ ? ରଙ୍ଗିନ ଆଖିରେ ଦୁନିଆକୁ ଦେଖୁଥିବା ଯୁବତୀ କ’ଣ କେବେହେଲେ ଦୁନିଆର ଭବିଷ୍ୟତ କଠିନ କର୍କଶ ପଥର ଗତି ବିଷୟରେ ଧାରଣା କରିପାରେ ? ନା, ତା’ ହୁଏତ ମଣିଷର ଦୃଷ୍ଟିଠାରୁ ଅନେକ ଦୂରରେ । ମନ ଯା’ ଚାହେଁ ତା’ ମିଳେନି । ଦୁନିଆର ବାସ୍ତବତା ଏଇଠି ।

ସେଦିନ ରାତି ଠିକ୍‍ ଏଇ ଦି’ଟାରେ ନିହାରିକାକୁ ଡାକିଥିଲେ ସୁକାନ୍ତ—

ଏତେବେଳଯାଏ ଶୋଇନ ନିହାରିକା ?

ତୁମେ ? ଏତେବେଳେ ?

ହଁ, ଦେଖିଲି, ତୁମଘରେ ଆଲୁଅ ଜଳୁଛି–ନିଦ ବି ହେଲାନି–ଏମିତି ଚାଲି ଆସିଲି ।

ଝରକାଟା ପାଖରେ ଠିଆହେଲ ଯେ, କବାଟ ଖୋଲିବି ଭିତରକୁ ଆସିବ ?

ନା, ଦରକାର ନାହିଁ–ଶୋଇପଡ଼–ପରୀକ୍ଷା ଯୋଗୁଁ ସ୍ୱାସ୍ଥ୍ୟ କଥା ଭୁଲିଯାଆନା ।

ତା’ ପରେ ଚାଲିଗଲେ ସୁକାନ୍ତ । ବୁଝିପାରିଲେନି ନିହାରିକା ସୁକାନ୍ତଙ୍କର ଏ କିପ୍ରକାର ମନର ଭାବ ।

ସୁକାନ୍ତ, ସେ ହୁଏତ ସବୁଦିନପାଇଁ ନିହାରିକାଙ୍କ ପାଖରେ ପ୍ରହେଳିକା—ତାଙ୍କୁ ବୁଝିବାପାଇଁ ଯେତେ ଚେଷ୍ଟା ନିହାରିକା କରିଛନ୍ତି ସେ ତାଙ୍କ ଆଗରେ ସେତେ ବେଶୀ ଦୁର୍ବୋଧ୍ୟ ମନେ ହୋଇଛନ୍ତି ।

ଦୁନିଆର ଏମିତି ଘଟଣାକୁ ନେଇ ଦିନ ତା’ ବାଟରେ ଗଲା—ମନରଆଶା କେବଳ ମନରେ ରହିଲା ନିହାରିକାଙ୍କର—ବଶଂଗତ ଆଭିଜାତ୍ୟ ନଥିବାରୁ ସୁକାନ୍ତ ନିହାରିକାଙ୍କ ବାପାଙ୍କ ମନକୁ ଆସିଲେ ନାହିଁ–ସମାଜରେ ମାନ ସମ୍ମାନ ନାହିଁ ମଣିଷପରି ମଣିଷର ଯୋଗ୍ୟତା ନାହିଁ ।

 

ନିହାରିକାଙ୍କ ଜୀବନରେ ଆରମ୍ଭ ହେଲା ଗୋଟାଏ ନୂଆ ଅଧ୍ୟାୟ । କିଶୋରବାବୁ—ଓଡ଼ିଶା ସରକାରଙ୍କର ଜଣେ ଉଚ୍ଚ ଧରଣର କର୍ମଚାରୀ । ସମାଜର ନିୟମାନୁଯାୟୀ ଶରୀରଟାକୁ କିଣିଲେ । କିନ୍ତୁ ମନଟା ବହୁତ ଦୂରରେ ଥିଲା । ତାଙ୍କର ଏପ୍ରକାର ଗତିବିଧିରେ ସେ ତିରସ୍କାର କରିଛନ୍ତି ନିହାରିକାଙ୍କୁ । ସବୁ ସହିଛନ୍ତି ସେ । ଦୁଃଖ ତାଙ୍କର ରହିଗଲା–ସଂସାର ମଣିଷ ଚିହ୍ନି ଜାଣେନାହିଁ ।

 

ବୋଉ’—

 

ଭାବନାର ତନ୍ତ୍ରୀ ଛିଡ଼ିଗଲା ନିହାରିକାଙ୍କର ଶୀଳା ଡାକରେ ।

 

କ’ଣ ?

 

ତୁ ଯାଉନୁ ଶୋଇବୁ, ଏମିତି ବସିଚୁ କାହିଁକି ?

 

ଯାଉଛି, ନିଦ ହେଉନି ।

 

ବୋଉ, କ’ଣ ଗୁଡ଼ାଏ ସବୁବେଳେ ଭାବୁଛୁ ?

 

ନା—କିଛି ନାହିଁ ।

 

ମୋ ଲାଗି ତୋର ଏତେ ଭାବନା ନା ? ଏଇ କେତାଟା ଦିନ ଟିକେ ପରିଶ୍ରମ ନକଲେ ହେବନି । ତୁ ଯା–ଶୋଇବୁ ଯା ।

 

ଶୀଳା ବୁଝିଲା ବୋଉର ଦୁଃଖ—ଭଗବାନ ତାକୁ ଭାଇଟିଏ ଦେଇ ନାହାନ୍ତି—ସେଥିପାଇଁ ବୋଉର ଏତେ ଦଃଖ ।

 

ଆଚ୍ଛା ବୋଉ, ମୁଁ କ’ଣ ତୋ’ପାଇଁ କିଛି କରିପାରିବି ନାହିଁ ?

 

କାହିଁକି ?

 

ତୁ ସେମିତି ସବୁବେଳେ ଭାବୁଛୁ ଯେ ?

 

ତତେ ପାଇ ମୁଁ ଯେତେ ସୁଖୀ ଆଉ କ’ଣ ମୋଠୁ କିଏ ବେଶୀ ଅଛି ?

 

ନା-ଖାଲି ମୋ ମନ ରଖିବା ପାଇଁ ଏ କଥା କହୁଛୁ ।

 

ଭଗବାନଙ୍କ ହାତର କଥା ସେ ଶୀଳା ।

 

ଭଗବାନ ଠିକ୍‍ କରିଛନ୍ତି, ଭାବିଲେ ନିହାରିକା—ପୁଅଟିଏ ଦେଇଥିଲେ ହୁଏତ ସୁକାନ୍ତଙ୍କ ପରି ସାରା ଜୀବନ ଦୁଃଖରେ କଟାଇ ନଥାନ୍ତା ବୋଲି କିଏ କହିବ ? ଠିକ୍‍ ସୁକାନ୍ତଙ୍କ ପରି ତା’ ନାମରେ ଯେ ଦୁର୍ନାମ ରଟିନଥାନ୍ତା ତା’ କିଏ ଜାଣେ ? ସୁକାନ୍ତ ଏବେ ବି ଅବିବାହିତ । ଗରିବ ଶିକ୍ଷକ । ସେ କ’ଣ ତାଙ୍କ ପୁଅର ଏପରି ଅବସ୍ଥା ଦେଖି ପାରନ୍ତେ ? ଆଉ ଏ ଶୀଳା–ଝିଅ–ତା’ର ମନ ଭିତରେ ଏମିତି ଯେତେ ଝଡ଼ ଉଠିଲେ ବି ଭିତରେ ଗୋଟାଏ ମନ ଆଉ ବାହାରେ ଗୋଟାଏ ମନ ନେଇ ଦୁନିଆରେ ଚାଲିପାରିବ । ମଣିଷ ଜନ୍ମହିଁ ଦୁଃଖମୟ ।

 

ବାଡ଼ିପଟ ଦେବଦାରୁ ଗଛ କଡ଼ରେ ଜହ୍ନ ଢଳି ପଡ଼ିଲା । କୋଠା ଉପରେ ଦେବଦାରୁ ଗଛର ଲମ୍ୱ ଛାଇ ଲମ୍ୱିଗଲା—ଉଠିଲେ ନିହାରିକା ଦେବୀ—ଶୀଳା ଜାଣିଲା ଯେ ସେ ଗଲେ ଶୋଇବାକୁ ନିଶ୍ଚିନ୍ତରେ—କିନ୍ତୁ କି ଝଡ଼ର ଗତି ତାଙ୍କ ମନ ଭିତରେ ନେଇ ସେ ଯେ ଯାଉଥିଲେ ତାହା ହୁଏତ ଶୀଳାର ଭାବନା ଠାରୁ ଅନେକ ଦୂରରେ ଥିଲା ।

★★★

 

ପରାଜୟ

 

ବିଲାତ ଯିବା ବାଟରେ ଚିଠି ଲେଖିଥିଲେ, —‘‘ଜାହାଜର ଡେକ୍‌ ଉପରେ ଠିଆ ହୋଇ ନୀଳ ବୀଚିମାଳା ଉପରେ ଦୃଷ୍ଟିରଖି ସାଗର ସେପାରିର ଦୂର ଚକ୍ରବାଳ ତଳେ ଗୋଧୂଳିର ଶେଷ ରକ୍ତିମ ଆଭା ଉପଭୋଗ କରୁଛି–ବାସ୍ତବରେ ଏଭଳି ଦୃଶ୍ୟ ଜୀବନରେ କେବେହେଲେ ଉପଭୋଗ କରିବାର ସୁଯୋଗ ପାଇନି—ହଁ, ଅସ୍ତମିତ ଗୋଧୂଳିର ରଙ୍ଗୀନ ଛବି ଚକ୍ରବାଳ ଆର ପାରିକି ଢଳି ପଡ଼ିବ–ପୁଣି ସେଇ ଚକ୍ରବାଳ ଆରପାରିରୁ ଉଠି ଆସିବ ରୂପେଲି ଚାନ୍ଦ–ସୁନ୍ଦର–ସବୁ ସୁନ୍ଦର–କିନ୍ତୁ ତଥାପି ପୂର୍ଣ୍ଣପ୍ରାଣରେ ଏସବୁକୁ ମୁଁ ଉପଭୋଗ କରିପାରୁନି—ତୁମରି ରୂପରେଖା ସବୁବେଳେ ଆଖି ଆଗରେ ନାଚି ଉଠୁଛି’’—ସତେ ସେ କେତେ ଆଦର କରନ୍ତି ମୋତେ–କିନ୍ତୁ ମୁଁ ତା’ର ପ୍ରତିଦାନରେ ତାଙ୍କୁ ଦେଇପାରିବି କ’ଣ ? —ବ୍ୟଥାତୁର ହୋଇ ପଚାରିଲା ନମିତା ।

 

ଆଖିର ଲୁହ—କହିଲା ଶୀଳା ।

 

ଭଲପାଇବାର ଶେଷଦାନ କ’ଣ କେବଳ ଲୁହ ?

 

ଆଉ ଉପାୟ କିଛି ନାହିଁ ନମିତା—ବାପାଙ୍କର ଏକାଜିଦ୍‌ ।

 

ବାପାଙ୍କ ଜିଦ୍‌ ରଖିବାକୁ ଯାଇ କ’ଣ ଗୋଟାଏ ପ୍ରାଣକୁ ମୁଁ ଜାଳିପୋଡ଼ି ନଷ୍ଟ କରିଦେବି-? ନା—ତା’ ମୁଁ ପାରିବିନି ।

 

ତେବେ କ’ଣ ବାପାଙ୍କର ଅବାଧ୍ୟ— ?

 

ହଁ ଆବଶ୍ୟକ ପଡ଼ିଲେ ହେବି ।

 

କିନ୍ତୁ ମୁଁ ଭାବୁଛି—

 

ଭାବିବାର ଅବକାଶ ନାହିଁ ଶୀଳା—

 

ଯଥେଷ୍ଟ ଅଛି—

 

ଜୀବନର ଏଇ ଗୋଟିଏ ମୁହୂର୍ତ୍ତ ପାଇଁ ଭାବି ବସିଲେ ବେଳ ଅଣ୍ଟିବନି—ତଥାପି ଭାବନା ସରିବନି ।

 

ତେବେ ?

 

ସେ ଭାବନା ଅନ୍ୟାୟ–ଆତ୍ମହତ୍ୟା ମହାପାପ— ।

 

ଏମିତି ହୁଏତ କେତେ କଥା ଚାଲିଲା ସେଦିନ ଦୁହିଁଙ୍କର...ନମିତା ଭାବି ପାରିଲାନି କ’ଣ କରିବ–ସୁବୋଧ ବିଲାତ ଯିବା ପୂର୍ବରୁ ବାପା ତା’ର ସବୁ ଠିକ୍‌ କରିଥିଲେ ଆଉ ମଧ୍ୟ ବିଦାୟ ବେଳେ କହିଥିଲେ, ତୁମରି ଅପେକ୍ଷାରେ ମୁଁ ରହିଲି ସୁବୋଧ–କିନ୍ତୁ ତା’ପରେ ହଠାତ୍‌ ଏପ୍ରକାର ମତାନ୍ତରର କାରଣ କ’ଣ ?

 

ମନୋଜ, ଜଜ୍‍ ସାହେବଙ୍କ ପୁଅ, ଏମ୍‍.ଏ. ପଢ଼ନ୍ତି । ଚେହେରା—ମନ୍ଦ ନୁହେଁ । ଧନ ଅଛି, ମାନ ଅଛି, ତାଙ୍କରିପ୍ରତି ବାପା ଢଳି ପଡ଼ିଛନ୍ତି । ସୁବୋଧ ଗରିବ, ଧନ ନାହିଁ ମାନତ ଅଛି । ଡାକ୍ତରୀ ବିଦ୍ୟାରେ ଉଚ୍ଚଶିକ୍ଷା ପାଇବାପାଇଁ ବିଲାତ ଯାଇଛି ସରକାରଙ୍କଠୁ କରଜନେଇ—ହେଲା ଏବେ ଆଭିଜାତ୍ୟ ନାହିଁ—କ୍ଷତି କ’ଣ ? ବୋଉ ଯଦି ଆଜି ଥାନ୍ତା–ଆଉ ଭାବି ପାରିଲାନି ନମିତା ।

 

ସେଇବର୍ଷ ଆଷାଢ଼ର ପହିଲି ବାଦଲ ଝରିଲା–ତା’ ସଙ୍ଗେ ସଙ୍ଗେ ଝରିଲା ନମିତାର ଘନୀଭୂତ ବେଦନା–ବାଦଲ ଆଖି ବାଟ ଦେଇ–କିଛି କହିପାରିଲାନି ସେ ।

 

କିଛି ଚିଠି ପାଏନି ସୁବୋଧ ନମିତାଠାରୁ–ସନ୍ଦେହ ତା’ର କ୍ରମେ ବଢ଼ିଲା । ତିନିବର୍ଷ ପରେ—

 

ବିଲାତରୁ ଫେରିଲା ସୁବୋଧ ? ଘରେ ବିଧବା ମା’—ସାନ ଭଉଣୀ ଗୀତା–ସମସ୍ତେ ଜାଣନ୍ତି, କିନ୍ତୁ ହଠାତ୍‌ ଏ ଖବରଟା ଦେବାପାଇଁ କେହି ଭଲ ମନେକଲେନି–ଯେତେବେଳେ ତାଙ୍କ ଘରକୁ ଯିବାପାଇଁ ସୁବୋଧ ବାହାରେ ସେତେବେଳେ ଗୀତା ମନାକଲା—ନା’ ଭାଇ, ତୁମେ ସେଠିକି ଯାଅନା–ସମୟ ଯାଇଛି, ମଣିଷ ବଦଳିଛନ୍ତି । ନମିତାଅପା ଆଉ ସେଠି ନାହିଁ–ସେ ଆଜି ପରର ।

 

ଭାବି ପାରିଲାନି ସୁବୋଧ–ଦୁନିଆଟା କ’ଣ ଏଇଆ ?

 

ତା’ପରେ—

 

କମ୍ୟୁନିଟି ପ୍ରୋଜେକ୍ଟରେ ଚାକିରି ପାଇଲା ସୁବୋଧ...ମଫସଲ ଜାଗା–ଲୋକମାନେ ଦେବତା ପରି ଭକ୍ତି କରନ୍ତି ତାକୁ–ସେଦିନ ଗୋଟାଏ କି ଭୀଷଣ ରାତ୍ରି–ମେଘ ଘଡ଼ଘଡ଼ିର ବିରାମ ନାହିଁ ପବନ ବଢ଼ି ଚାଲିଛି ଖୁବ୍‌ ବେଗରେ–ପ୍ରୋଜେକ୍ଟ ଅଫିସରଙ୍କ ପିଅନ ଆସି ଡାକିଲା, ‘‘ଡାକ୍ତର ବାବୁ, ସାହେବଙ୍କ ପୁଅ ଭୀଷଣ ବେରାମ–ଚାଲନ୍ତୁ– ।

 

ସୁବୋଧ ଦେଖିଲା ଟିକି ପିଲାଟିକି ବଡ଼ ଜଟିଳ ରୋଗ—ଔଷଧ ଆଉ ଇଞ୍ଜେକ୍‌ସନ୍‍ ଦେବା ଯୋଗୁଁ ଗୋଟିଏ ରାତ୍ରି ଅନିଦ୍ରା ହେଲା ସେଠି–ସକାଳୁ ପୁଅର ଅବସ୍ଥା ଅନେକାଂଶରେ ବଦଳିଗଲା–ଅଫିସର୍‌ କହିଲେ,—ଆପଣଙ୍କ ଋଣ ମୁଁ ଶୁଝିପାରିବିନି ଡାକ୍ତରବାବୁ–ଏତେବଡ଼ ବର୍ଷାରେ ଏତେ କଷ୍ଟ କରି—

 

ଡାକ୍ତର ଜୀବନରେ ସୁଖ ଦୁଃଖ ସବୁ ସମାନ–କଷ୍ଟ ଆଉ କ’ଣ ?

 

ସେଇଦିନ ସଞ୍ଜରେ ପୁଣି ଆସି ଡାକିଲା ପିଅନଟି—‘‘ଡାକ୍ତରବାବୁ ଶୀଘ୍ର ଆସନ୍ତୁ–ସବୁ ସରିଗଲା’’—ସୁବୋଧ କିଛି ଭାବିପାରିଲାନି ପୁଣି କ’ଣ ପୁଅ ଦେହ ବଢ଼ିଲା ? ଖୁବ୍‌ ଶୀଘ୍ର ଗଲା ସୁବୋଧ–ଅଫିସର୍‌ ବସିଥିଲେ ବାରଣ୍ଡାରେ ମୂକ ପରି ହଠାତ୍‌ ଗୋଟାଏ ଖରାପ ଆଶଙ୍କା କରି ଭିତରକୁ ପଶିଗଲା ସୁବୋଧ—କିନ୍ତୁ ଏ କ’ଣ ? ପୁଅଟି ଖଟ ଉପରେ ଯେ ହାତଗୋଡ଼ ହଲାଇ ଖେଳୁଛି–ପିଅନଟି ତାକୁ ଡାକି ନେଲା ଆରପାଖ ଘରକୁ ଚଟାଣରେ ମୁହଁ ମାଡ଼ି ପଡ଼ିଛନ୍ତି ଅଫିସର୍‍ଙ୍କ ସ୍ତ୍ରୀ–ବିଷ ଖାଇଛନ୍ତି–ମୁହଁକୁ ଦେଖି ହଠାତ୍‌ ଚିତ୍କାର କରି ଉଠିଲା ସୁବୋଧ–ନମିତା ! ଶରୀର ତା’ର ଅବଶ ହୋଇ ଆସୁଥିଲା ।

 

ପାହାନ୍ତିର ଫିକା ଆଲୁଅରେ ଶୀତଳ ପବନର ସ୍ପର୍ଶରେ ଆଖି ଖୋଲିଲା ନମିତା—ସୁବୋଧ ସେତେବେଳକୁ ପାଗଳ ପରି ହୋଇଯାଇଥାଏ–ବହୁତ ଅନୁରୋଧ ପରେ ପଦେ କଥା କହିଲା ନମିତା—କାହିଁକି ମୋତେ ଫେରାଇଲ ପୁଣି ? –ପୁଣି କ’ଣ ମୋତେ ଜଳେଇ ପୋଡ଼େଇ ମାରିବାକୁ ତୁମେ ଚାହଁ ? କ୍ଷମା କରିଛ ମୋତେ ?

 

‘‘ଭୁଲିଯାଅ ନମିତା—ଭୁଲିଯାଅ ଯେ ଦିନେ ତୁମେ ମୋତେ ଭଲ ପାଇଥିଲ—’’

 

‘‘ତାରି ପ୍ରତିଶୋଧ ଆଜି ନେଲ–ସୁବୋଧକୁ କଥା ଶେଷ କରିବାକୁ ନଦେଇ କହିଲା ନମିତା !’’

 

‘‘ପ୍ରତିଶୋଧ ନୁହେଁ—ଭୁଲିଯାଅ–ଆଉ ହୁଏତ ଗୋଟାଏ ଦିନପରେ ମୋତେ ଏଠି ଦେଖିବାକୁ ପାଇବନି—ମୋର ଏଠି ରହିବା ଉଚିତ ନୁହେଁ–ତୁମକୁ ଆଉ ବିଶେଷ କଷ୍ଟ ଦେବାକୁ ଏଠି ରହିପାରିବନି–କ୍ଷମାକର ମୋତେ— ।

 

ବାହାରି ଆସିଲା ସୁବୋଧ–ବେକରେ ତା’ର ଷ୍ଟେଥିସ୍କୋପ୍‌ଟା ଝୁଲୁଥାଏ–ପଶ୍ଚିମ ଆଡ଼ୁ କଳାବାଦଲଟାଏ ଉଠେଇ ଆସିଲା–ଥଣ୍ଡା ପବନ ଝଲକାଏ ବହିଗଲା–ଜୀବନର ଉଷ୍ଣ ପ୍ରଭାବ ଉପରେ ପବନର ବା କି ପ୍ରଭାବ ? କିଛି ନୁହେଁ—ଜୀବନଟାଇ ପରାଜୟ !

★★★

 

ଭୁଲ୍‍

 

ସଂଧ୍ୟାର ଅନ୍ଧକାର ଘନେଇ ଆସିଲା । ଦୂର ଗୋଠଛଡ଼ା ପକ୍ଷୀ ଫେରିଲା ତା’ର ବସାକୁ-। ମଫସଲର ସଂଧ୍ୟା । କୁଳବଧୂ ଆସିଲା ଚଉରା ପାଖକୁ–ହାତରେ ତା’ର ସଞ୍ଜବତୀ, ମନରେ ତା’ର କେତେ ଛପିଲା ଆଶା । ପ୍ରଣତିରେ ତା’ର କାମନା । ବିନୋଦ ବାହାରିଲା ମି. ଦାସଙ୍କ ଘରକୁ ଟିଉସନ କରିବା ପାଇଁ । ମନ ଭିତରେ ତା’ର ସେଇ ଗୋଟାଏ କଥା । ନମିତାର ଚରିତ୍ରରେ ସବିତାର ସନ୍ଦେହ ନାରୀ, ଜଗତର ଆଦ୍ୟା ଶକ୍ତି–ସମାଜର ପୂଜ୍ୟା–ମା’–କଲ୍ୟାଣମୟୀ ପୁଣି ସ୍ନେହମୟୀ । ଗୋଟିଏ ପାଖରେ ତା’ର ପୁଣ୍ୟ ଓ ପବିତ୍ରତାର ବେଷ୍ଟନୀ ଓ ଅନ୍ୟପାଖରେ ହଳାହଳ ଚିତା–ଧ୍ୱଂସର କରାଳ ବହ୍ନି ।

ନମିତାକୁ ଅବିଶ୍ୱାସ କରିଛି ସବିତା–

ମି. ଦାସ ପେନ୍‌ସନ୍‌ ପାଇବାପରେ ସେ ଆସି ରହନ୍ତି ଗାଁରେ–ଗାଁ ହାଇସ୍କୁଲରେ ପଢ଼େ ନମିତା– । ସୁନ୍ଦରୀ ଆଧୁନିକା–ବେଶ୍‌ ଏମିତି କେତେ କ’ଣ—ମି. ଦାସଙ୍କର ତାଗିଦ୍‌ ନମିତା ଯେପରି ଇଂଲିଶରେ ଭଲ କରେ ।

ଆଜି ଆପଣ ଏତେ ଚିନ୍ତାମଗ୍ନ ସାର୍‍, ଦେହ କ’ଣ ଭଲ ନାହିଁ, ପଚାରିଲା ନମିତା ।

ନା ଭଲ ଅଛି । ମୁଣ୍ଡଟା କାହିଁକି—

ଅମୃତାଞ୍ଜନ ଆଣିବି ?

ନା ଦରକାର ନାହିଁ, ବରଂ ଗିଲାସେ ପାଣି—

ଆଚ୍ଛା ଆଣୁଛି ।

ପାଣି ଆଣିଲା ନମିତା । ପାଣି ନୁହେଁ ସରବତ ।

ସାର୍‌ !

କ’ଣ ?

ମୁଣ୍ଡଟା ଚିପିଦିଏ ।

ନା—

ଅମୃତାଞ୍ଜନ ଟିକିଏ ଲଗାଇଦିଏ ।

ଦରକାର ନାହିଁ ।

ଆପଣତ ଖାଲି ସେମିତି କହିବେ.....

ଆଚ୍ଛା ନମିତା,

ସାର୍‍,

ମୋ ପରି ଗୋଟାଏ ଅପଦାର୍ଥ ପ୍ରତି ତୁମର ଏ ମମତା କାହିଁକି ?

କାହିଁକି ଆପଣ ନିଜକୁ ଏଡ଼େ ଛୋଟ ମନେକରନ୍ତି ? ଆପଣ ମୋର ପୂଜନୀୟ ।

ତୁମର ମୋ’ଠାରେ ସହାନୁଭୂତି ଅଛି ନା ?

ସାର୍‌,

ହଠାତ୍‌ ଅନାଇ ଦେଲା ବିନୋଦ ନମିତାକୁ । ନମିତାର ଆଖି ଥିଲା ବିନୋଦର ମୁହଁ ଉପରେ । ହଠାତ୍‌ ଲଜ୍ଜିତା ହୋଇ ତଳକୁ ମୁହଁ ପୋତି ଦେଲା ନମିତା ।

ଠିକ୍‌ ତିନିଦିନ ପରେ—

ସବିତା ଆସିଲା ଲୁହଭରା ଆଖିରେ ବିନୋଦ ପାଖକୁ—ଖରାବେଳଟା କେହି ନଥାନ୍ତି ଘରେ । ମନର ଯେତେ ଆଶା ସବୁ ପୋଡ଼ିଯିବାର ସୂଚନା ଦେଇ କହିଗଲା ସବିତା । ଶୁଣିଗଲା ସବୁ ବିନୋଦ । ସବିତା କାହିଁକି ଏପ୍ରକାର ତାକୁ ଭୁଲ୍‍ ବୁଝିଛି ? ଅମୃତାଞ୍ଜନ ଦେବା ପାଇଁ ନମିତା କହିଥିଲା ଆଉ ମୁଣ୍ଡ ଚିପି ଦେବା ପାଇଁ ମଧ୍ୟ କହିଥିଲା । କିନ୍ତୁ ସବିତା ତା’ ଜାଣିଲା କିମିତି ? ପୁଣି ଅନ୍ୟପ୍ରକାର ଭୁଲ୍‍ ଖବର ମଧ୍ୟ–ତେବେ ମି. ଦାସଙ୍କ ଘର ଚାକରାଣୀ କ’ଣ ଏ ସବୁ ଭୁଲ୍‍ ଖବର ଦେଉଛି ତାକୁ ?

ମୋତେ ଭୁଲ୍‍ ବୁଝ୍‍ନା ସବିତା !

ଆଉ ଛଳନାର ଦରକାର ନାହିଁ ବିନୋଦ ! ମି. ଦାସ ବଡ଼ଲୋକ–ନମିତା ଆଧୁନିକା—

ବେଶ୍‌ ତୁମେ ଯାହା ଭାବ—

ଚାଲିଗଲା ସବିତା !

ସେଇବର୍ଷ ଫଗୁଣ ମାସରେ ସବିତାର ବିବାହ ହେଲା । ସବିତା ସେଥିରେ କିଛି ଆପତ୍ତି ଉଠାଇଲା ନାହିଁ । ସେ ଯେ ନିଜେ ଭୁଲ୍‍ ବାଟରେ ଆଗେଇ ଯାଇଛି—ସଂକୀର୍ଣ୍ଣ ମନରେ ତା’ର ସ୍ଥାନ ପାଇନି ବିନୋଦର ଉଦାରତା । ବାହାଘର ଦିନ ଆସିଥିଲା ବିନୋଦ । ହାତଟେକି ଆଶୀର୍ବାଦ କରିବା ଛଡ଼ା ଆଉ ବିଶେଷ କିଛି ତା’ ପାଖରେ ନଥିଲା ଦେବାକୁ । ବିବାହ ଅନୁଷ୍ଠାନପରେ ଫେରିଲା ବିନୋଦ । କେଜାଣି କାହିଁକି ମନଟା ତା’ର ଗୋଟାଏ ବିଚ୍ଛେଦର ତିକ୍ତତାରେ ଭରି ଉଠିଲା-।

ଦିନେ ହଠାତ୍‌ ଚିଠି ଖଣ୍ଡିଏ ପାଇଲା ବିନୋଦ ସବିତାଠୁଁ ।

ଗାଁ–––––––––––

ତା–––––––––––

ପୂଜନୀୟ,

ଅଭାଗିନୀର ପ୍ରଣାମ ନେବେ ।

 

କିଛି ଲେଖିବାର ଦମ୍ଭ ଆଜି ମୋର ନାହିଁ । ଜାଣି ଜାଣି ମଣିଷ ପୁଣି ଏତେ ବଡ଼ ଭୁଲ୍‍ କରିପାରେ ? ନମିତାଠାରୁ ଚିଠି ଖଣ୍ଡିଏ ପାଇ ସବୁ ବିଷୟ ଜାଣିଲି । ବାସ୍ତବରେ ତୁମେ ମଣିଷ ରୂପରେ ଦେବତା । କାହିଁକି ମୋର ମନର ସଂକୀର୍ଣ୍ଣତାର ସନ୍ଦେହକୁ ଦୂର କରି ପାରିଲିନି ? ନମିତା ବିଷୟରେ ତୁମକୁ ଯେଉଁ ଅବିଶ୍ୱାସ କରିଥିଲି ତା’ର ଫଳ ଆଜି ନିଜେ ଭୋଗୁଛି । ବିବାହ ପରେ ସୁଖର ଦାମ୍ପତ୍ୟ ଜୀବନ ଆଜି ମୋ ପକ୍ଷେ ସ୍ୱପ୍ନରେ ପରିଣତ ହୋଇ ଉଠିଛି । ଯାହାକୁ ଜୀବନର ଦେବତା ରୂପେ ପାଇଛି ତାଙ୍କର ସ୍ନେହ ପାଇବା ମୋ ପକ୍ଷେ ଆଜି ଅସମ୍ଭବ ହୋଇ ଉଠିଛି—କ୍ଷମା କରିବ ମୋର ଭୁଲ୍‍ ପାଇଁ । ଗୋଟିଏ ଭୁଲ୍‍ କରି ମୁଁ ଆଜି ଜଳିପୋଡ଼ି ହୋଇ ମରୁଛି । ଆଉ ଗୋଟିଏ ଭୁଲ୍‍ କରି ତୁମେ ଯେପରି ନମିତାକୁ ପାଦରେ ଠେଲି ନଦିଅ । ଏତିକି ତୁମ ପାଖରେ ମୋର ମାଗୁଣି, ମୋର ଏତିକି ଅନୁରୋଧ ରଖିପାରିବ କି ?

 

ଗୋଧୂଳିର ବିଦାୟ ପରେ ପରେ ପଶ୍ଚିମ ଆକାଶରେ ଦେଖା ଦେଇଛି ରୁପେଲି ଚାନ୍ଦ–ବିରୂପା ଆରପାଖରେ ମଇଁଷି ଗୋଠରେ ମଇଁଷିଆଳର ବଂଶୀ ସ୍ୱନ ଦରଦୀ ହୋଇ ଉଠିଚି-। ବିରୂପାର ବକ୍ଷ ଥରି ଯାଉଛି ଥିରି ଥିରି ପବନରେ । ଚନ୍ଦ୍ରିକାର ଶୀତଳ ଚୁମ୍ବନ ବିରୂପାର ନୀଳ ବକ୍ଷ ଉପରେ ତୋଳୁଛି ଉପଭୋଗର ସୀମାତୀତ ସୌନ୍ଦର୍ଯ୍ୟ । ସେଇ ବିରୂପାର ସଫା ବାଲି ଉପରେ ବସିଛନ୍ତି ବିନୋଦ ଓ ନମିତା କିଛି ଦୂରରେ ବାଲି ଉପରେ ବିଚରଣ କରୁଛନ୍ତି ମି. ଦାସ । ହଠାତ୍‌ ପ୍ରଶ୍ନ କଲା ନମିତା—

 

ସବିତା ଅପା ଚିଠି ଦେଇଥିଲା ?

 

ହଁ, ତୁମ ପାଖକୁ ଦେଇଥିଲା କି ?

 

ହଁ,

 

କ’ଣ ଲେଖିଥିଲା ?

 

ମୋ ଚିଠିର ଉତ୍ତର । ଆଚ୍ଛା, ନମିତା, ତୁମେ ଭାବି ଦେଖିଛ ଯାହା ତୁମେ କରିବାକୁ ଯାଉଛ ଠିକ୍‍ କି ଭୁଲ୍‍ ?

 

ଦେଖିଛ’—

 

କିନ୍ତୁ ଯଦି ତୁମେ ନିରାଶ ହୁଅ ?

 

ତେବେ ତା’କୁ ଜୀବନର ଅଭିଶାପ ଛଡ଼ା କ’ଣ କହିବି ?

 

ମୋତେ ଭାବିବାକୁ ସମୟ ଦିଅ ନମିତା—

 

ଏମିତି ଭାବରେ ତିନୋଟି ମାସ ବିତି ଯାଇଛି—

 

ମ୍ୟାନେଜିଂ କମିଟିରେ ଗଣ୍ଡଗୋଳ ଯୋଗୁଁ ନିଜର ସ୍ୱାଧୀନତା ଉପରେ ଆଞ୍ଚ ଲାଗିବାରୁ ଶିକ୍ଷକତ୍ୱ ଛାଡ଼ିଦେଲା ବିନୋଦ—ଚାକିରି ଖଣ୍ଡିଏ ପାଇଁ ପୁଣି ତା’ର ମୁଣ୍ଡରେ ପଶିଲା ଭାବନା । କ’ଣ ବା କରାଯାଇପାରେ ? ମି. ଦାସ ମନାକଲେ ଚାକିରି ଖୋଜିବାକୁ—ତଥାପି ତାଙ୍କ ମନା ନ ମାନି ବିନୋଦ ଆସିଲା କଟକ । ଅନେକ ସ୍ଥାନରେ ଚେଷ୍ଟା କରି ନିରାଶହୋଇ ଦିନେ ସବିତା ଘରକୁ ଆସିଲା । ସବିତାର ସ୍ୱାମୀ ନରେଶ ବାବୁ—ସରକାରଙ୍କର ଜଣେ ବଡ଼ କର୍ମଚାରୀ–ସବିତାର ସୁପାରିସରେ ଚାକିରି ଖଣ୍ଡିଏ ମିଳିପାରେ !

 

ଚିହ୍ନି ପାରୁଛ ସବିତା ?

 

ଆରେ ତୁମେ ଯେ । ନମସ୍କାର ।

 

ନରେଶବାବୁ ଅଛନ୍ତି ?

 

ହଁ ।

 

ଟିକିଏ ଡାକି ଦିଅ ।

 

ନରେଶବାବୁଙ୍କୁ ସଙ୍ଗରେ ନେଇ ଆସିଲା ସବିତା । ପରିଚିତ କରାଇବା ପରେ ଆରମ୍ଭ କଲେ ନରେଶବାବୁ—

 

ଆପଣଙ୍କୁ ଦେଖି ବଡ଼ ଖୁସି ହେଲି । କିନ୍ତୁ ଆପଣଙ୍କ ବିଷୟରେ ମୁଁ ସବୁ ଜାଣେ । ତେବେ ମୋର ଅନୁରୋଧ ଆଉଥରେ ଯେପରି ଏଠି ଆପଣଙ୍କ ପାଦ ନ ପଡ଼େ ।

 

କିଛି ବୁଝିପାରିଲା ନାହିଁ ବିନୋଦ । ଦୋଷ ତା’ର କ’ଣ—ଅଦ୍ଭୁତ ଏ ନରେଶବାବୁ ! ପୁଣି କହିଲେ ।

 

ଦୟାକରି ଯାଆନ୍ତୁ, ବର୍ତ୍ତମାନ ମୋର ସମୟ ଅଭାବ ।

 

ଆଚ୍ଛା ଯାଉଛି ତେବେ ମୋର ଅପରାଧଟା କ’ଣ ?

 

ସବୁ ଜାଣି ପାରିବେ ଆପଣ ନିଜେ ନିଜେ । ବିବାହ ପୂର୍ବରୁ ଜଣେ ଯୁବତୀ ସହିତ ଥିବା ସମ୍ପର୍କକୁ ଆଜି ରୂପ ଦେବା ପାଇଁ ଆସିଛନ୍ତି ? ଧନ୍ୟବାଦ—

 

ଭଦ୍ରତାର ସୀମା ଲଙ୍ଗନ କରୁଛନ୍ତି ଆପଣ, ଆଚ୍ଛା ମୁଁ ଆସୁଛି ନମସ୍କାର । ଚାଲି ଆସିଲା ବିନୋଦ । ସତେ ଏ ସଂସାରଟା କ’ଣ ? ଦୁନିଆରେ କ’ଣ ମଣିଷ ଖାଲି ଅବିଶ୍ୱାସ ଛଡ଼ା ଆଉ କିଛି ଶିଖିନି ?

 

ସହରରେ ଦୁଇଦିନ ଉପବାସ ରହି ଫେରିଲା ବିନୋଦ—ଆଶା ଭରସା ସବୁ ଗଲା । ସେଦିନ ସଞ୍ଜରେ ଆସିଲା ନମିତା—

 

ଚାକିରି ମିଳିଲା ?

 

ନା—

 

ତେବେ ?

 

ଦୁଇଦିନ ଉପବାସ ପରେ ବାଧ୍ୟହୋଇ ଫେରିବାକୁ ପଡ଼ିଲା । ଏତେ କଷ୍ଟ ସହିଲ ଚିଠି ଖଣ୍ଡିଏ ଦେଇ ପାରିଲ ନାହିଁ ?

 

ଚିଠି ଦେବାର ଅବକାଶ ନଥିଲା ।

 

ସବିତାର ଦେଖା ମିଳିଲା ?

 

ହଁ,

 

କ’ଣ କହୁଥିଲା ?

 

ସ୍ୱାମୀଙ୍କ ଜରିଆରେ ଜୋତାମାଡ଼ ଦେଲା । ଆଉ ବା କ’ଣ କରିପାରିଥାନ୍ତା; ତୁମେ ଭୁଲ୍‍ ବୁଝିଛ, ସବିତାର ସେ ଦୋଷ ନୁହେଁ ସ୍ୱାମୀଟା ତା’ର ଗୋଟାଏ ପଶୁ, ମଣିଷ ପୁଣି ଏମିତି ପଶୁସ୍ତରକୁ ଖସିଯାଇପାରେ ?

 

ଆଶ୍ଚର୍ଯ୍ୟ କ’ଣ ?

 

ବାପା ଭଲ ଅଛନ୍ତି ?

 

ହଁ, ତୁମେ ତାଙ୍କ କଥା ରଖିଲନି ବୋଲି ବଡ଼ ଦୁଃଖିତ ସେ ।

 

କାହିଁକି ?

 

ସେ କହିଲେ କ’ଣ ଚାକିରି ଦରକାର ?

 

ତେବେ ପେଟ ପୋଷିବା ଭାର ?

 

ସେ ଜାଣନ୍ତି ।

 

ଏ ବି ଗୋଟାଏ ଭୁଲ୍‍ ନମିତା । ନିଜର ପେଟ ପାଇଁ ଅନ୍ୟ ଉପରେ ନିର୍ଭର କରିବା ଗୋଟାଏ ମସ୍ତବଡ଼ ଭୁଲ୍‍—ତଥାପି କ’ଣ କରାଯାଇପାରେ ? ଅନ୍ୟ ଉପାୟ ନାହିଁ । ଜାଣି ଜାଣି ମଣିଷ ଭୁଲ୍‍ କରେ ଅନେକ ସମୟରେ—ତା’ ସ୍ୱାଭାବିକ ।

★★★

 

ପୂର୍ଣ୍ଣଚ୍ଛେଦ

 

ସଞ୍ଜ ହୋଇ ଆସୁଛି–ପଶ୍ଚିମ ଆକାଶରେ ନାଲି ରଙ୍ଗ କ୍ରମେ ମଉଳି ଆସୁଛି–ଆକାଶ ସଫା ହୋଇନି–ଆକାଶରେ ବଉଦ ଜମାଟ ବାନ୍ଧିଛି–ଅଳ୍ପ ସମୟ ହେବ ଅସରାଏ ବର୍ଷା ବର୍ଷିଯାଇଛି, ଚାଳରୁ ବର୍ଷା ପାଣି ପଡ଼ିବା ବନ୍ଦ ହୋଇନି...ଝଲକାଏ ପବନରେ ଝରକା କବାଟଟା ମେଲା ହୋଇଗଲା...ବର୍ଷା ଯୋଗୁଁ ଘର ଭିତରେ ପାଣି, ପାଦ ପକାଇବାକୁ ଜାଗା ନାହିଁ । ପୁଣି ଥଣ୍ଡା ପବନ ରୋଗୀ ପକ୍ଷରେ ଭଲ ନୁହେଁ ।

 

ଖୁଁ ଖୁଁ କାଶି ଦୁର୍ବଳ ଶରୀରଟିକୁ ଉଠାଇ ବସିଲେ ଶିଳ୍ପୀ ସୁମନ୍ତ—ଶୀତରେ ଦେହ ଥରି ଯାଉଛି, ଛିଣ୍ଡା ଜାମା ଆଉ ଚିରା ଚାଦର, ଶୀତୁଆ ପବନରେ ଥରି ଉଠିଲେ ସୁମନ୍ତ ଡାକିଲେ—

 

‘ଛନ୍ଦା ! ଛନ୍ଦା !’

 

‘କଅଣ ।’

 

‘ଏଆଡ଼େ ଟିକେ ଆସ ।’

 

ସେମିତି ଛିଣ୍ଡା ଲୁଗାଟିଏ ପିନ୍ଧି ଆସିଲେ ଛନ୍ଦା—ହାତଗୋଡ଼ ତାଙ୍କର କାଦୁଅ—

 

‘କ’ଣ କରୁଥିଲ ?’

 

‘ଘର ଭିତରୁ କାଦୁଅ ପୋଛୁଥିଲି ।’

 

‘କାହିଁକି ଏତେ ପରିଶ୍ରମ କରୁଛ ? ତମେ କ’ଣ ଭାବିଛ ବର୍ଷ ଛାଡ଼ିଗଲାଣି ! ପୁଣି କେତେବେଳେ ଅସରାଏ ଯେ ବର୍ଷିଯିବ...’

 

‘ତୁମେ ଉଠି ବସିଲ କାହିଁକି ?’

 

‘ଝରକାଟା ବନ୍ଦ କରତ !’

 

ଝରକାଟା ବନ୍ଦ କଲେ ଛନ୍ଦା-ରୁଗ୍‌ଣ ସ୍ୱାମୀ ଶୋଇ ପଡ଼ିଲେ ଛିଣ୍ଡା ସତରଞ୍ଜିଟି ଉପରେ–ତଳ ଓଦା—ଉପର ବି ଓଦା ।

 

ଛନ୍ଦା ପୁଣି ଗଲେ ଘରୁ କାଦୁଅ ସଫା କରିବା ପାଇଁ–ଏଇ ଘର ଆଜି ଛପର ହୋଇପାରିନି–ବର୍ଷା ପାଣିରେ ଭାସୁଛି–ଏଇ ସୁମନ୍ତ ଆଜି ମଣିଷ ପରି ବଞ୍ଚିପାରି ନାହାନ୍ତି, ରୁଗ୍‌ଣ ଶରୀରରେ ଶଯ୍ୟାଶାୟୀ—ପେଟ ପାଇଁ ଦାନା ଆଜି ଅଭାବ । ଏଇ ଛନ୍ଦା ଶିଳ୍ପୀର ପତ୍ନୀତ୍ୱରେ ଗୌରବଠାରୁ ଅଛି ଦୂରରେ, ଛିଣ୍ଡା ଲୁଗା ଖଣ୍ଡିକରେ ଦିନ କଟାନ୍ତି–ଏମିତି ଋକ୍ଷ ଆଉ ବାସ୍ତବ ସୁମନ୍ତଙ୍କର ଜୀବନ !

 

ଏ ଜୀବନରେ କେତେବେଳେ କି ପରିସ୍ଥିତି ଆସିବ ତା’ର ହିସାବ କିଏ ରଖିବ ? ଆଜି ଏମିତି ଗୋଟାଏ ଲକ୍ଷ୍ମୀଛଡ଼ା ଜୀବନରେ ତିଳ ତିଳ ହୋଇ ଧ୍ୱଂସମୁଖୀ ଦୁର୍ଭାଗ୍ୟ ସହିତ ଲଢ଼େଇ କରି ବଞ୍ଚିବାର ମୋହରେ ଚିରା ଚାଦର ତଳେ ଓଦା ଭୂଇଁ ଉପରେ ଶୋଇ ରହିଛନ୍ତି ଶିଳ୍ପୀ ସୁମନ୍ତ—ଜୀବନ—ଏଇ ତିନୋଟି ଅକ୍ଷରକୁ ସେ ଯେତେବେଳେ ଏକାଠି କରି ଦେଖନ୍ତି ସେତେବେଳେ ସେ ଯେ କ’ଣ ଭାବନ୍ତି ତା’ର ସୀମା ରହେନା—

 

ସୁମନ୍ତ ଆଜି ଜୀବନ ସହିତ ସଂଗ୍ରାମ ରତ–ମାତ୍ର ଜୀବନ ଦିନେ ଥିଲା ତାଙ୍କ ପାଖରେ ଫୁଲଶେଯଠାରୁ ଆହୁରି କୋମଳ–କଲେଜର ଉଚ୍ଚଶିକ୍ଷାର ମୋହ ତୁଟାଇ ତାଙ୍କର ଶିଳ୍ପୀପ୍ରାଣ ଧାଇଁ ଯାଇଥିଲା ସୁଦୂର ବିଦେଶକୁ ଲଳିତ କଳା ପାଇଁ—ଲଳିତ କଳାର ପୂଜାରୀ ସୁମନ୍ତ, ଯୌବନରେ ଅନେକ ଗୌରବର ଅଧିକାରୀ ହୋଇଛନ୍ତି । ଧନୀର ସନ୍ତାନ–ଜୀବନ ପାଇଁ ଭାବିବାର ଆବଶ୍ୟକତା ନଥିଲା । କିନ୍ତୁ ପିତା ତାଙ୍କର ଅକାଳରେ ମୃତ୍ୟୁବରଣ କରନ୍ତି—ପିତାଙ୍କର ବହୁ ପୂର୍ବରୁ ମାତା ବି ଚାଲିଯାଇଥିଲେ–ସଂସାରରେ ଏକା ରହିଲେ ସୁମନ୍ତ । କଳାପ୍ରେମୀ ସୁମନ୍ତ ବ୍ୟସ୍ତ ରହିଲେ କଳା ପୂଜାରେ—ଧନ ସମ୍ପତ୍ତି କଥା କିଛି ବୁଝି ପାରିଲେନି–ପର ଉପରେ ସବୁ ଦାୟିତ୍ୱ ।

 

ଜୀବନରେ ଏମିତି ଗୋଟାଏ ମୁହୂର୍ତ୍ତରେ ତାଙ୍କ ପାଖରେ ଦେଖା ଦେଇଥିଲେ କଳା ପ୍ରେମିକା ଲୀଳା–ଗୁରୁ ରୂପେ ମାନି ନେଇଥିଲେ ସେ ସୁମନ୍ତଙ୍କୁ ସୁମନ୍ତଙ୍କ ବ୍ୟକ୍ତିତ୍ୱକୁ ସେ ଦିଅନ୍ତି ସମ୍ମାନ—କଳାର ମଣ୍ଡପରେ ଦୁହିଁଙ୍କ ମଧ୍ୟରେ ପବିତ୍ର ସମ୍ପର୍କ ଗଢ଼ି ଉଠେ–ଲୀଳା ଆଉ ସୁମନ୍ତ–ସତେଯେମିତି ଗୋଟିଏ ବୃନ୍ତରେ ଦୁଇଟି ଫୁଲ–ଗୋଟିକୁ ଛାଡ଼ିଦେଲେ ଆଉ ଗୋଟିକର ସତ୍ତା ଅସମ୍ଭବ—ଲୀଳା ପ୍ରାଣଦେଇ ଭଲ ପାଆନ୍ତି ସୁମନ୍ତଙ୍କୁ–ସୁମନ୍ତ, ଲୀଳାଙ୍କୁ ଦେଖିବାକୁ ଗୋଟିଏ ଦିନ ବିଳମ୍ବ ହୋଇଗଲେ ବ୍ୟଥିତ ହୋଇପଡ଼ନ୍ତି–ଲୀଳା ବୁଝନ୍ତି ସୁମନ୍ତ ତାଙ୍କୁ ସ୍ନେହ କରନ୍ତି—ତେଣୁ ଲୀଳା ସୁମନ୍ତଙ୍କ ପାଖରେ କେବେହେଲେ ଆତ୍ମଗୋପନ କରିନାହାନ୍ତି—ମାତ୍ର ଦୁନିଆ ଆଖିରେ ଏ ସମ୍ବନ୍ଧ ସମର୍ଥିତ ହୋଇପାରିଲା ନାହିଁ—ସଂକୀର୍ଣ୍ଣମନା ସମାଜ ଏପ୍ରକାର ସମ୍ପର୍କକୁ ଅସ୍ୱୀକାର କଲା–ସନ୍ଧେହୀ ଆଖିରେ ଦେଖିଲା–ଫଳରେ ସୁମନ୍ତ ଆଉ ଲୀଳାଙ୍କ ସମ୍ବନ୍ଧ ଗତିରେ ଆସିଲା ବାଧା—ଲୀଳାଙ୍କ ପିତା ସୁମନ୍ତ ସହିତ ସମ୍ପର୍କ ଛିନ୍ନ କରିଦେବା ପାଇଁ ଆଦେଶ ଦେଲେ–ଲୀଳା ପ୍ରତିବାଦ କରିପାରିଲେ ନାହିଁ ।

 

ସୁମନ୍ତ ଶୁଣିଲେ ଲୀଳାଙ୍କର ଭଲପାଇଁ ସେ ତାଙ୍କ ସହିତ ସବୁ ସମ୍ପର୍କ ଛିନ୍ନ କରି ଦେଇଛନ୍ତି–ବ୍ୟଥିତ ହୃଦୟରେ ସୁମନ୍ତ ରହିଲେ ଲୀଳା ଦୂରେଇ ଗଲେ । ତଥାପି ସୁମନ୍ତ କେବେ ଭାବି ନାହାନ୍ତି ଲୀଳା ଦୂରେଇ ଯାଇଛନ୍ତି ବୋଲି–ସେ ସବୁବେଳେ ଅନୁଭବ କରନ୍ତି ସତେଯେମିତି ଲୀଳା ତାଙ୍କରି ପାଖରେ ଅଛନ୍ତି ବେଳେବେଳେ ଲୀଳାଙ୍କର କଣ୍ଠସ୍ୱର ସତେଯେମିତି ତାଙ୍କ କାନରେ ବାଜିଯାଏ–କିନ୍ତୁ ତୁଣ୍ଡରୁ କଥା ବାହାରେନି–ଆଖିରେ ତାଙ୍କର ଭାସିଯାଏ ଅଶ୍ରୁ ।

 

ଚିତ୍ରପଟ ଉପରେ ତୂଳୀ ଚଳାଇବା ବେଳେ ଲୀଳା ତାଙ୍କର ପାଖେ ପାଖେ ଥାଆନ୍ତି–ସୌନ୍ଦର୍ଯ୍ୟମୟୀ ଲୀଳାଙ୍କର ସୌନ୍ଦର୍ଯ୍ୟରେ ଆତ୍ମହରା ହୋଇ ସୁମନ୍ତଙ୍କର ତୂଳୀ ଚାଲିଯାଏ...ସେତେବେଳେ ସେ ମନେକରନ୍ତି ସତେଯେମିତି ସୃଷ୍ଟିରେ ଲୀଳାଙ୍କ ଅପେକ୍ଷା ସୁନ୍ଦରୀ ନାହାନ୍ତି, ସତେଯେମିତି ଲୀଳାଙ୍କର କଣ୍ଠସ୍ୱର ଅପେକ୍ଷା ମଧୁର ସ୍ୱର ଆଉ ଜଗତରେ କିଛିନାହିଁ । ଏଇମିତି ଆତ୍ମହରା ହୋଇ ସୁମନ୍ତ ଯେଉଁ ଅନନ୍ତ ସୌନ୍ଦର୍ଯ୍ୟର ସନ୍ଧାନ ପାଇଥିଲେ ତାହାହିଁ ତାଙ୍କର ଶିଳ୍ପୀ ଜୀବନର ପ୍ରଧାନ ସମ୍ବଳ । ଦୃଷ୍ଟିରେ ତାଙ୍କର ଆବିଳତା ନଥିଲା ପରମ ପବିତ୍ର ସୌନ୍ଦର୍ଯ୍ୟ ବୋଧ—ତଥାପି ଜଗତ ଭୁଲ୍‍ ବୁଝିଲା ।

 

ଲୀଳା ଚାଲିଗଲେ–ସବୁ ମମତା ଛିନ୍ନ କରିଦେଇ ଚାଲିଗଲେ—ସେଥିପାଇଁ ଦୁଃଖ ନାହିଁ ସୁମନ୍ତଙ୍କର । କାରଣ ସେ ଭାବନ୍ତି ଲୀଳାଙ୍କର ମଙ୍ଗଳ ପାଇଁ ତାଙ୍କ ମନରେ ଆଘାତ ଆସିଲେ ବି ସେ ଆଘାତ ସେ ସହି ପାରିବେ, ମାତ୍ର ଲୀଳାଙ୍କର ଅନିଷ୍ଟ କେବେହେଲେ ସେ ସହି ପାରିବେ ନାହିଁ-। ଏବେ ବି ମନେଅଛି ସୁମନ୍ତଙ୍କର–ଲୀଳାଙ୍କର ବାପା ମନାକଲେ ସୁମନ୍ତଙ୍କ ସହିତ ସମ୍ପର୍କ ରଖିବା ପାଇଁ, ସୁମନ୍ତ ତା’ ଜାଣି ନଥିଲେ— ।

 

ଦିନେ ସକାଳେ ସୁମନ୍ତ ଯାଇଥିଲେ ଲୀଳାଙ୍କ ପାଖକୁ–ଲୀଳାଙ୍କ ସହିତ ଦେଖା ନହେଲେ ବଳେ ବଳେ ସେ ଟାଣି ହୋଇ ଯାଆନ୍ତି, ସେଦିନ ବି ଯାଇଥିଲେ ଲୀଳା ଦେଖାଦେଲେ ସୁମନ୍ତଙ୍କୁ–ଶେଷଥର ପାଇଁ କପେ ଚା’, ଦି’ଖଣ୍ଡ ବିସ୍କୁଟ ଲୀଳା ଦେଇଥିଲେ ସୁମନ୍ତଙ୍କୁ–ତା’ପରେ ଲୀଳା କହିଥିଲେ— ।

 

‘ଆପଣ ଆଉ ଏଠିକି ଆସିବେନି ଆଜିଠାରୁ’–ସୁମନ୍ତ ଭାବିଲେ ଅଭିମାନୀ ମନନେଇ ଲୀଳାଙ୍କର ଏମିତି କହିବା ଆଜି ନୂଆ ନୁହେଁ ସେ ତେଣୁ ସେକଥା ଉପରେ ସେଦିନ ଗୁରୁତ୍ୱ ଦେଇନଥିଲେ ପରେ ବୁଝିପାରିଲେ ସବୁକଥା ଦୁଃଖରେ ଭାଙ୍ଗିପଡ଼ିଲେ ସେଦିନ–ଏ ଦୁଃଖ ଏ ଆଘାତ ଜୀବନରେ ଭୁଲିବାର ନୁହେଁ । ଶେଷରେ ଲୀଳା ତାଙ୍କୁ ଏପରି ଆଘାତ ଦେବେ ଏକଥା ସେ ବିଶ୍ୱାସ କରିନେଲେ, ମଣିଷ ଯାହା ଆଶା କରିନଥାଏ ତାହାହିଁ ତା’ର ଜୀବନରେ ଘଟେ ।

 

ଶେଷଥର ପାଇଁ ସୁମନ୍ତ ଚେଷ୍ଟା କଲେ ଚିତ୍ରଟିଏ ଅନ୍ତତଃ ଅଙ୍କନ କରିବାକୁ ମାତ୍ର ପାରିଲେ ନାହିଁ—ଏତେ ବଡ଼ ଶିଳ୍ପୀ ସେ, ମାତ୍ର ଯେତେ ଚେଷ୍ଟା କଲେ ବି ଲୀଳାଙ୍କର ମୁଖ ତାଙ୍କର ମନେପଡ଼ିଲା ନାହିଁ ପାରିଲେନି ସେ ତୂଳୀ ତାଙ୍କର ବନ୍ଦ ହୋଇଗଲା–ଚିଠି ଖଣ୍ଡିଏ ଲେଖିଥିଲେ ଶେଷଥର ପାଇଁ ସୁମନ୍ତ ଲୀଳାଙ୍କର ପାଖକୁ–ମାଗିଥିଲେ ତାଙ୍କର ଚିତ୍ରପଟଟିଏ ମାତ୍ର ଲୀଳା ସେଥିରୁ ତାଙ୍କୁ ବଞ୍ଚିତ କଲେ—ଲୀଳାଙ୍କର ହୃଦୟ ଏତେ କଠିନ ହୋଇପାରେ ସେ କଥା ସୁମନ୍ତ ଦିନେ କଳ୍ପନା ବି କରିପାରିନଥିଲେ ।

 

ସେଦିନ କେବେଠୁ ଗଲାଣି ସେ ଲୀଳାଙ୍କର ଲୀଳାୟିତ ସ୍ମୃତି ହଜିଗଲାଣି—

 

ଗୋଟିଏ ବ୍ୟଥିତ ପ୍ରାଣ ନେଇ ସଂସାର ପ୍ରତି ଉଦାସ ହୋଇପଡ଼ିଲେ ସେ–ତଥାପି ବଞ୍ଚି ରହିବାର ପ୍ରବୃତ୍ତି ନେଇ ବଞ୍ଚିଲେ–ସେ ଛନ୍ଦାହେଲେ ତାଙ୍କର ସହଧର୍ମିଣୀ–କାଳର ଅପ୍ରତିହତ ପ୍ରଭାବରେ ଧନ ଜନ ମାନ, ସମାନ ସବୁ ହରାଇଛନ୍ତି ସୁମନ୍ତ—ସେ ଆଜି ଦରିଦ୍ର ଚିତ୍ରକର ଜୀବିକା ନିର୍ବାହ କରିବା ଆଜି ଅସମ୍ଭବ–କଣ୍ଢେଇ ତିଆରି କରି ରଙ୍ଗ କରି ପେଟ ପୋଷନ୍ତି ସେ—ଅଭାବ ତାଙ୍କର ବର୍ତ୍ତମାନ ସବୁଠାରୁ ବଡ଼ ସାଥି । ରୋଗରେ ପଥି ଔଷଧ ପାଇଁ ପଇସା ପାଆନ୍ତିନି ଅର୍ଥାଭାବରୁ ଘର ଖଣ୍ଡିକ ଛପର ହୋଇ ପାରିନି–ପିନ୍ଧିବାକୁ ଲୁଗା ଖଣ୍ଡିଏ ନାହିଁ–ଦୁଇ ଓଳିର ଦାନା ପାଇଁ ସବୁବେଳେ ଚିନ୍ତା କରିବାକୁ ପଡ଼େ–ସମୟ ସମୟରେ ଦୁଇ ତିନି ଓଳିରେ ପେଟକୁ ଦାନା ବି କଷ୍ଟକର ହୋଇପଡ଼େ ।

 

କାଦୁଅ ହାତ ଧୋଇଆସି ପାଖରେ ବସିଲେ ଛନ୍ଦା । ଥଣ୍ଡାଲାଗି କାଶ ବଢ଼ି ଯାଇଛି ସୁମନ୍ତଙ୍କର ।

 

ଛନ୍ଦା ?

 

କ’ଣ ?

 

ଭାରି ଥଣ୍ଡା ଲାଗୁଚି, ଶୀତୁଆ ପବନଟା ଦେଉଛି ।

 

ଛନ୍ଦା ଭାବିଲେ—ଆଖିରୁ ତାଙ୍କର ଲୁହର ଧାରା ବହିଗଲା ।

 

ସ୍ୱାମୀ ତାଙ୍କର ଏମିତି ରୁଗ୍‌ଣ ଅବସ୍ଥାରେ ଥଣ୍ଡାରେ ପଡ଼ି ଥରୁଛନ୍ତି, ଚା’ ଟିକିଏ ବି କରିଦେବାର ସମ୍ବଳ ନାହିଁ—ଛନ୍ଦା କାନ୍ଦିଲା ସ୍ୱରରେ କହିଲେ, ଭଗବାନ, ମଣିଷ ଜନମ ଦେଇ ଗରିବ କରିବାଠାରୁ ଆଉ କି ବଡ଼ ପ୍ରତିଶୋଧ ତୁମେ ନେଇପାର ?

 

ରୁଗ୍‌ଣ ଶରୀରକୁ ଉଠାଇ ସୁମନ୍ତ–ଛନ୍ଦାଙ୍କୁ କହିଲେ ରଙ୍ଗ କଣ୍ଢେଇ ଆଣିବାପାଇଁ । ଛନ୍ଦା କହିଲେ—

 

ତୁମେ ଯେ ବସି ପାରୁନା–ମୁଁ ରଙ୍ଗ କରିବି ।

 

ନା ତୁମେ ପାରିବନି–ଦେଖ, ରାତି ପାହିଲେ ଗଣେଣ ପୂଜା, ସ୍କୁଲ ପିଲାଏ ମୂର୍ତ୍ତି ଖୋଜିବେ—ମୂର୍ତ୍ତିଟିଏ ରଙ୍ଗକରି ଥୋଇଦେଲେ ସୁମନ୍ତ–କଞ୍ଚାରଙ୍ଗ ଶୁଖି ନଥାଏ–ଦି’ଜଣ ପିଲା ଆସି ଡାକିଲେ ମୂର୍ତ୍ତି ନେବାପାଇଁ । ଛ’ଅଣା ପଇସାରେ ମୂର୍ତ୍ତିଟି ଧରିଲା ଜଣେ । ରଙ୍ଗ ଲାଗିଗଲା ତା’ କମିଜରେ–ମୂର୍ତ୍ତିଟାକୁ ତଳେ ଥୋଇ ଦେଇ ଗୁଡ଼ାଏ ଗାଳି ବର୍ଷଣ କରି ପଇସା ଫେରାଇ ନେଇ ଚାଲିଗଲା ପିଲାଟି ।

 

ଛନ୍ଦା !

 

କ’ଣ ?

 

ଆଜି ବି ଉପବାସ ରହିବାକୁ ପଡ଼ିବ । ହଉ ପ୍ରଭୁ ତୁମର ଇଚ୍ଛା–ହଁ ଛନ୍ଦା, କାଲିତ ଗଣେଣ ପୂଜା, ମୂର୍ତ୍ତି ରଙ୍ଗ ଶୁଖି ଯାଇଥିବ । ମୂର୍ତ୍ତି ବିକ୍ରି ହେବ ଯେ... ।

 

ଛାତ୍ର ଜୀବନରେ କେତେ ଗଣେଶ ପୂଜା ଯାଇଚି–ମାତ୍ର ଗୋଟିଏ ଗଣେଶ ପୂଜାର ସ୍ମୃତି ସୁମନ୍ତଙ୍କର ଜୀବନ ସାରା ଅଭୁଲା–ସେଦିନ ଲୀଳାଙ୍କର ଭଉଣୀ ଡାକିଥିଲେ ସୁମନ୍ତଙ୍କୁ ତାଙ୍କ ଘରକୁ–ସ୍ନେହ ମମତାରେ ସୁମନ୍ତ ସେଦିନ ନିଜକୁ ଭୁଲି ଯାଇଥିଲେ–ସେଦିନର ଗଣେଶ ପୂଜା ଆଉ ଆଜି । ତାଙ୍କ ଲୀଳା ଆଜି ଅନେକ ଦୂରରେ–ଏହିକଥା ଭାବି ସୁମନ୍ତଙ୍କ ଆଖିରୁ ବହିଗଲା ଦୁଇଟି ଧାର ।

 

ପୁଣି ଆସିଲେ ଦି’ ତିନିଜଣ ପିଲା–ମୂର୍ତ୍ତି ଖୋଜିଲେ–ସୁମନ୍ତ କହିଲେ–

 

ରଙ୍ଗ ଶୁଖିନି, ନବ ?

 

ହଁ ଆମେ ହୁସିଆର କରି ନେବୁ । ସକାଳେତ କେତେ କାମ ମୂର୍ତ୍ତି ପାଇଁ କିଏ ଆସିବ ।

 

କାଶ ଉଠିଲା ସୁନ୍ତଙ୍କର । ଜଣେ ପିଲା କହିଲା, ଏଠୁ ମୂର୍ତ୍ତି ନେବାନାହିଁ–ଏ ବୁଢ଼ାଟା ଯେମିତି କାଶୁଛି ମୋର ମନେହେଉଚି ଏ ଯକ୍ଷ୍ମା ରୋଗୀ–ଶୁଣିଲେ ସୁମନ୍ତ, କ’ଣ ବା କୁହନ୍ତେ ।

 

ତଥାପି ସେମାନେ ମୂର୍ତ୍ତିନେଲେ । ଛନ୍ଦା ପଇସା ନେଇ ଗଲେ ଦୋକାନକୁ ଚାଉଳ ପାଇଁ–ଫେରି ଆସିଲେ ଶୀଘ୍ର— ।

 

‘ଆଗ ଚା’ ଟିକେ କରିଦିଏ, ଥଣ୍ଡା ଲାଗୁଚି ପରା ! –ତା’ପରେ ଛନ୍ଦା ଚୁଲି ଲଗାଇଲେ—ଚା’ ପାଣି ଫୁଟି ଉଠିଲା–ଖଣ୍ଡିଆ ଡେକ୍‌ଚିଟାକୁ ଧରି ଉଠାଇବା ବେଳେ ହାତରୁ ଖସି ପଡ଼ିଲା–ସେତେବେଳକୁ ସୁମନ୍ତଙ୍କର ଦମକାଏ କାଶ ଖୁବ୍‌ ଜୋରରେ ଉଠି ଆସିଲା–ପୁଣି ହଠାତ୍‌ ବନ୍ଦ ହୋଇଗଲା ।

 

ଚା’ ନଷ୍ଟ ହୋଇଯିବାରୁ ପୁଣି ଗଲେ ଛନ୍ଦା—ଦୋକାନରୁ ଚା’ ଆଣି ତିଆରି କରି ସ୍ୱାମୀଙ୍କ ପାଖକୁ ଆସିଲେ–ଡିବିଟା ପୁଣି ହଠାତ୍‌ ନିଭିଗଲା–ଡିବି ଲଗାଇଲେ–ଚା’ ରଖି ଛନ୍ଦା ଡାକିଲେ–ଚା’ ଆଣିଚି ।

 

ଜବାବ ନାହିଁ–ଦେହରେ ହାତ ଦେଇ ହଲାଇ ଦେଲେ ଛନ୍ଦା–ତଥାପି ସୁମନ୍ତ ନୀରବ ।

 

ଡିବି ଆଲୁଅରେ ଦେଖିଲେ ଛନ୍ଦା ସୁମନ୍ତଙ୍କ ମୁହଁକୁ । ପାଟିରୁ ଝଲକାଏ କଫ ବାହାରି ପଡ଼ିଚି–ଭୂଇଁ ଉପରେ ଲୋଟି ପଡ଼ିଛନ୍ତି ସୁମନ୍ତ...ହାତରୁ ଖସି ପଡ଼ିଲା ଡିବିଟା–ଚେତା ହଜିଗଲା ଛନ୍ଦାଙ୍କର–ସୁମନ୍ତଙ୍କର ନିର୍ଜୀବ ଦେହ ଉପରେ ଢଳି ପଡ଼ିଲେ ଛନ୍ଦା ।

 

ପୁଣି ଚଲା ବଉଦଟାଏ ଆକାଶରେ ଭାସିଗଲା—ଦମକାଏ ପବନରେ ଡିବିଟା ନିଭିଗଲା ।

 

ଅନ୍ଧାର ଘର ଭିତରେ କେବଳ ଛନ୍ଦାଙ୍କର କଇଁ କଇଁ କାନ୍ଦର ଶବ୍ଦ..... ।

★★★

 

ଚନ୍ଦ୍ରବିମ୍ବ

 

ଶୋଇ ଶୋଇ ସ୍ୱପ୍ନ ଦେଖୁଥିଲା କଳାବତୀ—ଜୀବନର ସବୁ କିଛି ଆଜି ସେ ହାତରେ ପାଇଛି–ଜଗତ ଆଉ ସମାଜର ଆଖିରେ ଧୂଳି ଦେଇ ସବୁ କିଛି ସେ ପାଇଛି–ସମାଜିକ ନିୟମବନ୍ଧା ଜୀବନ ଅନୁସାରେ ସେ ଆଜି କୁମାରୀ ମାତ୍ର ତା’ ନିଜ ମନ ଆଜି ନିଜକୁ କୁମାରୀ ବୋଲି ସ୍ୱୀକାର କରିବାକୁ ଚାହେଁନା—କୁମାରୀ ଜୀବନ ତା’ର ଆଉ ନାହିଁ–ସେ ଆଜି ପ୍ରିୟା–ତା’ର ଏ ମନୋଭାବକୁ ସମାଜ ଅସ୍ୱୀକାର କରିପାରେ ମାତ୍ର ସେ ନିଜେ ବା ଅସ୍ୱୀକାର କରିବ କେମିତି–ସେଇ ଟିକିଏ ମାତ୍ର ସ୍ୱୀକୃତି, ସେଇଥିରେ ମନ ତା’ର ଆଜି ପୂରି ଉଠିଛି–ଶୋଇ ଶୋଇ ଭାବି ଯାଉଛି କଳାବତୀ–ତାରି ଏ ମନର ଦାବିକୁ ଦିନେ ସାମାଜିକ ରୀତିରେ ସ୍ୱୀକୃତ କରାଇ ନେବ ସେ–ତା’ପରେ ସେ ପାଇବ ତା’ ଜୀବନର ପୂର୍ଣ୍ଣତା–ଖଟ ଉପରେ ଶୋଇ ଶୋଇ ଏମିତି ଭାବୁଛି କଳାବତୀ–ଝରକା ଭିତର ଦେଇ ମେଞ୍ଚାଏ ଖରା ଆସି ପଡ଼ିଛି ତା’ ମୁଣ୍ଡରେ–ହଠାତ୍‌ ଘର ଭିତରକୁ ପଶି ଆସିଲେ ମନୋରମା–ଝରକାଟା ବନ୍ଦ କରିଦେଲେ–କଳାବତୀର ଭାବନାର ଖିଅ ଛିଣ୍ଡିଗଲା–ମନୋରମା ଡାକିଲେ, କଳା–

 

କ’ଣ ବୋଉ—

 

ତୁ ଏମିତି ଶୋଇ ଶୋଇ କ’ଣ ଭାବୁଛୁ ? ତୋ ମୁହଁରେ ଖରାପଡ଼ି ଝାଳ ବହିଲାଣି—ଜାଣି ପାରୁନୁ ?

 

ହଁ—ଝରକାଟା ବନ୍ଦ କରି ଦେବାକୁ ଭାବିଥିଲି ।

 

ଏମିତି ଅବେଳରେ ଶୋଇଛୁ ଯେ–କ’ଣ ଦେହ ଭଲ ଲାଗୁନାହିଁ ?

 

ନାଇଁତ–ଦେହ ଭଲ ଅଛି ଯେ—

 

ତେବେ ଯା ବୁଲାଚଲା କର—ଏମିତି ଅବେଳଟାରେ ଶୋଇବା ଭଲ ନୁହେଁ ।

 

ଏତିକି କହି ଦେଇ ଚାଲି ଗଲେ ମନୋରମା–କଳାବତୀ ଖଟ ଉପରୁ ଉଠି ପଡ଼ିଲା–ବାହାରକୁ ବୁଲିଯିବାକୁ ଆଉ ମନ ତା’ର ଚାହିଁଲାନି–ସେ ଭାବୁଛି ଅନ୍ୟ କୌଣସିଥିରେ ମନକୁ ଲଗାଇଲେ ସତେଯେମିତି ସେ ଆନନ୍ଦ ପାଇବନି–ଅନ୍ୟ କେଉଁଥିରେ ମନ ଲଗାଇଲେ ହୁଏତ ଏ ସ୍ମୃତି ତା’ ପାଖରୁ ଦୂରେଇ ଯାଇପାରେ–ସେ ଚାହେଁ ଏଇ ସ୍ମୃତିଟିକୁ ସେ ତା’ର ମନରେ ବାନ୍ଧି ରଖିବ–ଏଇ ସ୍ମୃତିର ଆନନ୍ଦ ତାକୁ ଆଉ କେଉଁଥିରୁ ମିଳିବନି—ସେ ଖାଲି ଭାବି ଯାଉଛି–ସେଇ ଗୋଟିଏ ସ୍ମୃତି ।

 

ସେଇ ସ୍ମୃତିଟି ତା’ ଜୀବନରେ ଆଜି ନୂତନ–ଏଇ ନୂତନ ସ୍ମୃତିର ପ୍ରଭାବରେ ଆଜି ତା’ର ନୂତନ ଜୀବନର ଆରମ୍ଭ–ଜୀବନରେ ସେ ଯଦି ଆଉ କିଛି ନ ପାଏ, ତେବେ ଏଇ ସ୍ମୃତିଟିକୁ ତାରି ମନ ଭିତରେ ରଖି ଜୀବନଟା କଟେଇ ଦେଇ ପାରିବ–ସେତିକି ତା’ ପକ୍ଷରେ ଯଥେଷ୍ଟ ।

 

ସିଡ଼ିରୁ ଓହ୍ଲାଇ ଯାଉଛନ୍ତି ମନୋରମା–ଗୋଟିକ ପରେ ଗୋଟିଏ ପାହାଚରେ ତାଙ୍କର ପାଦ ଆଗେଇ ଯାଉଛି—ପାଦ ତାଙ୍କର ଯେତିକି ଆଗକୁ ବଢ଼ୁଛି ସେତିକି ସେ ତଳକୁ ତଳକୁ ଆସୁଛନ୍ତି–ପାଦ ସହିତ ତାଳଦେଇ ମନ ବି ତାଙ୍କର ତଳଆଡ଼କୁ ଗତି କରୁଛି–ବୟସର ସିଡ଼ିରେ ସେ ଆସି ଆଜି ବହୁତ ଉପରେ ମାତ୍ର ମନ ତାଙ୍କର ସେଇ ବୟସ ସିଡ଼ିର କେତୋଟି ପାହାଚ ତଳକୁ ଗତି କରୁଛି—ଆଜିର ଏ ଜୀବନକୁ କେତେ ପାହାଚ ଦେଇ ସେ ଉଠିଛନ୍ତି–ସେଇ ଯେଉଁ କେତୋଟି ପାହାଚ ତାଙ୍କ ପଛରେ ରହିଗଲା ସେଗୁଡ଼ିକ ଭୁଲିବାର ନୁହେଁ–ଆଗକୁ ମାଡ଼ି ଚାଲିବାର ପ୍ରବୃତ୍ତି ନେଇ ତାଙ୍କ ପାଦ ଯେତେ ଉପର ପାହାଚକୁ ଗତି କରୁଛି, ତଳ ପାହାଚର ଦୂରତ୍ୱ ସେତିକି ବଢ଼ି ଯାଉଛି–ତଥାପି ସେଇ ତଳ ପାହାଚର ମାୟା; ତଳ ପାହାଚର ସ୍ମୃତିକୁ ସେ ଏକାବେଳକେ ଫିଙ୍ଗିଦେଇ ପାରୁନାହାନ୍ତି । ଆଜି କଳାର ଏମିତି କେତୋଟି କଥା ଦେଖି ତାଙ୍କ ମନ ପୁଣି ସେଇ ତଳ ପାହାଚଆଡ଼କୁ ଧାଇଁଯାଉଛି । ଆଜି ଦି’ପହରେ କଳା ଯାଇଥିଲା ବିନୋଦ ଘରକୁ–ବିନୋଦ ଘରୁ ଫେରିବା ପରେ କଳାର ମନର ଅବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତିତ—ସତେଯେମିତି ସେ ଆଜି ଗୋଟାଏ ଗଡ଼ ଜିଣିଛି ।

 

ତଳ ପାହାଚ ତାକୁ ଅନେଇଲେ ମନୋରମାଙ୍କ ଆଖି ଆଗରେ ନାଚିଯାଏ ସେମିତି କେତେକଥା–ମନ ଭିତରେ ଆଜି ହାହାକାର କରି ଉଠେ–ସେ ବି ଦିନେ ତାଙ୍କ କୁମାରୀ ଜୀବନରେ ଯାଇଥିଲେ ତାଙ୍କରି ପାଖକୁ ଯାହାକୁ ସେ ଜାଣି ଜାଣି ନିଜର ମନ ଚୋରୀ କରିବାର ସୁଯୋଗ ଦେଇଥିଲେ–ସେଦିନ ମନୋରମା ଯାଇ କେତେ ଅଭିଯୋଗ ବାଢ଼ିଥିଲେ ଶ୍ରୀକାନ୍ତ ଉପରେ–ଶ୍ରୀକାନ୍ତ ମନୋରମାଙ୍କର ସବୁ ଅଭିଯୋଗ ମନଦେଇ ଶୁଣନ୍ତି, ପିଲାଟିପରି ଶାସ୍ତି ପାଇବାକୁ ଆଗଭର ହୋଇ ଆସନ୍ତି । ମନୋରମା ସେଦିନ ଶ୍ରୀକାନ୍ତଙ୍କ ବାହୁ ଭିତରେ ଥାଇ ପଚାରିଥିଲେ, ‘ଆଜି ସିନା ପାଖରେ ଅଛି ବୋଲି ଏତେ ମମତା ଯେଉଁଦିନ ପାଖରୁ ଚାଲିଯିବ ସେଦିନ ଆଉ ତମର ମମତା ଦେଖାଇବ କାହା ପାଖରେ ?’’

 

‘‘ପାଖରୁ ତମେ ଚାଲିଯାଇ ପାରିବ ? ନା–ପାରିବିନି—ତମେ ସବୁବେଳେ ମୋ ପାଖରେ ଅଛ ଓ ଥିବ ।’’

 

ଏଇ ଗୋଟିଏ ବାକ୍ୟରେ ସେଦିନ ଭରିହୋଇଥିଲା ମନୋରମାଙ୍କର ମନ–ସେ ସେଦିନ କି ଆନନ୍ଦ ପାଇଥିଲେ ତା’ ତାଙ୍କ ଛଡ଼ା କେହି ଜାଣିପାରିବନି–ସେଦିନ ସେ ଭାବିଥିଲେ ତାଙ୍କ ଜୀବନ ଧନ୍ୟ ହେଇଚି–ସେ ପାଇଛନ୍ତି ଶ୍ରୀକାନ୍ତଙ୍କୁ–ସେ ଦିନବି ସେ ଏମିତି ଅବେଳରେ ଶୋଇ ଶୋଇ କେତେ କଥା ଭାବିଥିଲେ–ସେ ଦିନବି ସେ ଭାବିଥିଲେ ଜଗତ ଆଖିରେ ସେ କୁମାରୀ ମାତ୍ର ତାଙ୍କ ମନ ତା’ ମାନେନା–ସେ ପ୍ରିୟା, ଶ୍ରୀକାନ୍ତଙ୍କର ପ୍ରିୟା ।

 

ଏମିତି ଭାବନା ଭିତରେ ମନୋରମା ଆସି ଡ୍ରଇଂରୁମରେ ବସିପଡ଼ିଛନ୍ତି–ଅତୀତର ସେ ସ୍ମୃତିଗୁଡ଼ିକ ଗୋଟି ଗୋଟି ହୋଇ ଆଖି ଆଗରେ ଭାସିଯାଉଛି—ପୁଣି ମନେପଡ଼ୁଛି କଳାବତୀ କଥା–ଆଜି ଦି’ପହରେ କଳାବତୀ ଯାଇଥିଲା ବିନୋଦ ଘରକୁ–ସେମିତି ହୁଏତ ବିନୋଦର ବାହୁ ଭିତରେ ଥାଇ ... ନା–ଆଉ ସେ ଭାବିପାରିଲେ ନାହିଁ, ମା’ ହୋଇ ଝିଅର ଏମିତିକା କଥା ଭାବିବା ଦୋଷାବହ । ପୁଣି ଭାବିଲେ ଯଦିବା ସେମିତି କିଛି ହୋଇଥାଏ ତେବେ ହୁଏତ ତା’ର ସମାଧାନ କରିବ ସେମାନଙ୍କର ଭାଗ୍ୟ–ଶ୍ରୀକାନ୍ତ ଆଉ ମନୋରମା ଶତଚେଷ୍ଟା କରି ମଧ୍ୟ ନିଜେ ନିଜକୁ ପାଇ ପାରିଲେନି...ଦୁହେଁଯାକ ବାଧ୍ୟହୋଇ ଦୋଷ ଦେଇଥିଲେ ଭାଗ୍ୟର–ହୁଏତ ବିନୋଦ ଆଉ କଳାଙ୍କ ଜୀବନରେ ଯେ ସେଇ ପରିଣତି ନ ଆସିବ ଏ କଥା କିଏ କହିବ ? ପୁଣି ଭାବିଲେ ମନୋରମା–ନା ଜାଣି ଜାଣି ସେ ଏମିତି ଦୁଇଟା ଜୀବନରେ ବ୍ୟର୍ଥତା ସୃଷ୍ଟି କରିବେନି–ନିଜର ସମସ୍ତ ଚେଷ୍ଟା ପ୍ରୟୋଗ କରି କଳାକୁ ସୁଖୀ କରିବେ ।

 

ତା’ପରେ ନିତିଦିନିଆ ଜଗତରେ ଆଗ କଥା ପଛକୁ ପକାଇ କେତୋଟି ଦିନ ଗଡ଼ିଗଲା–କେତେ କଢ଼ି ବିକଶିତ ହୋଇ ଝରିପଡ଼ିଲେ–କେତେ ଡିମ୍ବଫୁଟି ଡେଣା ହଲାଇ ଚଢ଼େଇ ଛୁଆ ଉଡ଼ିଗଲେ–କେତେ ଗଛରୁ ପତ୍ର ଶୁଖି ଝରିଗଲା—ପୁଣି କେତେ ଗଛରେ ପତ୍ର କଅଁଳିଲା–କେତେ ନଈଧାରର ପାଣି ଶୁଖିଗଲା–କେତେ ମନର ଦରଦ ଦୂରେଇ ଗଲା ପୁଣି କେତେ ସରସ ମନରେ ନୀରସତା ସ୍ଥାନ ମାଡ଼ି ବସିଲା–ଚକ ଘୂରିଗଲା ।

 

ଚକ ଘୂରିଗଲା–କଳା ଦିନେ ଅନୁଭବ କଲା, ସେ ହେବାକୁ ଯାଉଛି ଗୋଟିଏ ଅନାଗତ କଳିର ବୃନ୍ତ–ଦେହ ତା’ର କ୍ରମେ କ୍ରମେ ଭାରି ବୋଧ ହେଲା–ଅଙ୍ଗରୁ ସରସ ଚପଳ ଛନ୍ଦ କ୍ରମେ ନିଭି ଆସିଲା–ଶରୀରରେ ଏକ ନୂତନ ପରିବର୍ତ୍ତନ–ଏଇ ନୂତନ ପରିବର୍ତ୍ତନର ଆଶଙ୍କାରେ କଳା ଆତଙ୍କିତ ହୋଇପଡ଼ିଲା–ସେ ହେବ ଗୋଟାଏ ଅସାମାଜିକ ଜୀବ–କାରଣ ତାକୁ ଆଉ ସମାଜ କୁଳବଧୂର ଆସନରେ ବସାଇ ଦେବନି–ସେ ହେବ ପତିତା ।

 

ପୁଣି ସେମିତି ଦିନେ ଖଟ ଉପରେ ଶୋଇ ଶୋଇ ଭାବୁଛି କଳା–ଗର୍ଭରେ ତା’ର ପ୍ରୀତିର ସନ୍ତକ—ଯେଉଁ ସନ୍ତକ ଟିକକ ପାଇଁ ନାରୀ ପ୍ରାଣ ଦେଇ ଦେବଦେବୀଙ୍କର ଆରାଧନା କରେ, ଯେଉଁ ସନ୍ତକକୁ ନେଇ ନାରୀ ଏଇ ମଣିଷ ସମାଜରେ ଗର୍ବ କରେ ସେଇ ସନ୍ତକ ଆଜି ତା’ ହାତରେ-। ମାତ୍ର ସେ ସନ୍ତକ ତା’ର ମନ ପ୍ରାଣକୁ ଏକ ଅଜଣା ଆନନ୍ଦରେ ଭରିଦେବା ପରିବର୍ତ୍ତରେ ଏକ ଅଜଣା ଆଶଙ୍କାରେ ତା’ ମନ ପ୍ରାଣକୁ ଦୋହଲାଇ ଦେଇଛି । ସେ ଏପର୍ଯ୍ୟନ୍ତ ବିନୋଦକୁ ଜଣାଇନି–ବିନୋଦ ଏ ଖବର ପାଇଲେ ଖୁସି ହେବତ ? ଖୁସି ନହୋଇ ଦୁଃଖ କଲେ ବି ସେଥିରେ କଳାର ଦୋଷ କ’ଣ ? ଯଦି ଏଥିରେ କିଛି ଦୋଷ ଥାଏ ତେବେ ସେ ଦୋଷ କେବେହେଲେ ଏକା କଳାର ନୁହେଁ । ଏମିତି ଭାବନା ଭିତରେ କଳା ପାଖରେ ଆସି ପହଞ୍ଚିଗଲେ ମନୋରମା ।

 

କଳା—

 

ଉଠି ବସିଲା କଳା ।

 

କ’ଣ ବୋଉ ?

 

ମୋତେ ଲୁଚାଇ କି ଲାଭ ପାଇଲୁ–ବର୍ତ୍ତମାନ କୁଳକୁ କଳଙ୍କ ସୃଷ୍ଟି କରିଗଲୁ—ଆଉ ଆମ ପରିବାରର କେହି ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରିବେ ତ ?

 

ବୋଉ—

 

ମୁଁ ବୁଝିପାରୁନି ବର୍ତ୍ତମାନ କ’ଣ କରାଯାଇପାରେ–ଆଚ୍ଛା ମୁଁ ଆଜି ବିନୋଦକୁ ଡକାଇଛି–ତା’ ସହିତ ପରାମର୍ଶ କରି ଯାହା କରିବାର କଥା କରିବା ।

 

ସେଦିନ ବିନୋଦ ଆସିଲା ଓ ଯେତେଶୀଘ୍ର ବିବାହ କରିବାର କଥା ସେଥିପାଇଁ ସେ ସମ୍ମତି ଦେଲା—ମନୋରମା ଗୋଟାଏ ବଡ଼ ବିପଦରୁ ରକ୍ଷା ପାଇବା ପରି ଅନୁଭବ କଲେ, ମନୋରମା ଭାବିଲେ, ଆଜି ଅବସ୍ଥା ଅନାୟତ୍ତ ହୋଇ ପଡ଼ିଥିବା ଯୋଗୁଁ କଳାର ବାପାଙ୍କର ଏ ବିବାହରେ କୌଣସି ଆପତ୍ତି ତ ଦୂରକଥା ବରଂ ବ୍ୟଗ୍ରତା ବଢ଼ିଯାଇଛି—ସେଦିନ, ଯେଉଁଦିନ ମନୋରମା ଶ୍ରୀକାନ୍ତଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି କରିସାରିଥିଲେ ସେଦିନ ତାଙ୍କ ବାପା ଯେ କି ନିଷ୍ଠୁର ମୂର୍ତ୍ତି ଧରିଥିଲେ ତା’ ପ୍ରକାଶ କରିହେବନି–ସେଦିନ ଯଦି ମନୋରମାଙ୍କ ଅବସ୍ଥା ଆଜି କଳାର ଅବସ୍ଥା ଭଳି ଅନାୟତ୍ତ ହୋଇଥାଆନ୍ତା ତେବେ ତାଙ୍କ ବାପା ଜାଣି ଜାଣି ତାଙ୍କ ଜୀବନର ସବୁ ସରସତାକୁ ପୋଡ଼ି ଜାଳି ଭଷ୍ମ କରିଦେଇ ନଥାନ୍ତେ–ଏ ଦୁନିଆରେ ସହଜ ସରଳ ଭାବରେ କିଛି ସମ୍ଭବ ନୁହେଁ–ସିଧା ଆଙ୍ଗୁଠିରେ ଘିଅ ବାହାରେନା—ହେଉପଛେ କଳା ଆଜି ଦୁନିଆ ପାଖରେ ପତିତା, ତଥାପି ସେ ଭାଗ୍ୟବତୀ–ମନର ମଣିଷ ତା’ର ଆଜି ଆସି ତା’ ହାତରେ ମିଳିଛି ।

 

ତା’ ପରଦିନ ସକାଳେ କଳାକୁ ଖୋଜି ଖୋଜି ସୁଦ୍ଧା ସେ ଆଉ ମିଳିଲା ନାହିଁ–ଚିଠି ଖଣ୍ଡିଏ ଲେଖି ଦେଇ ସେ ହୋଇଛି ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ–ସେଇ ଚିଠିରେ ସେ ଲେଖିଯାଇଛି ମନୋରମାଙ୍କୁ–ସେ ଆଜି ବିନୋଦକୁ ବିବାହ କଲେ ମଧ୍ୟ ଆସନ୍ତା ଚାରିମାସ ଭିତରେ ତା’ର ସନ୍ତାନ ଭୂମିଷ୍ଠ ହେବ–ସମାଜ କେବେହେଲେ ତାକୁ କୁଳବଧୂ ରୂପେ ଅନୁମୋଦନ କରିପାରିବନି–ସେ କାଲି ଏଇ ସମାଜର ଲୋକଙ୍କ ମୁହଁରେ ହେବ କଳଙ୍କିନୀ ।

 

ଏଇ କଳଙ୍କକୁ ଧୋଇ ସେ ଯେଉଁଦିନ ଫେରିବ ସେଦିନ ସେ ହସି ହସି ବିନୋଦର ପାଦତଳେ ଆଶ୍ରୟ ନେବ–ତା’ର ଅପରିଣାମଦର୍ଶୀ କର୍ମର ଫଳ ତାକୁଇ ଭୋଗ କରିବାକୁ ପଡ଼ିବ ।

 

ମନୋରମାଙ୍କ ମନରେ ଆଜି ଗୋଟିଏ କଥା ଅତି ସତ–ଚନ୍ଦ୍ର ଆଉ ଚନ୍ଦ୍ରବିମ୍ବ କେବେହେଲେ ଏକାକଥା ନୁହେଁ–ବିମ୍ବଟା ସିନା ପ୍ରକୃତ ପଦାର୍ଥର ଛାଇ ମାତ୍ର ପ୍ରକୃତ ପଦାର୍ଥ ନୁହେଁ–ସେ ପ୍ରକୃତ ପଦାର୍ଥ ସହିତ ତା’ର ସାମ୍ୟ କିଛି ନାହିଁ ।

 

ବିନୋଦ ଆସି ମନୋରମାଙ୍କ ଠାରୁ ଏ ଖବରପାଇ ଫେରିଗଲା–ଗଲାବେଳେ ତା’ର ମନର ଅବସ୍ଥାର ପରିଚୟ ଦେଉଥିଲା, ତା’ର ମୁଖ ଆଉ ଗତି । ମନୋରମା ଚାହିଁଥିଲେ ବିନୋଦର ଫେରିଯିବା ବାଟକୁ–ବିନୋଦ କ୍ରମେ ଆଗେଇ ଚାଲିଛି–ଦୂରତ୍ୱ ବଢ଼ିଯାଉଛି—ମନୋରମାଙ୍କ ଆଖି ଆଗରେ ନାଚିଗଲା ସେ କେତେବର୍ଷ ତଳର କଥା–ସେଦିନ ଶ୍ରୀକାନ୍ତ ଏମିତି ନିରାଶ ହୋଇ ତାଙ୍କ ପାଖରୁ ଫେରିଯାଇଥିଲେ । ସେଦିନ ଆଉ ଭାବି ପାରିଲେନି ମନୋରମା । ଭଲ ପାଇବା ବାଟରେ ଯଦି କୌଣସି ବାଟୋଇ ଆସେ ତେବେ ତାକୁ ଏ ସମାଜର ଚଲାବାଟରେ ଏମିତି କ’ଣ ଫେରିଯିବାକୁ ପଡ଼ିବ ? ଏ ସମାଜ, ବାଟ ରଖିଛି ସମସ୍ତଙ୍କୁ ଫେରାଇ ଦେବା ପାଇଁ ମାତ୍ର କୌଣସିଠାରେ ବାଟ ରଖିନି ସ୍ୱାଗତ ଜଣାଇବା ପାଇଁ । ଆଗେଇ ଆସିବା ଲୋକ ହେଉ ବା ଫେରିଯିବା ଲୋକ ହେଉ ସମସ୍ତଙ୍କ ପାଇଁ ଏ ସମାଜର ଗୋଟିଏ ଚଲାବାଟ–ସମାଜକୁ ଏଡ଼ି ମନକୁ ରଖିବାକୁ ହେଲେ ସେ ଚଲାବାଟକୁ ଛାଡ଼ି ଆଉ ଗୋଟିଏ ବାଟରେ ଯିବାକୁ ହେବ–ଅମଡ଼ା ବାଟ । ସେ ଅମଡ଼ାବାଟର ବାଟୋଇ ତା’ ବାଟଚଲାର ଗୌରବ ବୁଝିବ କେବଳ ନିଜେ ।

 

ମନୋରମା ଭାବିଲେ ସମାଜକୁ ଡରି ଚଲାବାଟରୁ ବାହାରି ଆସିଥିବା ଯୋଗୁଁ ଆଜି କଳା ନିରୁଦ୍ଦିଷ୍ଟ ହୋଇଛି ମାତ୍ର ତା’ ନକରି ସେ ଯେବେ ନିଜକୁ ଅମଡ଼ା ବାଟରେ ଆଗେଇ ନେଇଥାଆନ୍ତା ତେବେ କ୍ଷତି କ’ଣ ହୋଇଥାନ୍ତା ? ଜୀବନକୁ ସରସ କରିବା ପାଇଁ ଏ ସମାଜ ନା ନୀରସ କରିବା ପାଇଁ ଏ ସମାଜ ।

Image